ସ୍ପଷ୍ଟ ହେଉଛି ପିପିଲି ମଇଦାନ । ଉପନିର୍ବାଚନ ପାଇଁ ପ୍ରାର୍ଥୀ ଘୋଷଣା କଲା ବିଜେଡି । ପ୍ରଦୀପ ମହାରଥୀଙ୍କ ପୁଅ ରୁଦ୍ର ମହାରଥୀଙ୍କୁ ଟିକଟ ଦେଲା ଦଳ ।

149

କନକ ବ୍ୟୁରୋ: ବିଜେଡିରୁ ରୁଦ୍ର ପ୍ରତାପ ମହାରଥୀ, ବିଜେପିରୁ ଆଶ୍ରିତ ପଟ୍ଟନାୟକ, କଂଗ୍ରେସରୁ କିଏ? ପିପିଲି ଉପ-ନିର୍ବାଚନରେ କିଏ କାହା ବିରୁଦ୍ଧରେ ଲଢ଼ିବେ, ତାହା ସ୍ପଷ୍ଟ ହେବାରେ ଲାଗିଛି । ଉଭୟ ବିଜେଡି ଓ ବିଜେପି ପ୍ରାର୍ଥୀଙ୍କୁ ନେଇ ଯେଉଁ ଆକଳନ କରାଯାଉଥିଲା, ସେହି ଆକଳନ ଉପରେ ଦଳୀୟ ମୋହର ଲାଗିଛି । ବିଜେପି ରାଷ୍ଟ୍ରୀୟ ମହାସଚିବ ଅରୁଣ ସିଂହଙ୍କ ଘୋଷଣାର ଠିକ୍ ଗୋଟିଏ ଦିନ ପରେ ବିଜେଡି ପ୍ରାର୍ଥୀଙ୍କ ନାଁ ଘୋଷଣା କରିଛନ୍ତି ଦଳୀୟ ସୁପ୍ରିମୋ ନବୀନ ପଟ୍ଟନାୟକ ।

୭-୭ଥର ବିଧାୟକ ହୋଇଥିବା ଦିଗଙ୍ଗତ ନେତା ପ୍ରଦୀପ ମହାରଥୀଙ୍କ ପୁଅ, ରୁଦ୍ର ପ୍ରତାପ ମହାରଥୀଙ୍କ ଉପରେ ଆସ୍ଥା ରଖିଛି ବିଜେଡି । କାରଣ, ପ୍ରଦୀପ ମହାରଥୀଙ୍କ ଲୋକପ୍ରିୟତା ଏବଂ ମହାରଥୀ ପରିବାର ପ୍ରତି ଲୋକଙ୍କ ଥିବା ବିଶ୍ୱାସକୁ ପୁଣି ଥରେ ଭୋଟ୍ରେ ରୁପାନ୍ତରିତ କରିବା ପାଇଁ ରୁଦ୍ରଙ୍କୁ ସାମ୍ନାକୁ ଆଣିଛି ବିଜେଡି । ଅନ୍ୟପଟେ ଗତ ନିର୍ବାଚନରେ ବିଜେଡିକୁ କଡ଼ା ଟକ୍କର ଦେଇଥିବା ଆଶ୍ରିତ ପଟ୍ଟନାୟକଙ୍କୁ ପ୍ରାର୍ଥୀ କରିଛି ଭାରତୀୟ ଜନତା ପାର୍ଟି ।

ଏପଟେ କଂଗ୍ରେସ ତିନୋଟି ନାଁ ଅଜିତ ମଙ୍ଗରାଜ, ପୂର୍ଣ୍ଣ ସ୍ୱାଇଁ ଏବଂ ନୀଶିକାନ୍ତ ମିଶ୍ରଙ୍କ ଭିତରୁ ଜଣେ ପ୍ରାର୍ଥୀଙ୍କୁ ପ୍ରାର୍ଥୀ ଦେବ । ତେବେ ଚୁଡ଼ାନ୍ତ ଭାବେ କାହାକୁ ଟିକେଟ ମିଳିବ ସେ ନେଇ ୩୦ ତାରିଖ ପୂର୍ବରୁ ଜଣାପଡ଼ିବ । ସାରା ଦେଶରେ କଂଗ୍ରେସ ଭୋଟ୍ କମିଛି, କିନ୍ତୁ ପିପିଲିରେ ନିର୍ବାଚନ ଲଢ଼ିବା ଅଭିମୁଖ୍ୟ ନେଇ ନିର୍ବାଚନ ଲଢ଼ିବୁ ବୋଲି ପୂର୍ବରୁ କହି ସାରିଛନ୍ତି ପିସିସି ସଭାପତି ।

କଂଗ୍ରେସର ପ୍ରାର୍ଥୀଙ୍କ ନାଁ ଆସିବା ପୂର୍ବରୁ ବିଜେଡି ଓ ବିଜେପି ପ୍ରାର୍ଥୀଙ୍କ ନାଁ ଚୁଡ଼ାନ୍ତ ହୋଇଛି । ଆଉ ବଡ଼ କଥା ହେଉଛି- ୨୦୧୯ ସାଧାରଣ ନିର୍ବାଚନରେ ବିଜେପି ଓ ବିଜେଡି ମଧ୍ୟରେ କଡ଼ା ମୁକାବିଲା ହୋଇଥିଲା । ବିଜେଡି ପ୍ରାର୍ଥୀ ପ୍ରଦୀପ ମହାରଥୀ ୮୮ହଜାର ୫୧୮ ଭୋଟ୍ ପାଇଥିବା ବେଳେ ବିଜେପି ପ୍ରାର୍ଥୀ ଆଶ୍ରିତ ପଟ୍ଟନାୟକଙ୍କୁ ମିଳିଥିଲା ୭୨ ହଜାର ୭୩୧ ମୋଟ୍ । ଆଉ ଦୁଇ ପ୍ରାର୍ଥୀଙ୍କ ମଧ୍ୟରେ ଭୋଟ୍ ବ୍ୟବଧାନ ଥିଲା ୧୫ ହଜାର ୭୮୭ । ବିଜେପି ପ୍ରାର୍ଥୀ ୪୧.୬୨ ପ୍ରତିଶତ ଭୋଟ୍ ପାଇଥିବା ବେଳେ ବିଜେଡିକୁ ମିଳିଥିଲା ୫୦.୬୬ ପ୍ରତିଶତ ଭୋଟ ।

ବିଜେପି ପ୍ରାର୍ଥୀ ଆଶ୍ରିତ ପଟ୍ଟନାୟକ ପିପିଲି ହନୁମାନ ମନ୍ଦିରରେ ପୂଜାପାଠ କରି ଯାଇ ନାମାଙ୍କନ ଦାଖଲ କରିଥିବା ବେଳେ ଖୁବ୍ ଶୀଘ୍ର ନାମାଙ୍କନ ଦାଖଲ କରିବେ ରୁଦ୍ର ପ୍ରତାପ ମହାରଥୀ । ଆଉ ଏସବୁ ଭିତରେ ଆସନ୍ତା ଏପ୍ରିଲ ୧୭ ତାରିଖରେ ପିପିଲି ପାଇଁ ପଡ଼ିବ ଭୋଟ୍ । ଆଉ ମେ’ ୨ ତାରିଖରେ ଆସିବ ପିପିଲିର ଫଳାଫଳ ।