କନକ ବ୍ୟୁରୋ : କାଲି ଚାଷୀଙ୍କୁ ମାଓବାଦୀ ଭଳି ବ୍ୟବହାର କଲେ ଆଜି ଚାଷୀଙ୍କୁ ପୁଂଜିପତି ଓ ମାଫିଆ କହିଲେ । ନବନିର୍ମାଣ କୃଷକ ସଂଗଠନର ସତ୍ୟାଗ୍ରହକୁ ସରକାର ଭଣ୍ଡୁର କରିବା ପରେ ଆଜି ସରକାରୀ ଦଳ ଦେଇଛି ବିତର୍କିତ ବୟାନ୍ । କହିଛି, ଚାଷୀ ସମାବେଶର ନେତୃତ୍ୱ ନେଉଥିବା ଲୋକ ପୁଂଜିପତି ଓ ଖଣି ମାଫିଆ ।

Advertisment

କାଲି ଗଣତନ୍ତ୍ରକୁ ହତ୍ୟା କଲେ ଆଉ ଆଜି ନିଜ ଅଧିକାର ମାଗିବାକୁ ରାଜଧାନୀ ଆସିଥିବା ଚାଷୀଙ୍କୁ ମାଫିଆ ବୋଲି ସମ୍ବୋଧନ କଲେ । ଇଏ ହେଉଛି ସେହି ସରକାର ଯିଏ ଜାତୀୟ ସ୍ତରରେ କୃଷି ଓ କୃଷକଙ୍କୁ ନେଇ ଗର୍ବ କରେ । ଇଏ ହେଉଛି ସେହି ସରକାର ଯିଏ କୃଷକଙ୍କ ଭୋଟକୁ ଆୟୁଧ କରି ସରକାର ଗଢେ । ହେଲେ ଚାଷୀ ଯେତେବେଳେ ହକ୍ ମାଗେ , ତା ପରିଚୟ ବଦଳାଇ ଦିଏ । ଆଉ କହେ ରାଜଧାନୀକୁ ଆସିଥିବା ଚାଷୀ, ଚାଷୀ ନୁହଁନ୍ତି ବରଂ ଛଦ୍ମବେଶୀ । ଏମାନେ ସମସ୍ତେ ପୁଞ୍ଜିପତି ଓ ଖଣି ମାଫିଆ ।

କିଏ ଅଧିକାର ମାଗି ପୋଲିସର ଲାଠି ଖାଇଲା ତ କିଏ ଗୁଳି ଭୟରେ ଭୋକ ଉପାସରେ ରାଜଧାନୀର ଗଳିକନ୍ଦିରେ ଲୁଚି ରହିଲା । ଆଉ କିଏ ନିଜ ଅଂଚଳରେ ପଡିଗଲା ପୋଲିସର ନାକାବନ୍ଦୀ ଭିତରେ । ଏସବୁ ଭିତରେ ନବୀନ୍ ସରକାରଙ୍କ ଅସହାୟତାକୁ ଦେଖି ସବୁ ବୁଝି ଯାଇଥିଲେ, ଏକ ଛତ୍ରବାଦ୍ ଶାସନରେ ସତ୍ୟାଗ୍ରହ ଆଇନ୍ ବିରୁଦ୍ଧ ।

ସେପଟେ ବିଜେଡି ବିଧାୟକଙ୍କ ଏଭଳି ବିବାଦୀୟ ମନ୍ତବ୍ୟକୁ ନେଇ ଗୃହ ଉଠିଲା ପଡିଲା । ବିରୋଧୀ ଦଳ ନେତାଙ୍କ ଠାରୁ ଆରମ୍ଭ କରି ବିଧାୟକମାନେ ଗୃହରେ ହଟ୍ଟଗୋଳ କରିଥିଲେ । ବିରୋଧୀ ଦଳ ନେତା ନରସିଂହ ମିଶ୍ର କହିଲେ ସରକାର କାମଳ ରୋଗୀ । ତେଣୁ ଚାଷୀଙ୍କୁ ଚିହ୍ନି ପାରୁ ନାହାଁନ୍ତି ।

ପ୍ରାଇସ୍ ପ୍ରେଷ୍ଟିଜ୍ ଓ ପେନସନ୍ ପାଇଁ ସାରା ଓଡିଶାର ଚାଷୀ ଏକାଠି ହୋଇଛନ୍ତି । ହେଲେ ନିଜକୁ କୃଷକର ଦଳ କହୁଥିବା ବିଜେଡି ଓ ନିଜକୁ କୃଷକ ନେତା ବୋଲାଉଥିବା ମୁଖ୍ୟମନ୍ତ୍ରୀ ନବୀନ୍ ପଟ୍ଟନାୟକ ଚାଷୀଙ୍କୁ ନ ଚିହ୍ନିପାରିବା ନିଶ୍ଚୟ ଭାବେ ପରିତାପର ବିଷୟ ।