କନକ ବ୍ୟୁରୋ: ଆସନ୍ତା ୩୦ ତାରିଖରେ ବିଜେପୁର ପାଇଁ ବିଜେଡି ପ୍ରାର୍ଥୀ ନାମାଙ୍କନ ଭରିବେ । ଆଜି ନବୀନ ନିବାସରେ ବରିଷ୍ଠ ନେତାଙ୍କ ବୈଠକ ପରେ ଦଳର ବରିଷ୍ଠ ନେତା ପ୍ରସନ୍ନ ଆଚାର୍ଯ୍ୟ ଏହି ସୂଚନା ଦେଇଛନ୍ତି । ନବୀନ ନିବାସରେ ବିଜେପୁର ନେଇ ବିଜେଡିର ବୈଠକ ବସିଥିଲା । ଏଥିରେ ସମ୍ଭାବ୍ୟ ପ୍ରାର୍ଥୀଙ୍କ ସମ୍ପର୍କରେ ଆଲୋଚନା କରାଯାଇଛି । ଦଳୀୟ ନେତାଙ୍କୁ ଦାୟିତ୍ୱ ଦିଆଯାଇଛି । ଆଶୀୟ ପ୍ରାର୍ଥୀଙ୍କ ତାଲିକା ଦଳୀୟ ସୁପ୍ରିମୋଙ୍କୁ ଦିଆଯାଇଛି । ବିଜେପୁର ପାଇଁ ଉପନିର୍ବାଚନ ତାରିଖ ଘୋଷଣା ହେବା ପରେ ବିଜେଡିରେ ଦ୍ୱିତୀୟ ଥର ଲାଗି ବୈଠକ ବସିଥିଲା । ବିଜେପୁରରେ ଆସନ୍ତା ଅକୋ୍ଟବର ୨୧ରେ ନିର୍ବାଚନ ଓ ୨୪ରେ ଫଳାଫଳ ଘୋଷଣା ହେବ ।
ତେବେ ବିଜେପୁର ଆସନରୁ ପ୍ରାର୍ଥୀ ହେବାକୁ ପୂର୍ବତନ ବିଧାୟିକା ରୀତା ସାହୁ ପ୍ରମୁଖ ଦାବିଦାର ଥିବା ବେଳେ ବରଗଡର ପୂର୍ବତନ ବିଜେଡି ସାଂସଦ ପ୍ରଭାସ କୁମାର ସିଂହ ଏହି ଆସନ ଲାଗି ଆଗ୍ରହ ପ୍ରକାଶ କରିଛନ୍ତି । ଏଥିପାଇଁ ପ୍ରଭାସ ସିଂହ ବିଜେଡି ସଭାପତି ନବୀନ ପଟ୍ଟନାୟକଙ୍କୁ ସାକ୍ଷାତ୍ କରି ଅନୁରୋଧ ମଧ୍ୟ କରିଛନ୍ତି । ପ୍ରଭାସ ବରଗଡ ଆସନରୁ ୨୦୧୪-୧୯ ପର୍ଯ୍ୟନ୍ତ ଲୋକସଭାରୁ ପ୍ରତିନିଧିତ୍ୱ କରୁଥିଲେ । ୨୦୧୯ ନିର୍ବାଚନରେ ତାଙ୍କୁ ଦଳ ପକ୍ଷରୁ ଟିକେଟ ମିଳିନଥିଲା । ତେବେ ମୁଖ୍ୟମନ୍ତ୍ରୀ ବିଜେପୁର ଆସନ ଛାଡିବା ପରେ ଉପନିର୍ବାଚନ ପାଇଁ ସେ ଲଢିବାକୁ ରାଜ୍ୟ ସଭାପତିଙ୍କୁ ଜଣାଇଛନ୍ତି ।
ବିଜେପୁର ଉପନିର୍ବାଚନ ତାରିଖ ଘୋଷଣା ପରେ ନାମାଙ୍କପତ୍ର ଦାଖଲ କରିବା ପ୍ରକ୍ରିୟା ଆରମ୍ଭ ହୋଇଛି । ନୀବନ ଏହି ଆସନରୁ କାହାକୁ ପ୍ରାର୍ଥୀ କରିବେ ଅନୁଧ୍ୟାନ କରୁଛନ୍ତି । ବିଜେପୁର ନିର୍ବାଚନ ପାଇଁ ଗଠିତ ସମନ୍ୱୟ କମିଟି ଇତିମଧ୍ୟରେ ତୃଣମୂଳ ସ୍ତରରେ ସର୍ଭେ ରିପୋର୍ଟ ଅନୁଧ୍ୟାନ କରି ନବୀନଙ୍କ ସମ୍ଭାବ୍ୟ ପ୍ରାର୍ଥୀ ତାଲିକା ଦେଇସାରିଛନ୍ତି । ତେବେ ଖୁବ୍ ଶୀଘ୍ର ବିଜେଡି ତାର ବିଜେପୁର ପ୍ରାର୍ଥୀଙ୍କ ନାଁ ଘୋଷଣା କରିବ ବୋଲି ଦଳ ପକ୍ଷରୁ କୁହାଯାଇଛି ।