ବିଜେଡି ପାଇଁ ବାଟ ଛାଡିଲା ବିଜେପି । ଏମସ ପରିଚାଳନା କମିଟି ନିର୍ବାଚନରେ ବାଜି ମାରିନେଲେ ଅମର ପଟ୍ଟନାୟକ ।

2,414

କନକ ବ୍ୟୁରୋ : ଭୁବନେଶ୍ୱର ଏମସ ପରିଚାଳନା କମିଟି ନିର୍ବାଚନରେ ମୁହାଁମୁହିଁ ହୋଇଥିଲେ ବିଜେପି ଓ ବିଜେଡି । ଫଳରେ ରୋଚକ ମୋଡ ନେଇଥିଲେ ରାଜନୀତି । ରାଜ୍ୟସଭା କୋଟାରୁ କମିଟି ସଦସ୍ୟ ପାଇଁ ମଇଦାନରେ ଥିଲେ ବ୍ୟୁରୋକ୍ରାଟରୁ ରାଜନେତା ପାଲଟିଥିବା ଦୁଇ ସାଂସଦ । ବିଜେଡିର ଅମର ପଟ୍ଟନାୟକ ଓ ବିଜେପିର ଅଶ୍ୱିନୀ ବୈଷ୍ଣବ । ହେଲେ ଶେଷରେ ବିଜୟୀ ହୋଇଥିଲେ ଅମର । କାରଣ ଶେଷ ମୁହୂର୍ତରେ ନିର୍ବାଚନରୁ ଓହରି ଯାଇଥିଲା ବିଜେପି । ପୂର୍ବରୁ ଲୋକସଭା କୋଟାରେ ବିଜେପି ସାଂସଦ ଅପରାଜିତା ଷଡଙ୍ଗୀ ଓ ବିଜେଡି ସାଂସଦ ଅନୁଭବ ମହାନ୍ତି, ଏମସ ପରିଚାଳନା କମିଟିକୁ ନିର୍ବାଚିତ ହୋଇଛନ୍ତି ।

ଭୁବନେଶ୍ୱର ଏମସ କମିଟିର ଏକମାତ୍ର ସଦସ୍ୟ ପଦ ପାଇଁ ମୁହାଁମୁହିଁ ହୋଇଥିଲେ ବିଜେଡି-ବିଜେପି । ରାଜ୍ୟସଭା କୋଟାରୁ ଏହି କମିଟିର ସଦସ୍ୟ ପାଇଁ ମଇଦାନରେ ଥିଲେ ବିଜେଡି ସାଂସଦ ଅମର ପଟ୍ଟନାୟକ ବନାମ ବିଜେପି ସାଂସଦ ଅଶ୍ୱିନୀ ବୈଷ୍ଣବ । ରାଜ୍ୟସଭାରେ ବିଜେଡିର ମାତ୍ର ୭ ଜଣ ସାଂସଦ ଥିବା ବେଳେ ଏନଡିଏର ସାଂସଦ ସଂଖ୍ୟା ଥିଲା ୧୦୨ । ସଂଖ୍ୟା ଦୃଷ୍ଟିରୁ ଅମର ପଟ୍ଟନାୟକଙ୍କ ବିଜୟ ଆଶା କମ୍ ଥିଲା । ହେଲେ ନିର୍ବାଚନର ଠିକ୍ ପୂର୍ବରୁ ବିଜେପି ସାଂସଦ ଅଶ୍ୱିନୀ ବୈଷ୍ଣବ ଓହରି ଯିବାରୁ ଅମରଙ୍କ ବିଜୟ ରାସ୍ତା ସଫା ହୋଇଯାଇଥିଲା ।

ସାଧାରଣ ନିର୍ବାଚନ ପରେ ଅନେକ ପ୍ରସଙ୍ଗରେ ଦୁଇ ଦଳ ଗୋଟିଏ ସରଳରେଖାରେ ଯାଉଥିବା ବେଳେ ଏମସ କମିଟି ନିର୍ବାଚନରେ ଅଡୁଆ ପରିସ୍ଥିତିର ସମ୍ମୁଖୀନ ହୋଇଥିଲେ । ବିଜେଡି ପ୍ରାର୍ଥୀ ଅମର ପଟ୍ଟନାୟକଙ୍କ ବିରୋଧରେ ମଇଦାନକୁ ବିଜେପି ପ୍ରାର୍ଥୀ ଅଶ୍ୱିନୀ ବୈଷ୍ଣବ ଓହ୍ଲାଇବାରୁ ରୋଚକ ମୋଡ ନେଇଥିଲା ରାଜନୀତି । ଦୁଇ ଜଣଙ୍କ ମଧ୍ୟରୁ କେହି ପ୍ରାର୍ଥୀପତ୍ର ପ୍ରତ୍ୟାହାର ନକରିବାରୁ ଏମସ ପରିଚାଳନା କମିଟି ନିର୍ବାଚନ ଅବଶ୍ୟମ୍ଭାବୀ ହୋଇପଡିଥିଲା । ତେବେ ଦୁଇ ଦଳ ମଧ୍ୟରେ ଆଲୋଚନା ହେବାପରେ ପ୍ରାର୍ଥୀପତ୍ର ପ୍ରତ୍ୟାହାର ପାଇଁ ରାଜି ହୋଇଥିଲେ ଅଶ୍ୱିନୀ । ହେଲେ ଧାର୍ଯ୍ୟ ସମୟ ସୀମା ଅତିକ୍ରମ ହୋଇଥିବାରୁ ଶୁକ୍ରବାର ହୋଇଥିଲା ମତଦାନ ।

ବିଜେପି, କଂଗ୍ରେସ ସମେତ ସମସ୍ତ ରାଜନୈତିକ ଦଳ ବିଜେଡି ପ୍ରାର୍ଥୀଙ୍କୁ ସମର୍ଥନ ହେବାରୁ ଅନାୟାସରେ ବିଜୟୀ ହୋଇଛନ୍ତି ଅମର ପଟ୍ଟନାୟକ । ଚର୍ଚ୍ଚା ହେଉଛି, ଏମସ କମିଟି ଭଳି ଅପେକ୍ଷାକୃତ କମ୍ ଗୁରୁତ୍ୱ ଥିବା ପ୍ରସଙ୍ଗରେ ବିଜେଡି ସହ ସିଧାସଳଖ ମୁକାବିଲା ଚାହିଁନଥିଲା ବିଜେପି । ସଂସଦର ଶୀତକାଳୀନ ଅଧିବେଶନରେ ଅନେକ ଗୁରୁତ୍ୱପୂର୍ଣ୍ଣ ବିଧେୟକ ଆସିବାକୁ ଥିବାରୁ ବିଜେଡିକୁ ବାଟ ଛାଡିଛି ଦଳ ।