ରାଜନୀତି ପଶାପାଲିଲେ ସଂସଦ ଭବନ ଉଦଘାଟନ୍ । ଦ୍ୱନ୍ଦ୍ୱ ବଢ଼ାଇଲା ବିଜେଡିର ନିଷ୍ପତ୍ତି

2,249

କନକ ବ୍ୟୁରୋ: ସଂସଦ ଭବନ ଉଦଘାଟନ ଉତ୍ସବରେ ସାମିଲ ହେବ ବିଜେଡି । ରାଜ୍ୟ ତଥା ଦେଶ ରାଜନୀତିକୁ ଏକଥା ପ୍ରଭାବିତ କରିଛି । କେନ୍ଦ୍ର ସରକାର ପ୍ରତି ବିଜେଡିର ଆଭିମୁଖ୍ୟ ରାଜ୍ୟ ବିଜେପିକୁ ଚାପରେ ପକାଇଛି କି? କେନ୍ଦ୍ର ବିଜେପିକୁ ନବୀନ ପ୍ରତି କ୍ଷେତ୍ରରେ ସମର୍ଥନ କରୁଥିବା ବେଳେ ୨୦୨୪ରେ ଓଡ଼ିଶା ବିଜେପିକୁ ବିଜେଡି ସହ ଲଢିବା କଷ୍ଟକର ହୋଇପାରେ । ତେବେ ସମଦୂରତା ଫର୍ମୂଲାକୁ ବିଶ୍ୱାସ କରୁଥିବା ବିଜେଡିର ପଦକ୍ଷେପ ସବୁ ମହଲରେ ଦ୍ୱନ୍ଦ୍ୱ ସୃଷ୍ଟି କରିଛି ।

  • ରାଜନୀତି ପଶାପାଲିଲେ ସଂସଦ ଭବନ ଉଦଘାଟନ
  • ଦ୍ୱନ୍ଦ୍ୱ ବଢ଼ାଇଲା ବିଜେଡିର ନିଷ୍ପତ୍ତି

ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ଗୋଟିଏ ଗୋଟିଏ ନିଷ୍ପତି ବଡ ରାଜନୈତିକ ଦ୍ୱନ୍ଦ୍ୱ ତିଆରି କରେ । ତେବେ ଆଗାମୀ ୨୮ ତାରିଖରେ ନୂଆ ସଂସଦ ଭବନ ଉଦଘାଟନ ହେବାକୁ ଥିବାବେଳେ ବିଜେଡିର ପଦକ୍ଷେପ କଣ ହେବ, ତାକୁ ନେଇ ଲାଗିରହିଥିବା ସସପେନ୍ସ ଦୂର ହୋଇଛି । ଏକ ପ୍ରେସ ବିବୃତି ଜାରି କରି ବିଜେଡି କହିସାରିଛି ଯେ, ଏହା ଏକ ସାମ୍ବିଧାନିକ ଉତ୍ସବ । ଏଥିରେ ରାଜନୀତି ହେବା ଉଚିତ୍ ନୁହେଁ ବୋଲି ଦଳ ଅନୁଭବ କରୁଛି ।

ବିଜୁ ଜନତା ଦଳର ନେତା ଅମର ଶତପଥୀ କହିଛନ୍ତି, ଆମେ ସବୁବେଳେ ପ୍ରସଙ୍ଗ ଭିତ୍ତିରେ କେନ୍ଦ୍ରକୁ ସମର୍ଥନ ଦେଇଆସିଛୁ । ହେଲେ ବିଜେଡିର ଏଭଳି ଆଭିମୁଖ୍ୟକୁ ଗ୍ରହଣ କରିପାରି ନାହିଁ କଂଗ୍ରେସ । ବିଜେଡି ସମଦୂରତା କଥା କହୁଥିଲେ ବି ବିଜେପି ସହିତ ଭିତିରି ସଂପର୍କ ରହିଥିବା ଏଥିରୁ ସ୍ପଷ୍ଟ ହେଉଥିବା ଅଭିଯୋଗ କରିଛନ୍ତି ପିସିସି ସଭାପତି ।

ତେବେ ପାର୍ଲାମେଣ୍ଟ ଭବନ ଉଦ୍ଘାଟନକୁ ପ୍ରସଙ୍ଗ କରି ୨୦ରୁ ଅଧିକ ବିରୋଧୀ ଦଳ ଏକାଠି ହେଲେଣି । ୨୮ ତାରିଖ କାର୍ଯ୍ୟକ୍ରମକୁ ବର୍ଜନ କରିବା ପାଇଁ ନିଷ୍ପତି ନେଇଛନ୍ତି । ହେଲେ ନବୀନ ପଟ୍ଟନାୟକ ଓ ଜଗନମୋହନ ରେଡ୍ଡିଙ୍କ ସମର୍ଥନ ପାଇ ବିଜେପି ଖୁସିରେ ଗଦଗଦ ହୋଇପଡିଛି । ଦୁଇ ଦଳକୁ ଧନ୍ୟବାଦ ଦେଇଛନ୍ତି ବିଜେପି ନେତା, ଆଉ କଂଗ୍ରେସ ଉଦଘାଟନୀ ଉତ୍ସବରୁ ଦୂରେଇ ରହିବା ମୁର୍ଖାମୀ ବୋଲି ମତ ରଖିଛନ୍ତି ।

ବିଜେଡିର ଆଭିମୁଖ୍ୟକୁ କିନ୍ତୁ ଭିନ୍ନ ଦୃଷ୍ଟିରେ ଦେଖୁଛନ୍ତି ରାଜନୀତି ସମୀକ୍ଷକ । ନୀତୀଶ କୁମାର ନବୀନଙ୍କୁ ଭେଟିବାର ଦିନକ ପରେ ଦିଲ୍ଲୀ ଚାଲିଗଲେ ମୁଖ୍ୟମନ୍ତ୍ରୀ । ରାଜ୍ୟ ସ୍ୱାର୍ଥ ପ୍ରସଙ୍ଗରେ ଦାବି ରଖିଥିବା ଗଣମାଧ୍ୟମକୁ ସୂଚନା ଦେଲେ । ହେଲେ ଏହା ପରବର୍ତୀ ପଦକ୍ଷେପ ରାଜ୍ୟ ବିଜେପିକୁ ଦ୍ୱନ୍ଦ୍ୱରେ ପକାଇବା ପାଇଁ ଯଥେଷ୍ଟ । କାରଣ ଜାତୀୟ ପ୍ରସଙ୍ଗରେ ବିଜେପିକୁ ସମର୍ଥନ ଦେଉଥିବା ବିଜେଡି ସହିତ, ସମ୍ମୁଖ ଲଢେଇ କରିବା ରାଜ୍ୟ ବିଜେପି ୟୁନିଟ ପାଇଁ ସହଜ ହୋଇନପାରେ ।

କୁହାଯାଉଛି ନୂଆ ପାର୍ଲାମେଣ୍ଟ ଭବନ ଉଦଘାଟନୀକୁ ନେଇ ତିଆରି ହେଉଥିବା ରାଜନୈତିକ ସମୀକରଣ ଜାତୀୟ ସ୍ତରରେ ରାଜନୈତିକ ଦୃଶ୍ୟପଟକୁ ସ୍ପଷ୍ଟ କରୁଛି । ଦିଲ୍ଲୀ ସରକାରଙ୍କ କ୍ଷମତା ହରଣ ପାଇଁ କେନ୍ଦ୍ର ସରକାର ଆଣିଥିବା ଅଧ୍ୟାଦେଶ ସପକ୍ଷରେ ମଧ୍ୟ ମୋଦୀଙ୍କୁ ଜଗନମୋହନ ଓ ନବୀନଙ୍କ ସମର୍ଥନ ମିଳିପାରେ ବୋଲି ଚର୍ଚ୍ଚା ଜୋରଦାର ହୋଇଛି ।