କାମ ଦେଇପାରେ ବିଜେଡିର ମହିଳା କାର୍ଡ, ଜଗତସିଂହପୁରରେ ଜିତିପାରନ୍ତି ରାଜଶ୍ରୀ! ୨୩ ଫଳାଫଳ ପୂର୍ବରୁ ସମ୍ବାଦ-କନକ ନ୍ୟୁଜ୍ ଏକଜିଟ୍ ପୋଲ ଆଣିଲା ସମ୍ଭାବ୍ୟ ଫଳାଫଳ

470

କନକ ବ୍ୟୁରୋ : ଜଗତସିଂହପୁର ଲୋକସଭା ଆସନରେ ପୁଣିଥରେ ଉଡିପାରେ ସବୁଜ ବାନା । ବିଜେଡିର ଅଭେଦ୍ୟ ଗଡ ରହିଥିବା ଜଗତସିଂହପୁରରେ ପୁଣିଥରେ ଚାଲିପାରେ ନବୀନଙ୍କ ଯାଦୁ । ଦିଲ୍ଲୀ ଲଢେଇରେ ବିଜେଡି ପ୍ରାର୍ଥୀ ରାଜଶ୍ରୀ ମଲ୍ଲିକ ମାରିପାରନ୍ତି ବାଜି । ସମ୍ବାଦ-କନକ ନ୍ୟୁଜ୍ ଏକଜିଟ୍ ପୋଲ ରିପୋର୍ଟରେ ଏଭଳି ସମ୍ଭାବନା ଦେଖିବାକୁ ମିଳିଛି । ଏହାଛଡା ଜଗତସିଂହପୁର ଲୋକସଭା ଅଧୀନରେ ଆସୁଥିବା ୭ ବିଧାନସଭା ଆସନରେ ଦମଦାର ପ୍ରଦର୍ଶନ କରିପାରେ ବିଜେଡି । ନିମାପଡା ଓ ଜଗତସିଂହପୁରକୁ ଛାଡିଦେଲେ ବାକି ସବୁ ଆସନରେ ବିଜୟୀ ଟିକା ପିନ୍ଧିପାରେ ବିଜେଡି । ନିମାପଡାରେ ତ୍ରିମୁଖୀ ଲଢେଇ ଓ ଜଗତସିଂହପୁରରେ କଂଗ୍ରେସ ବାଜି ମାରିପାରେ ବୋଲି ବୁଥ ବାହୁଡା ମତ କହୁଛି ।

ସମ୍ବାଦ-କନକ ନ୍ୟୁଜ୍ ଏକଜିଟ୍ ପୋଲ ରିପୋର୍ଟ ମୁତାବକ ପୁଣିଥରେ ନିଆଳି ଶାସନ ଡୋରି ବିଜେଡି ହାତକୁ ଯାଇପାରେ । ସେହିଭଳି ପାରାଦ୍ୱୀପରେ ମଧ୍ୟ ବିଜେଡିକୁ ବଡ ବିଜୟ ଦେଇପାରନ୍ତି ସମ୍ବିତ ରାଉତରାୟ । ପୂର୍ବରୁ ପାରାଦ୍ୱୀପ ଆସନ ବିଜେଡି ଦଖଲରେ ରହି ଆସିଛି ।

ତିର୍ତ୍ତୋଲରେ ପୁଣିଥରେ ଶଙ୍ଖ ଧ୍ୱନି ଶୁଭିପାରେ ବୋଲି ସମ୍ବାଦ-କନକ ନ୍ୟୁଜ୍ ଏକଜିଟ୍ ପୋଲରେ ମତ ରଖିଛନ୍ତି ବୁଥ୍ ଫେରନ୍ତା ମତଦାତା । ଅଭିଜ୍ଞ ବିଷ୍ଣୁଙ୍କୁ ପୁଣିଥରେ ବିଧାନସଭାରେ ଦେଖିବାକୁ ମିଳିପାରେ ବୋଲି ବୁଥ୍ ବାହୁଡା ମତରୁ ଆକଳନ କରାଯାଇଛି ।

ବାଲିକୁଦା-ଏରସମାରେ ପୁଣିଥରେ ବାଜି ମାରିପାରେ ବିଜେଡି । ଅଭିଜ୍ଞ ଦାମଙ୍କୁ ମାତ୍ ଦେଇ ବିଜେଡିର ଗଡ ରକ୍ଷା କରିପାରନ୍ତି ରଘୁନନ୍ଦନ । ଏହାସହ ଦାମଙ୍କ ବିଜୟରଥରେ ପ୍ରଥମ ଥର ପାଇଁ ଲାଗିପାରେ ବ୍ରେକ । ସମ୍ବାଦ-କନକ ନ୍ୟୁଜ୍ ଏକଜିଟ୍ ପୋଲରେ ଏଭଳି ମତ ରଖିଛନ୍ତି ମତଦାତା ।

ଅନ୍ୟପଟେ ଏକମାତ୍ର ଆସନ ଭାବେ ଜଗତସିଂହପୁର ଆସନରେ ବାଜି ମାରିପାରେ କଂଗ୍ରେସ । ଅଭିଜ୍ଞ ଚିରଞ୍ଜୀବିଙ୍କ ପାଇଁ ପୁଣିଥରେ ଏହି ଆସନରେ ହାତ ଟେକିପାରେ କଂଗ୍ରେସ । ବୁଥ୍ ବାହୁଡା ମତରୁ ଏଭଳି ଟ୍ରେଣ୍ଡ ଦେଖିବାକୁ ମିଳିଛି । ସେହିଭଳି କାକଟପୁରରେ ପୁଣିଥରେ ବିଜେଡିର ପୂର୍ବ କରିସ୍ମା ଦେଖିବାକୁ ମିଳିପାରେ । ବିଜେପି ଛାଡି ବିଜେଡିରୁ ପ୍ରାର୍ଥୀ ହୋଇଥିବା ତୁଷାରକାନ୍ତି ଏହି ଆସନରେ ବିଜୟୀ ହୋଇପାରନ୍ତି ବୋଲି ଏକଜିଟ୍ ପୋଲରୁ ସାମ୍ନାକୁ ଆସିଛି ।

କେବଳ ନିମାପଡାରେ କିଏ ଶାସନ କ୍ଷମତାକୁ ଫେରିବ ତାହା ଏକଜିଟ୍ ପୋଲରେ ସ୍ପଷ୍ଟ ହୋଇନାହିଁ । ନିମାପଡାରେ କ୍ଲୋଜ୍ ଫାଇଟ୍ ଦେଖିବାକୁ ମିଳିପାରେ । ପୂର୍ବରୁ ଏହି ଆସନ ବିଜେଡି ଦଖଲରେ ରହିଥିବା ବେଳେ ଚଳିତଥର କାହା ସପକ୍ଷରେ ଭୋଟର ନିଜର ମତ ଦେଇଛନ୍ତି ତାହା ସସପେନ୍ସରେ ରହିଛି ।