କନକ ବ୍ୟୁରୋ : ବିଜେଡି କାର୍ଯ୍ୟକାରିଣୀ ବୈଠକରେ ବିରୋଧୀଙ୍କୁ ଟାର୍ଗେଟ । ରାଜ୍ୟ ସରକାରଙ୍କ ଟ୍ରାନଫରମେସନ ବିରୋଧୀଙ୍କୁ ଗୋଟିଏ ବଡ ଝଟକା ବୋଲି ମୁଖ୍ୟମନ୍ତ୍ରୀ କହିଛନ୍ତି । ତେଣୁ ମିଛ ଅପପ୍ରଚାର କରି ବଦନାମ କରିବାକୁ ପ୍ରୟାସ ହେଉଛି କହିଛନ୍ତି ମୁଖ୍ୟମନ୍ତ୍ରୀ । ବିଜେଡି ସୁପ୍ରିମୋ ମୁଖ୍ୟମନ୍ତ୍ରୀ ଏପରି କହି ସିଧାସଳଖ ବିରୋଧୀଙ୍କୁ ଟାର୍ଗେଟ କରି ଏହାର ମୁକାବିଲା କରିବାକୁ ଦଳୀୟ ନେତାଙ୍କୁ ନିର୍ଦ୍ଦେଶ ଦେଇଛନ୍ତି । ତୃଣମୂଳ ସ୍ତରରେ ବିରୋଧୀଙ୍କ ମିଛ ଅପପ୍ରଚାରର ଦୃଢ଼ ମୁକାବିଲା କରିବାକୁ ହେବ ବୋଲି ସେ କହିଛନ୍ତି । ଏଥିପାଇଁ ସୋଶିଆଲ ମିଡିଆକୁ ଦଳ କରିବ ଅସ୍ତ୍ର ।

Advertisment

ନିର୍ବାଚନ ପୂର୍ବରୁ ଘରେ ଘରେ ବିକାଶର ବାର୍ତ୍ତାକୁ ପହଂଚାଇବାକୁ ହେବ । ଏହା ଦଳୀୟ କର୍ମୀଙ୍କୁ କହିଛନ୍ତି ନବୀନ ପଟ୍ଟନାୟକ । ଏଥିସହ ଆଗାମୀ ନିର୍ବାଚନ ପୂର୍ବରୁ ବିଜେଡି ମହିଳା ଏବଂ ଯୁବ ଭୋଟରଙ୍କ ଉପରେ ନଜର ରଖିଛି ଦଳ । ମୁଖ୍ୟମନ୍ତ୍ରୀ କହିଛନ୍ତି, ମହିଳାଙ୍କ ପ୍ରଥମ ପସନ୍ଦ ହେଉଛି ବିଜୁ ଜନତା ଦଳ । ମହିଳା ଓ ଯୁବ ବର୍ଗଙ୍କୁ ସଶକ୍ତ କରିବା ପାଇଁ ତଥା ରାଜ୍ୟର ଦ୍ରୁତ ଶିଳ୍ପାୟନ ସହିତ ନିଯୁକ୍ତି ଓ ଆତ୍ମନିଯୁକ୍ତି ସୁଯୋଗରର ସଂପ୍ରସାରଣ କରାଯାଇଛି । ପୁଂଜିନିବେଶରେ ଓଡିଶା ଲଗାତର ଭାବେ ଭାରତର ଶୀର୍ଷ ୩ଟି ରାଜ୍ୟ ଭିତରେ ରହିଥିବାରୁ ନବୀନ ସରକାରଙ୍କୁ ଧନ୍ୟବାଦ ଦେଇ ପ୍ରସ୍ତାବ ପାରିତ ହୋଇଛି । କ୍ରୀଡା ଭିତିଭୂମିର ବିକାଶ ଏବଂ ଆଇଟି କ୍ଷେତ୍ରରେ ଦୃତ ବିକାଶ କରି ଯୁବଶକ୍ତିର ଆକଂକ୍ଷାକୁ ପୂରଣ କରିବା ପାଇଁ ନବୀନ ସରକାର ନେଇଥିବା ବଳିଷ୍ଠ ପଦକ୍ଷେପକୁ କାର୍ଯ୍ୟକାରିଣୀରେ ପ୍ରଶଂସା କରାଯାଇଥିଲା । ଚାଷୀ ଓ ଚାଷର ଉନ୍ନତି ତଥା ଜଳସେଚନର ଅଭିବୃଦ୍ଧି ନବୀନ ସରକାରଙ୍କ ପ୍ରାଥମିକତା ଥିବାରୁ ନବୀନ ସରକାରଙ୍କୁ ଧନ୍ୟବାଦ ଦିଆଯାଇଥିଲା । ଅନୁସୁଚିତ ଜାତି ଓ ଜନଜାତି ତଥା ପଛୁଆ ବର୍ଗ, ସଂଖ୍ୟାଲଘୁଙ୍କ ପାଇଁ ନବୀନ ସରକାର ନେଇଥିବା ପଦକ୍ଷେପ ଓ କାର୍ଯ୍ୟକ୍ରମକୁ ଧନ୍ୟବାଦ ଦେଇ ପ୍ରସ୍ତାବ ପାରିତ ହୋଇଥିଲା । ଯୁବ ଛାତ୍ର ବିକାଶକୁ ପସନ୍ଦ କରୁଛନ୍ତି ବୋଲି ମୁଖ୍ୟମନ୍ତ୍ରୀ କହିଛନ୍ତି । ଏହି ବୈଠକରେ ୩୨ଟି ପ୍ରସ୍ତାବ ପାରିତ ହୋଇଛି । ଆମ ଓଡିଶା ନବୀନ ଓଡିଶା କାର୍ଯ୍ୟକମ ର ସଫଳ କାର୍ଯ୍ୟକାରିତା ପାଇଁ ସଂକଳ୍ପବଦ୍ଧ ହୋଇ କାମ କରିବାକୁ ନିଷ୍ପତ୍ତି ପାରିତ ହୋଇଛି । ଆମେ ଗଢ଼ିବା ନୂଆ ଓଡିଶା ଓ ସଶକ୍ତ ଓଡିଶା ଶପଥ ସହ ବୈଠକ ଶେଷ ହୋଇଛି ।

ନିର୍ବାଚନ ପାଖେଇ ଆସୁଥିବା ବେଳେ ପୁଣି ବିଜେଡି ଦୋହରାଇଲା କେନ୍ଦ୍ର ଅବହେଳା ପ୍ରସଙ୍ଗ । ସଂଘୀୟ ବ୍ୟବସ୍ଥାରେ ଓଡିଶା ଯେପରି ତାର ନ୍ୟାଯ୍ୟ ଦାବି ଯଥା ସ୍ୱତନ୍ତ୍ର ରାଜ୍ୟ ପାହ୍ୟା ଏପରିକି ସ୍ପେଶାଲ ଫୋକସ ଷ୍ଟେଟ ମାନ୍ୟତା ଦାବି ହାସଲ କରିବ ସେଥିପାଇଁ ଉଦ୍ୟମ ଜାରି ରହିବ ବୋଲି ବୈଠକରେ ନିଷ୍ପତ୍ତି ହୋଇଥିଲା । ଏହା ସହିତ ମହାନଦୀ ଓ ପୋଲାଭରମ ପ୍ରସଙ୍ଗରେ କେନ୍ଦ୍ରର ନୀରବତା ନେଇ ବୈଠକରେ ଦୁଃଖ ପ୍ରକାଶ କରାଯାଇଥିଲା । ଦାବି ପୂରଣ ପାଇଁ ଉଦ୍ୟମ ଅବ୍ୟାହତ ରହିବ ବୋଲି ଘୋଷଣା କରାଯାଇଛି । କୋଇଲା ରୟାଲଟି, ସେସ୍, ପ୍ରଦାନ କ୍ଷେତ୍ରରେ ଓଡିଶାର ଦାବୀ ପୂରଣ ସହିତ ଜାତୀୟ ରାଜପଥ ଓ ରେଳବାଇ କ୍ଷେତ୍ରରେ ବିକାଶ କାର୍ଯ୍ୟ ତ୍ୱରାନିତ କରିବା ଏବଂ ଗରିବ କେନ୍ଦୁପତ୍ର ତୋଳାଳିଙ୍କ ଉପରୁ ଜିଏସଟି ବୋଝ ଦୂର କରିବା । ଖାଉଟି ଦର ବୃଦ୍ଧି ଓ ଏହା ଯୋଗୁଁ ଘର ଚଳାଇବାରେ ମହିଳାମାନେ ସମ୍ମୁଖୀନ ହେଉଥିବା କଷ୍ଟକର ପରିସ୍ଥିତି ବିଷୟରେ ଆଲୋଚନା କରାଯାଇ ଏ ଦିଗରେ ଆବଶ୍ୟକ ପଦକ୍ଷେପ ନେବା ପାଇଁ କେନ୍ଦ୍ର ସରକାରଙ୍କୁ ଅନୁରୋଧ କରାଯିବ ।