ପେଟ୍ରୋଲ, ଡିଜେଲ ଦରବୃଦ୍ଧି ଓ ମହଙ୍ଗା ପ୍ରସଙ୍ଗକୁ ନେଇ ରାସ୍ତାକୁ ଓହ୍ଲାଇଲା ବିଜେଡି । ସାଇକେଲ ଓ ଘୋଡ଼ାଗାଡ଼ିରେ ଶୋଭାଯାତ୍ରା ।

113

କନକ ବ୍ୟୁରୋ : ମମିତାଙ୍କୁ ନ୍ୟାୟ ଦାବିରେ ବିରୋଧୀ ରାସ୍ତାକୁ ଓହ୍ଲାଇଛନ୍ତି । ସେପଟେ ଦରଦାମ ବୃଦ୍ଧି ପ୍ରତିବାଦରେ ରାସ୍ତାକୁ ଓହ୍ଲାଇଛି ବିଜେଡି । ଘୋଡା ଗାଡି ଓ ସାଇକେଲରେ ଶୋଭାଯାତ୍ରା କରି ରାଜଭବନ ଆଗରେ ପହଞ୍ଚିଥିଲେ ବିଜେଡି କର୍ମୀ । ରାଜଭବନ ଆଗରେ ଚୁଲି ଜାଳି ରୋଷେଇ କରି ପ୍ରତିବାଦ କରିଛି ବିଜେଡି ।

ଗୋଟିଏ ପଟେ ମମିତା ମେହେର ମୃତ୍ୟୁ ଘଟଣାରେ ମନ୍ତ୍ରୀ ଦିବ୍ୟଶଙ୍କର ମିଶ୍ରଙ୍କୁ ଟାର୍ଗେଟ କରୁଛି ବିରୋଧୀ, ଆଉ ଏପଟେ ପେଟ୍ରୋଲ ଦର ଓ ମହଙ୍ଗା ମାଡକୁ ମୁଦ୍ଦା କରି ରାସ୍ତାକୁ ଓହ୍ଲାଇଛି ବିଜେଡି । ସାଇକେଲ ଓ ଘୋଡାଗାଡିରେ ଶୋଭାଯାତ୍ରା କରି ଦଳ କହିବାକୁ ଚାହୁଁଛି ମୋଦି ସରକାରଙ୍କ ନୀତି ପାଇଁ ଆଉ ଗାଡି ଚଳାଇହେବନାହିଁ । ଏପଟେ ରାଜଭବନ ସମ୍ମୁଖରେ ଗ୍ୟାସ ଟାଙ୍କି ରଖି ଚୁଲି ଜାଳି ବିଜେଡି କର୍ମୀ ପ୍ରତିବାଦ କରିଛନ୍ତି ।

ସାଇକେଲ ଶୋଭାଯାତ୍ରା କରି ବିଜୁ ଯୁବ ଓ ମହିଳା ବିଜେଡି କର୍ମୀ ଦଳୀୟ କାର୍ଯ୍ୟାଳୟରୁ ରାଜଭବନ ପର୍ଯ୍ୟନ୍ତ ଯାଇଥିଲେ । ସେଠାରେ ବିକ୍ଷୋଭ ପ୍ରଦର୍ଶନ କରାଯାଇଥିଲା । ଏହା ପରେ ଏକ ପ୍ରତିନିଧି ଦଳ ରାଜଭବନ ଯାଇ ରାଜ୍ୟପାଳଙ୍କୁ ଭେଟି ରାଷ୍ଟ୍ରପତିଙ୍କ ଉଦ୍ଦେଶ୍ୟରେ ସ୍ମାରକ ପତ୍ର ଦେଇଛନ୍ତି । ଦର ବୃଦ୍ଧି ପାଇଁ କେନ୍ଦ୍ରରେ ବିଜେପି ସରକାରଙ୍କୁ ଦାୟୀ କରିଛିି ବିଜୁ ଜନତା ଦଳ । ଆଗକୁ ପଞ୍ଚାୟତ ନିର୍ବାଚନ । ଆଉ ଏହି ସମୟରେ ଆଇନଶୃଙ୍ଖଳାକୁ ଢାଲ କରିଛି ବିରୋଧୀ । ଆଉ ବିଜେଡି ତେଲ ଓ ମହଙ୍ଗାମାଡକୁ ନେଇ ଆନ୍ଦୋଳନ ଆରମ୍ଭ କରିଛି ।