ମୁଖ୍ୟ ନିର୍ବାଚନ ଅଧିକାରୀଙ୍କ ନିକଟରେ ଫେରାଦ ହେଲା ବିଜେଡି । ନିର୍ଦ୍ଦିଷ୍ଟ ଗଣମାଧ୍ୟମ ଚ୍ୟାନେଲର କର୍ମଚାରୀ ଟଙ୍କା ବାଣ୍ଟୁଥିବା ଅଭିଯୋଗ ।

147

କନକ ବ୍ୟୁରୋ: ଲେଲିନ ମହାନ୍ତିଙ୍କ ନେତୃତ୍ୱରେ ବିଜେଡି ଆଜି ମୁଖ୍ୟ ନିର୍ବାଚନ ଅଧିକାରୀ ନିକଟରେ ଫେରାଦ ହୋଇଛି । ବିଜେଡି ଅଭିଯୋଗ କରିଛି ଯେ, ଅବାଧ ଓ ନିରପେକ୍ଷ ନିର୍ବାଚନ ହେବା ପାଇଁ ସେ ଆଶା ରଖିଥିଲେ । ହେଲେ ବିଜେପି କିନ୍ତୁ ତାର ଏଜେନ୍ସି ଏବଂ ଏକ ନିର୍ଦ୍ଦିଷ୍ଟ ଗଣମାଧ୍ୟମ ଚ୍ୟାନେଲ ଦ୍ୱାରା ଟଙ୍କା ବାଣ୍ଟୁଛି, ଆଉ ଭୋଟର ଙ୍କୁ ପ୍ରଭାବିତ କରୁଛି ।

ନିର୍ଦ୍ଦିଷ୍ଟ ଚ୍ୟାନେଲଟି ନୀତି ନୈତିକତା ଭୁଲି ନିର୍ବାଚନ ପ୍ରକ୍ରିୟା ଭିତରେ ଟଙ୍କା ବାଣ୍ଟୁଛନ୍ତି । ସଂସ୍ଥାର ଜଣେ କର୍ମଚାରୀ ପଦ୍ମପୁରରେ ଟଙ୍କା ବାଣ୍ଟୁ ଥିବାର ଭିଡିଓ ପ୍ରମାଣ ବିଜେଡି ସିଇଓଙ୍କ ନିକଟରେ ଦାଖଲ କରିଛି । ତେବେ ଏହି ଘଟଣାକୁ ତଦନ୍ତ କରି ଲୋକଲୋଚନକୁ ଆଣି ଉପଯୁକ୍ତ କାର୍ଯ୍ୟାନୁଷ୍ଠାନ ପାଇଁ ଦାବି କରିଛି ଦଳ । ସୂଚନାଯୋଗ୍ୟ ଯେ, ଗତକାଲି ବି ବିଜେଡି ଏହି ଘଟଣାରେ ସିଇଓଙ୍କ ନିକଟରେ ଫେରାଦ ହୋଇଥିଲା ।

ଅନ୍ୟପଟେ ଦ୍ୱିତୀୟ ଅଭିଯୋଗରେ ବିଜେଡି ଅଭିଯୋଗ କରିଛି ଯେ, ବିଜେପି କୃଷକ ମୋର୍ଚ୍ଚାର ସାଧାରଣ ସମ୍ପାଦକ ସୁଧୀର ପାଟ୍ଟଯୋଶୀ ଟଙ୍କା ବାଣ୍ଟୁଥିବା ବେଳେ ଧରପଡିଛନ୍ତି । ତାଙ୍କର ବି ଭିଡିଓ ସିଇଓଙ୍କ ନିକଟରେ ଦାଖଲ କରିଛି ବିଜେଡି ।