ଲୋୟର ସୁକତେଲକୁ ନେଇ ରାଜନୀତି ଜୋର । ଥାନାରେ ଏତଲା, ବିଜେଡି-କଂଗ୍ରେସ ଭିତରେ ବୟାନବାଜି ।

254

କନକ ବ୍ୟୁରୋ: ବଲାଙ୍ଗୀରର ଜୀବନ ରେଖା କୁହାଯାଉଥିବା ଲୋୟର ସୁକତେଲ ପ୍ରକଳ୍ପକୁ ଗତ ୩ତାରିଖରେ ଉଦଘାଟନ କରିଥିଲେ ମୁଖ୍ୟମନ୍ତ୍ରୀ । କିନ୍ତୁ ଉଦଘାଟନ ଦିନ ସଭାମଞ୍ଚରୁ ବଲାଙ୍ଗୀର ବିଧାୟକ ନରସିଂହ ମିଶ୍ର, ସିଧାସଳଖ କେତେକ ପ୍ରଶ୍ନ ଉଠାଇବା ପରେ, ଜାରି ରହିଛି ବିଜେଡି-କଂଗ୍ରେସ ବୟାନବାଜି । ଆଉ ଏହି ବୟାନବାଜି ବଲାଙ୍ଗୀର ରାଜନୀତିକୁ ସରଗରମ କରିଛି ।

ମୁଖ୍ୟମନ୍ତ୍ରୀଙ୍କ ଉପସ୍ଥିତିରେ ସଭାମଞ୍ଚରୁ ନରସିଂହ କହିଥିବା କେଇପଦ କଥା, ବଲାଙ୍ଗୀର ରାଜନୀତିକୁ ଉଷ୍ଣ କରି ରଖିଛି । ସୁକତେଲ ପ୍ରକଳ୍ପ ଉଦଘାଟନକୁ ଏହା ଭିତରେ ସପ୍ତାହେ ବିତିଲାଣି, କିନ୍ତୁ କଂଗ୍ରେସ ଓ ବିଜେଡି ମଧ୍ୟରେ ଜାରି ରହିଛି କଥା କଟାକଟି । ଡ୍ୟାମକୁ ନେଇ ଶ୍ରେୟ ନେବାକୁ କେହି ସୁଯୋଗ ହାତଛଡା କରିବାକୁ ଚାହୁଁନାହାନ୍ତି । ବିଜେଡି ନେତା କଂଗ୍ରେସକୁ କଟାକ୍ଷ କରି କହିଛନ୍ତି, ବିରୋଧୀ ବିକାଶକୁ ସହିପାରୁନାହାନ୍ତି କି ବିକାଶ କରେଇ ଦେଉନାହାନ୍ତି । ଅଯଥା ଶସ୍ତା ରାଜନୀତି କରୁଛନ୍ତି ।

ତେବେ କଥା କେବଳ ବୟାନବାଜିରେ ଅଟକିନି । ନରସିଂହ ମିଶ୍ର ଭାଷଣରେ କହିଥିବା ଭଡାଟିଆ ଶବ୍ଦକୁ ନେଇ ବିଜେଡି ମହିଳା ମୋର୍ଚ୍ଚା ପକ୍ଷରୁ ଆପତ୍ତି ଉଠା ଯାଇଛି । ସେ ମହିଳାଙ୍କ ସମ୍ମାନ ହାନୀ କରିଥିବା ନେଇ ଏସପି ଓ ଜିଲ୍ଲାପାଳଙ୍କ ନିକଟରେ ବିଜେଡି ମହିଳା ମୋର୍ଚ୍ଚା ପକ୍ଷରୁ ଲିଖିତ ଅଭିଯୋଗ କରାଯାଇଛି । ବିଜେଡିର ଅଭିଯୋଗ ପରେ, ପାଲଟା ଆକ୍ରମଣ କରିଛି କଂଗ୍ରେସ । ନିର୍ବାଚନ ସମୟରେ ଭୋଟରଙ୍କୁ ପ୍ରଲୋଭିତ କରିବା ସହ ଭୁଆଁ ବୁଲାଉଛନ୍ତି ବୋଲି ଅଭିଯୋଗ କରିଛନ୍ତି ସମରେନ୍ଦ୍ର ମିଶ୍ର । ହେଲେ ନିର୍ବାଚନ ପାଖେଇ ଆସୁଥିବାବେଳେ ବଲାଙ୍ଗୀରର ଦୁଇ ପ୍ରତିଦ୍ୱନ୍ଦୀ ବିଜେଡି ଓ କଂଗ୍ରେସର ଆରୋପ ପ୍ରତ୍ୟାରୋପ ସ୍ଥାନୀୟ ରାଜନୀତିକୁ ସରଗରମ କରିଛି ।