୪ ରାଜ୍ୟସଭା ଆସନ ପାଇଁ ନାମାଙ୍କନ ଭରିଲେ ବିଜେଡି ପ୍ରାର୍ଥୀ । ନିର୍ବାଚନୀ ସତ୍ୟପାଠରେ ରଖିଲେ ସମ୍ପତ୍ତି ତାଲିକା । ସୁଜିତ କୁମାର ସବୁଠୁ ଧନୀ, ସୁବାସ ସିଂଙ୍କ ନାଁରେ ୧୧ ମାମଲା ।

288

କନକ ବ୍ୟୁରୋ: ରାଜ୍ୟସଭାର ୪ଟି ଆସନ ପାଇଁ ବିଜେଡିର ପ୍ରାର୍ଥୀ ନାମାଙ୍କନ ପତ୍ର ଦାଖଲ କରିଛନ୍ତି । ପ୍ରାର୍ଥୀପତ୍ର ଦାଖଲ ସମୟରେ ବିଜେଡିର ତୁଙ୍ଗ ନେତାଙ୍କ ସହ ଦଳର ସୁପ୍ରିମୋ ତଥା ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଉପସ୍ଥିତ ଥିଲେ । ଏହି ନିର୍ବାଚନରେ ୪ ଜଣ ଯାକ ବିଜେଡି ପ୍ରାର୍ଥୀଙ୍କ ବିଜୟ ପଥରେ କୌଣସି ବାଧା ନାହିଁ । ନିର୍ବାଚନୀ ସତ୍ୟପାଠ ଅନୁସାରେ ସୁଜିତ କୁମାର ସବୁଠୁ ଧନୀ ପ୍ରାର୍ଥୀ । ସୁବାସ ସିଂହଙ୍କ ନାଁରେ ରହିଛି ୧୧ଟି ମାମଲା । ଆଉ ବିଦେଶରୁ ମାଷ୍ଟର ଡିଗ୍ରୀ ହାସଲ କରିଛନ୍ତି ସୁଜିତ କୁମାର । ସେପଟେ ମୁନ୍ନା ଖାଁଙ୍କ ଶିକ୍ଷାଗତ ଯୋଗ୍ୟତା ହେଉଛି ଆନ୍ଧ୍ରରୁ ମାଟ୍ରିକ୍ ପାସ୍ ।

ବିଜେଡିର ୪ ଜଣ ରାଜ୍ୟସଭା ପ୍ରାର୍ଥୀ ନାମାଙ୍କନ ପତ୍ର ଦାଖଲ କରିଛନ୍ତି । ସମସ୍ତ ପ୍ରାର୍ଥୀ ରାଜ୍ୟସଭା ରିଟର୍ନିଂ ଅଫିସରଙ୍କ ନିକଟରେ ୨ଟି ଲେଖାଏଁ ସେଟ୍ ନାମାଙ୍କନ ପତ୍ର ଦାଖଲ କରିଛନ୍ତି । ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ସମେତ ଦଳର ବରିଷ୍ଠ ନେତା ଓ ମନ୍ତ୍ରୀ ପ୍ରାର୍ଥୀପତ୍ର ଦାଖଲ ସମୟରେ ଉପସ୍ଥିତ ଥିଲେ । ବିଜେପି ଏହି ନିର୍ବାଚନରୁ ଓହରି ଯାଇଥିବା ବେଳେ ସଂଖ୍ୟା ନଥିବାରୁ ନିରବ ରହିଛି କଂଗ୍ରେସ । ତେଣୁ ବିଜେଡିର ୪ ଜଣ ପ୍ରାର୍ଥୀ ରାଜ୍ୟସଭା ଯିବା ଏକପ୍ରକାର ନିଶ୍ଚିତ ।

୪ ରାଜ୍ୟସଭା ପ୍ରାର୍ଥୀ ଦାଖଲ କରିଥିବା ସତ୍ୟପାଠ

ସୁଜିତ କୁମାର
ବିଦେଶରେ ପାଠ ପଢ଼ିଥିବା ସୁଜିତ ଓ ତାଙ୍କ ପତ୍ନୀଙ୍କ ନାଁରେ ମୋଟ ଅସ୍ଥାବର ସଂପତ୍ତି ପରିମାଣ ହେଉଛି ୧ କୋଟି ୩୬ ଲକ୍ଷ ଟଙ୍କା
ସ୍ଥାବର ସଂପତ୍ତି ପରିମାଣ ହେଉଛି ୧ କୋଟି ୫୨ ଲକ୍ଷ ଟଙ୍କା
ସେହିପରି ସୁଜିତ ସତ୍ୟପାଠରେ ଦର୍ଶାଇଛନ୍ତି, ତାଙ୍କ ଉପରେ ରହିଛି ୭୫ ଲକ୍ଷ ଟଙ୍କାର ଋଣ
ସୁଜିତଙ୍କ ଶିକ୍ଷାଗତ ଯୋଗ୍ୟତା ହେଉଛି ଆମେରିକାର ହାବାର୍ଡ ୟୁନିଭରସିଟିରେ ପବ୍ଲିକ ଆଡମିନିଷ୍ଟ୍ରେସନ୍ରେ ମାଷ୍ଟର ଡିଗ୍ରୀ
ସେହିପରି ତାଙ୍କ ନାଁରେ କୌଣସି ଅପରାଧିକ ମାମଲା ନଥିବା ସତ୍ୟପାଠରେ ଦର୍ଶାଇଛନ୍ତି ସୁଜିତ ।

ସୁବାସ ସିଂହ
ସୁବାସ ଓ ତାଙ୍କ ପତ୍ନୀଙ୍କ ନାଁରେ ରହିଛି ପ୍ରାୟ ୧ କୋଟି ୮ ଲକ୍ଷ ଟଙ୍କାର ଅସ୍ଥାବର ସଂପତ୍ତି
ଓ ସ୍ଥାବର ସଂପତ୍ତି ଆକାରରେ ରହିଛି ୧ କୋଟି ୪ ଲକ୍ଷ ଟଙ୍କା
ସୁବାସଙ୍କ ନାଁରେ କୌଣସି ଋଣ ନଥିବା ବେଳେ ତାଙ୍କ ପତ୍ନୀଙ୍କ ନାଁରେ ରହିଛି ୧୨ ଲକ୍ଷ ଟଙ୍କାର ଋଣ
ସେପଟେ ଶିକ୍ଷାଗତ ଯୋଗ୍ୟତା ହେଉଛି  ଉତ୍କଳ ବିଶ୍ୱବିଦ୍ୟାଳୟରୁ ରାଜନୀତି ବିଜ୍ଞାନରେ ମାଷ୍ଟର ଡିଗ୍ରୀ ଓ ଆଇନରେ ସ୍ନାତକ ଡିଗ୍ରୀ
ତେବେ ସୁବାସଙ୍କ ନାଁରେ ରହିଛି ୧୧ଟି ଅପରାଧିକ ମାମଲା

ମୁଜିବୁଲ୍ଲା ଖାଁ ଓରଫ ମୁନ୍ନା ଖାଁ
ମୁନା ଖାଁ ଓ ତାଙ୍କ ପତ୍ନୀଙ୍କ ନାଁରେ ଥିବା ଅସ୍ଥାବର ସଂପତି ହେଉଛି ୭୩ ଲକ୍ଷ ଟଙ୍କା, ଆଉ
ସ୍ଥାବର ସଂପତ୍ତି ପରିମାଣ ହେଉଛି ୧ କୋଟି ୬୦ ଲକ୍ଷ ଟଙ୍କା
ତାଙ୍କ ପତ୍ନୀଙ୍କ ନାଁରେ ୧୪ ଲକ୍ଷ ଟଙ୍କା ଋଣ ଥିବା ଦର୍ଶାଇଛନ୍ତି ମୁନ୍ନା ଖାଁ
ଶିକ୍ଷାଗତ ଯୋଗ୍ୟତା ହେଉଛି ଆନ୍ଧ୍ର ୟୁନିଭରସିଟିରୁ ମାଟ୍ରିକ୍ ପାସ୍

ମମତା ମହନ୍ତ
ମମତା ଓ ତାଙ୍କ ସ୍ୱାମୀଙ୍କ ଅସ୍ଥାବର ସଂପତ୍ତି ହେଉଛି ୨୫ ଲକ୍ଷ ଟଙ୍କା
ମମତାଙ୍କ ନିଜ ନାଁ କୌଣସି ସ୍ଥାବର ସଂପତ୍ତି ନଥିବା ବେଳେ ତାଙ୍କ ସ୍ୱାମୀଙ୍କ ନାଁରେ ରହିଛି ୨୯ ଲକ୍ଷ ଟଙ୍କାର ସ୍ଥାବର ସଂପତ୍ତି
ମମତାଙ୍କ ଶିକ୍ଷାଗତ ଯୋଗ୍ୟତା ହେଉଛି ସ୍ନାତକ