୯ ଆସନରୁ ୮ ଆସନରେ ପ୍ରାର୍ଥୀ ବଦଳାଇଲା ଦଳ । ୪ ନୂଆ ମୁହଁଙ୍କୁ ମିଳିଲା ସୁଯୋଗ, ୪ ବିଧାୟକଙ୍କ ଟିକେଟ କଟିଲା ।

569

କନକ ବ୍ୟୁରୋ : ତୃତୀୟ ଓ ଚତୁର୍ଥ ପର୍ଯ୍ୟାୟ ନିର୍ବାଚନ ପାଇଁ ବଳକା ୧୯ଟି ଆସନରୁ ୯ଟି ଆସନ ପାଇଁ ପ୍ରାର୍ଥୀ ତାଲିକା ଘୋଷଣା କରିଥିବା ବେଳେ ୩ଟି ଲୋକସଭା ଆସନରୁ କଟକ ପାଇଁ ପ୍ରାର୍ଥୀ ଘୋଷଣା କରିଛି ବିଜେଡି । ତେବେ ସବୁଠୁ ଗୁରୁତ୍ୱପୂର୍ଣ୍ଣ କଥା ହେଲା, ଘୋଷଣା ହୋଇଥିବା ୯ଟି ଆସନରୁ ୮ଟି ଆସନରେ ପ୍ରାର୍ଥୀ ପରିବର୍ତ୍ତନ କରିଛି ଦଳ । କେବଳ ବସ୍ତାକୁ ବାଦ୍ ଦେଲେ ଅନ୍ୟ ଆସନ ଗୁଡିକରେ ପ୍ରାର୍ଥୀ ବଦଳାଇଛି ଦଳ ।

ଘୋଷଣା ହୋଇଥିବା ଆସନରୁ ଅଧିକାଂଶ ଆସନରେ ପ୍ରାର୍ଥୀ ପରିବର୍ତ୍ତନ କରିଛି ବିଜେଡି । ବେଗୁନିଆ ବିଧାୟକ ଥିବା ପ୍ରଶାନ୍ତ ଜଗଦେବଙ୍କୁ ଚିଲିକା ଆସନରୁ ଦଳ ପ୍ରାର୍ଥୀ କରିଛି । ସେହିଭଳି ବେଗୁନିଆ ଆସନରେ ଦଳ ଖୋର୍ଦ୍ଧା ବିଧାୟକ ରାଜେନ୍ଦ୍ର ସାହୁଙ୍କୁ ପ୍ରାର୍ଥୀ କରିଛି । ଅର୍ଥମନ୍ତ୍ରୀ ଥିବା ଶଶିଭୂଷଣଙ୍କ ସ୍ଥ୍ାନରେ ଦଳ ପୁଣିଥରେ ଜୟଦେବ ଆସନରେ ଅରବିନ୍ଦ ଢାଲିଙ୍କ ଉପରେ ଦଳ ଭରସା କରିଛି । ସେହିଭଳି ବରୀ ଆସନରେ ଦେବାଶିଷ ନାୟକଙ୍କ ସ୍ଥାନରେ ସୁନନ୍ଦା ଦାଶଙ୍କୁ ଦଳ ପ୍ରାର୍ଥୀ କରିଛି ।

ଅନ୍ୟପଟେ ଖୋର୍ଦ୍ଧା ଆସନରେ ଜିତୁ ମିତ୍ର, ମୋରଡାରେ ରାଜକିଶୋର ଦାସଙ୍କୁ ଦଳ ପ୍ରାର୍ଥୀ କରିଛି । ଦେବଗଡରୁ ରୋମାଞ୍ଚ ରଞ୍ଜନ ବିଶ୍ୱାଳ, ରାଇରଙ୍ଗପୁରରୁ ବାସନ୍ତୀ ମାରାଣ୍ଡିଙ୍କୁ ଦଳ ମୈଦାନକୁ ଓହ୍ଲାଇଛି । ସବୁଠୁ ବଡ କଥା ହେଉଛି ଏହି ୯ ଆସନରୁ ୪ ବିଧାୟକଙ୍କ ଟିକେଟ ବିଜେଡି ସୁପ୍ରିମୋ କାଟିଥିବା ବେଳେ ୪ ନୂଆମୁହଁଙ୍କୁ ସୁଯୋଗ ଦେଇଛି ଦଳ । ତେବେ ଏହି ନୂଆ ରଣନୀତି ଦଳକୁ କେତେ ଫାଇଦା ଦେଉଛି ତାହା ଆଗାମୀ ଦିନରେ ସଷ୍ଟ ହୋଇଯିବ ।