କନକ ବ୍ୟୁରୋ: ଚାଲିଛି ପଞ୍ଚାୟତ ନିର୍ବାଚନ ଭୋଟ୍ ଗଣତି । ଆଉ ସନ୍ଧ୍ୟା ସାଢେ ୬ଟା ସୁଦ୍ଧା ଥିବା ଟ୍ରେଣ୍ଡ ଅନୁସାରେ ଅନୁଗୁଳ ଜିଲ୍ଲାର ୮ଟି ଜିଲ୍ଲା ପରିଷଦ ଜୋନରେ ବିଜେଡି ପ୍ରାର୍ଥୀ ଆଗୁଆ ଚାଲୁଛନ୍ତି । ବର୍ତ୍ତମାନ ସୁଦ୍ଧା ମୋଟ୍ ୮ଟି ଜିଲ୍ଲା ପରିଷଦ ଆସନ ପାଇଁ ଭୋଟ୍ ଗଣତି ଚାଲୁଥିବାବେଳେ, ସମସ୍ତ ଆସନରେ ଶାସକ ଦଳର ପ୍ରାର୍ଥୀଙ୍କ ପ୍ରାଧାନ୍ୟ ଦେଖିବାକୁ ମିଳିଛି ।
ପଞ୍ଚାୟତ ଫଇସଲା : ପ୍ରାରମ୍ଭିକ ଟ୍ରେଣ୍ଡରେ ଅନୁଗୁଳରେ ବିଜେଡି ବହୁ ଆଗରେ । ଆଜି ଗଣତି ହେଉଥିବା ୮ ଆସନରେ ଏଯାବତ ଏକାକୀ ବିଜେଡି ଆଗୁଆ । ଉଭୟ ବିଜେପି ଓ କଂଗ୍ରେସ ଏବେ ବି ପଛରେ । #ElectionsWithKanakNews#PanchayatResults#PanchayatCounting#Odisha#KanakNewspic.twitter.com/SwNfKhwKqy
— Kanak News (@kanak_news) February 26, 2022
ତେବେ ଶନିବାର ଭୋଟ୍ ଗଣତି ଆରମ୍ଭ ହେବା ପରେ ଶାସକ ଦଳର ପ୍ରାର୍ଥୀମାନେ ଆଗୁଆ ରହିଥିଲେ । ସକାଳ ୧୧.୨୦ ବେଳକୁ ବିଜେଡି ପ୍ରାର୍ଥୀ ୫ଟି ସିଟରେ ଆଗୁଆ ଥିବାବେଳେ ୨ଟି ଜୋନରେ ବିଜେପି ପ୍ରାର୍ଥୀ ଆଗରେ ରହିଥିଲେ । ବିଶେଷକରି ଅନୁଗୁଳ, ଆଠମଲ୍ଲିକ, ବଅଁରପାଳ, କଣିହାଁ ଓ ତାଳଚେରରେ ବିଜେଡି ପ୍ରାର୍ଥୀ ଆଗୁଆ ଥିବାବେଳେ, ଏହି ସମୟରେ ଛେଣ୍ଡିପଦା ଓ କିଶୋରନଗରରେ ବିଜେପି ପ୍ରାର୍ଥୀ ଆଗରେ ରହିଥିଲେ ।
ହେଲେ ସମୟ ବଦଳିବା ସହିତ ଟ୍ରେଣ୍ଡ ମଧ୍ୟ ବଦଳିଥିଲା । ମଧ୍ୟାହ୍ନ ବେଳକୁ ଶାସକ ଦଳକୁ କଡା ଟକ୍କର ଦେଇଥିଲା ବିଜେପି । ୪ଟି ଲେଖାଏଁ ଜୋନରେ ଉଭୟ ବିଜେପି ଓ ବିଜେଡି ଆଗୁଆ ରହିଥିଲେ । ତେବେ ପ୍ରଥମେ ପ୍ରଥମେ କେବଳ ଛେଣ୍ଡିପଦା ଓ କିଶୋରନଗରରେ ଆଗୁଆ ଥିବା ବିଜେପି ମଧ୍ୟାହ୍ନ ବେଳକୁ ବଅଁରପାଳ ଓ ପାଲଲହଡାରେ ମଧ୍ୟ ଆଗୁଆ ହୋଇଥିଲା । ହେଲେ ସମୟ ଗଡିବା ସହିତ ବିଜେପି ପ୍ରାର୍ଥୀମାନେ ପଛୁଆ ହୋଇଯାଇଥିଲେ । ବର୍ତ୍ତମାନ ସନ୍ଧ୍ୟା ସାଢେ ୬ଟା ସୁଦ୍ଧା ଥିବା ଟ୍ରେଣ୍ଡ ଅନୁସାରେ ଅନୁଗୁଳରେ ୮ଟି ଜିଲ୍ଲା ପରିଷଦ ଜୋନ୍ ପାଇଁ ଗଣତି ଚାଲିଥିବାବେଳେ ସମସ୍ତ ଆସନରେ ବିଜେଡି ପ୍ରାର୍ଥୀମାନେ ଆଗୁଆ ଅଛନ୍ତି ।
ସୂଚନାଯୋଗ୍ୟ ଯେ, ଦୀର୍ଘ ଦିନ ହେଲା ଅନୁଗୁଳ ଜିଲ୍ଲା ବିଜେଡିର ଗଡ ହୋଇ ରହିଛି । ୨୦୦୭ରେ ସେଠାରେ କଂଗ୍ରେସ ହାତରେ ଥିଲା । ହେଲେ ୨୦୧୨ରେ ବିଜେଡି ୨୮ଟି ଆସନରୁ ୨୧ଟି ଆସନ ଜିତି ଜିଲ୍ଲା ପରିଷଦ ଅଧ୍ୟକ୍ଷ ପଦ ହାତେଇଥିଲା । ଏହାପରେ ୨୦୧୭ରେ ବିଜେଡିକୁ ଟକ୍କର ଦେଇଥିଲା ବିଜେପି । ଗତବର୍ଷ ବିଜେପି ଅନୁଗୁଳରେ ୧୨ଟି ଆସନ ଜିତି ବିଜେଡିକୁ କଡା ଟକ୍କର ଦେଇଥିଲା । ହେଲେ ଚଳିତ ଥର କିନ୍ତୁ ଉଭୟ ବିରୋଧୀ ବିଜେପି ଓ କଂଗ୍ରେସ ପଛରେ ପଡିଛନ୍ତି ।