ଓଡ଼ିଶା ରାଜନୀତି ଦେଖିବ କି ବିଜେଡି-କଂଗ୍ରେସ ମେଣ୍ଟ? ଦାମ କହିଲେ, ବିଜେପି ଶତ୍ରୁ କଂଗ୍ରେସ ନୁହେଁ

66

କନକ ବ୍ୟୁରୋ : ରାଜ୍ୟ ରାଜନୀତିରେ ନୂଆ ସମୀକରଣ ନେଇ ବିଜେଡି ଉପସଭାପତି ଦାମୋଦର ରାଉତଙ୍କ ବିସ୍ପୋରକ ବୟାନ । ବିଜେପି ଶତ୍ରୁ କଂଗ୍ରେସ ନୁହେଁ ବୋଲି କହିଛନ୍ତି ଦାମୋଦର ରାଉତ । ବିଜେଡି ସହ କଂଗ୍ରେସ ମିଶିଲେ ସ୍ୱାଗତ କରାଯିବ ବୋଲି ଦାମ ରାଉତ କହିଛନ୍ତି । ଦଳମତ ନିର୍ବିଶେଷରେ ସମସ୍ତ ଅଣବିଜେପି ଦଳ ଏକାଠି ହେବା ଉଚିତ ବୋଲି ସେ କହିଛନ୍ତି । ବିଜେପି ମିଶନ ୧୨୦ର ଦିବାସ୍ୱପ୍ନ ଦେଖୁଛି । ବିଜେପି ଭଳି ସାଂପ୍ରଦାୟିକ ଦଳକୁ ରୋକିବାକୁ ସବୁ ବିରୋଧୀ ଦଳଙ୍କୁ ଏକାଠି ଲଢିବାକୁ ଦାମ ଆହ୍ୱାନ କରିଛନ୍ତି । ଏପରିକି କଂଗ୍ରେସ କେଉଁ ଆସନରେ ଜିତିବ ସେ ନେଇ ପ୍ରସ୍ତାବ ଦେଉ ବୋଲି ଦାମ କହିଛନ୍ତି । ତେବେ କଂଗ୍ରେସ ସହ ମେଣ୍ଟ ନେଇ ଶେଷ ନିଷ୍ପତି ବିଜେଡି ସୁପ୍ରିମୋ ନବୀନ ନେବେ ବୋଲି ଦାମ ସ୍ପଷ୍ଟ କରିଛନ୍ତି ।

ସେପଟେ କଂଗ୍ରେସର ବରିଷ୍ଠ ନେତା ପ୍ରଦୀପ ମାଝୀ କହିଛନ୍ତି ୨୦୧୯ ନିର୍ବାଚନ ବହୁତ ବିଳମ୍ବ ଅଛି । ଏବେ ମେଂଟ ନେଇ ଚିନ୍ତା କରିବାର ସମୟ ଆସିନାହିଁ । ଏହା ଦାମଙ୍କର ନିଜସ୍ୱ ମତ ।

ବିଜେପିକୁ ଅଟାଇବା ପାଇଁ କଂଗ୍ରେସ ହାତ ଧରିବାକୁ ବିଜେଡି ପ୍ରସ୍ତୁତ ବୋଲି କହିବା ପରେ ଗୋଟିଏ ପ୍ରଶ୍ନ ଆସୁଛି । ଏ ପ୍ରସ୍ତାବ କିଏ ଆଗକୁ ବଢାଇବ । ବିଜେଡି ନା କଂଗ୍ରେସ । ପାରମ୍ପରିକ ପ୍ରତିଦ୍ୱନ୍ଦୀ କଂଗ୍ରେସ ଓ ବିଜେଡି କଣ ଏକାଠି ହେବେ ? ବିଜେପିକୁ ଅଟକାଇବା ପାଇଁ ବିହାରରେ ଜେଡିୟୁ ,କଂଗ୍ରେସ, ଆରଜେଡି ମଧ୍ୟରେ ମେଂଟ ହୋଇ ସଫଳ ହୋଇଥିଲା । କିନ୍ତୁ ପରବର୍ତୀ ପରିସ୍ଥିତିରେ ସ୍ଥିତି ଅଲଗା ହୋଇଥିଲା । ଉତରପ୍ରଦେଶରେ ବି ସମାନ ପରିସ୍ଥିତି ଉପୁଜୁଥିଲା । ବିଜେପି ବିରୋଧରେ ମେଂଟ କରିଥିଲେ ସମାଜବାଦୀ ପାର୍ଟି ଓ କଂଗ୍ରେସ । କିନ୍ତୁ ଏଥିରେ ସାମିଲ ହୋଇନଥିଲା ବିଏସପି । ତେବେ ଏସବୁ ଭିତରେ ଓଡ଼ିଶାରେ ମେଣ୍ଟକୁ ନେଇ ଆରମ୍ଭ ହୋଇଥିବା ଚର୍ଚ୍ଚାରେ କେବେ ପୂର୍ଣ୍ଣଛେଦ ପଡୁଛି ତାହା ଦେଖିବାକୁ ବାକି ରହିଲା ।