କନକ ବ୍ୟୁରୋ : ଟିକେଟ ଘୋଷଣା ପରେ ଏବେ ନେତା ନିର୍ବାଚନ ମଣ୍ଡଳି ମୁହାଁ । ଗତକାଲି ପର୍ଯ୍ୟନ୍ତ ଟିକେଟ ପାଇଁ ନବୀନ ନିବାସରେ ଭିଡ କରୁଥିବା ନେତା ଟିକେଟ ଘୋଷଣା ପରେ ଆଜି ହାତରେ ଟିକେଟ ଧରି ବାହାରିଛନ୍ତି ନିର୍ବାଚନମଣ୍ଡଳୀ । ହଳଦିଆ ଲଫାପାରେ ୨୦୧୯ ମହାସମର ପାଇଁ ଅସ୍ତ୍ର ଧରି ନିର୍ବାଚନମଣ୍ଡଳୀ ମୁହାଁ ହୋଇଛନ୍ତି ନବୀନଙ୍କ ଯୋଦ୍ଧା । ତେବେ ଟିକେଟ ହାତରେ ପାଇବା ପରେ ନେତାଙ୍କ ଖୁସି କହିଲେ ନ ସରେ ।
ପ୍ରଥମ ପର୍ଯ୍ୟାୟରେ ଘୋଷଣା ହୋଇଥିବା ନିର୍ବାଚନ ମଣ୍ଡଳୀର ଲୋକସଭା ଓ ବିଧାନସଭା ପ୍ରାର୍ଥୀ ଆଜି ନବୀନ ନିବାସ ଆସି ବିଜେଡି ଟିକେଟ୍ ନେଇଛନ୍ତି । ଦିନକ ତଳେ ଦଳୀୟ ସୁପ୍ରିମୋ ନବୀନ ପଟନାୟକ ବିଜେଡି ପ୍ରାର୍ଥୀ ତାଲିକା ଘୋଷଣା କରିଥିଲେ, ଆଜି ଟିକେଟ୍ ନେବାକୁ ନେତା ପହଁଚିଥିଲେ ନବୀନ ନିବାସରେ । ବ୍ରହ୍ମପୁର ଲୋକସଭା ପ୍ରାର୍ଥୀ ଚନ୍ଦ୍ରଶେଖର ସାହୁ, ଆସ୍କା ଲୋକସଭା ପ୍ରାର୍ଥୀ ପ୍ରମିଳା ବିଷୋୟୀଙ୍କ ସହ ଆସ୍କା ଏବଂ ବ୍ରହ୍ମପୁର ଲୋକସଭା କ୍ଷେତ୍ରର ସମସ୍ତ ବିଧାୟକ ପ୍ରାର୍ଥୀ ନବୀନ ନିବାସରୁ ଦଳୀୟ ଟିକେଟ୍ ନେଇଛନ୍ତି ।
ଏଥିସହ ଝାରସୁଗୁଡା ବିଧାୟକ ନବ ଦାସ ମଧ୍ୟ ଟିକେଟ୍ ନେବାକୁ ପହଁଚିଥିଲେ ନବୀନ ନିବାସରେ । ନିଜ ନିଜ ଟିକେଟ୍ ନେଇ ନିର୍ବାଚନ ମଣ୍ଡଳୀ ମୁହାଁ ହୋଇଛନ୍ତି ନେତା । ଟିକେଟ୍ ଦେଇ ନେତାଙ୍କୁ ନବୀନ କହିଛନ୍ତି, ସମସ୍ତ ପ୍ରାର୍ଥୀ, ଲୋକଙ୍କ ସମସ୍ୟା ସହ ଜଡିତ ରହି ତାର ସମାଧାନ ପାଇଁ ଉଦ୍ୟମ କରନ୍ତୁ । ଏପ୍ରିଲ ୧୧ରେ ପ୍ରଥମ ପର୍ଯ୍ୟାୟରେ ନିର୍ବାଚନ ହେବାକୁ ଥିବା କୋରାପୁଟ, ବ୍ରହ୍ମପୁର, କଳାହାଣ୍ଡି ଏବଂ ନବରଙ୍ଗପୁରର ଅଧିକାଂଶ ନେତା ଆଜି ନିଜ ନିଜ ଟିକେଟ୍ ନେଇଛନ୍ତି । ଏଥିସହ ଘୋଷଣା ହେବାକୁ ଥିବା ଅନ୍ୟ ନିର୍ବାଚନ ମଣ୍ଡଳୀର ଆଶାୟୀ ପ୍ରାର୍ଥୀ ମଧ୍ୟ ଟିକେଟ୍ ଲବି କରି ନବୀନ ନିବାସରେ ଏକାଠି ହୋଇଥିଲେ ।