ପୁରୁଖାଙ୍କୁ ବାଦ୍, ଯୁବ ନେତାଙ୍କୁ ସୁଯୋଗ । ନବୀନଙ୍କ ପ୍ରାର୍ଥୀ ତାଲିକାର ହାଇଲାଇଟ୍ସ

408

କନକ ବ୍ୟୁରୋ : ତୃତୀୟ ଓ ଚତୁର୍ଥ ପର୍ଯ୍ୟାୟ ନିର୍ବାଚନ ପାଇଁ ବିଜେଡି ଆଉ ୧୮ଟି ଆସନ ପାଇଁ ପ୍ରାର୍ଥୀ ତାଲିକା ଘୋଷଣା କରିଛି । ଯେଉଁଥିରେ କିଛି ପୁରୁଣା ମୁହଁଙ୍କୁ ବାଦ୍ ଦିଆଯାଇଥିବା ବେଳେ କିଛି ନୂଆ ମୁହଁଙ୍କୁ ସୁଯୋଗ ମିଳିଛି । ଏପରିକି ଏହି ତାଲିକାରେ ହେଭିୱେଟଙ୍କ ନାଁ ମଧ୍ୟ ରହିଛି । ଯାହା ସମସ୍ତଙ୍କୁ ଆଶ୍ଚର୍ଯ୍ୟ କରିଛି ।

ଖାସକରି ଭଦ୍ରକ ଆସନରୁ ହେଭିୱେଟ ନେତା ଯୁଗଳ କିଶୋର ପଟ୍ଟନାୟକଙ୍କ ଟିକେଟ କଟିବା ପରେ ବିଜେଡି ଶିବିରରେ ହଲଚଲ ଦେଖିବାକୁ ମିଳିଛି । ୫ ଥର ଭଦ୍ରକ ଆସନରୁ ବିଧାୟକ ଥିବା ଯୁଗଳଙ୍କ ବଦଳରେ ଦଳ ନୂଆଁ ମୁହଁ ଭାବେ ସଞ୍ଜୀବ ମଲ୍ଲିକଙ୍କୁ ମୈଦାନକୁ ଓହ୍ଲାଇଛି । ପୂର୍ବରୁ କଂଗ୍ରେସରୁ ବିଜୟୀ ହୋଇ ଆସୁଥିବା ଯୁଗଳ ୨୦୦୯ ଓ ୨୦୧୪ରେ ବିଜେଡି ଟିକେଟରେ ବିଧାୟକ ହୋଇଥିଲେ । ତେବେ ଯୁଗଳଙ୍କ ବିରୋଧରେ ବଢୁଥିବା ଜନଅସନ୍ତୋଷକୁ ଦୃଷ୍ଟିରେ ରଖି ଦଳ ତାଙ୍କ ଉପରେ ପୁଣିଥରେ ଭରସା କରିନାହିଁ ।


ସେହିଭଳି ଜଟଣୀରେ ଦୀର୍ଘ ୫ ବର୍ଷର ବନବାସ ପରେ ପୁଣିଥରେ ମୈଦାନକୁ ଓହ୍ଲାଇବେ ବିଭୂତି ବଳବନ୍ତରାୟ । ଦଳ ବିଧାୟକ ଥିବା ଭାଗିରଥୀ ବଡଜେନାଙ୍କ ବଦଳରେ ବିଭୂତିଙ୍କୁ ପୁଣିଥରେ ପ୍ରାର୍ଥୀ କରିଛି । କଂଗ୍ରେସରୁ ରାଜନୀତି କ୍ୟାରିୟର ଆରମ୍ଭ କରିଥିବା ବିଭୂତି ୨୦୦୯ ମସିହାରେ ବିଜେଡିରେ ଯୋଗ ଦେଇ ଜଟଣୀରୁ ପ୍ରଥମ ଥର ପାଇଁ ବିଧାୟକ ଭାବେ ନିର୍ବାଚିତ ହୋଇଥିଲେ । ତେବେ ମେ ୨୯ ମିଡନାଇଟ ଅପରେସନ ପରେ ଦଳ ତାଙ୍କୁ ସନ୍ଦେହ ଚକ୍ଷୁରେ ଦେଖିଥିଲା । ଯେଉଁଥିପାଇଁ ଦଳ ୨୦୧୪ରେ ଏଠାରେ ବିଭୂତିଙ୍କ ବଦଳରେ ଭାଗିରଥୀଙ୍କୁ ସୁଯୋଗ ଦେଇଥିଲା । ତେବେ ଦଳର ଜଣେ ଶୃଙ୍ଖଳିତ କର୍ମୀ ଭାବେ ଦୀର୍ଘ ୫ ବର୍ଷ କାମ କରିବା ସହ ବିଜେଡି ସୁପ୍ରିମୋଙ୍କ ଭରସା ଜିତିଥିଲେ ବିଭୂତି । ଯାହାର ଫଳସ୍ୱରୂପ ପୁଣିଥରେ ଦଳ ତାଙ୍କୁ ଜଟଣୀରୁ ସୁଯୋଗ ଦେଇଛି ।

ଆଜି ଘୋଷଣା ହୋଇଥିବା ୧୮ ପ୍ରାର୍ଥୀଙ୍କ ମଧ୍ୟରୁ ୯ଟି ଆସନରେ ପ୍ରାର୍ଥୀ ବଦଳାଇଛି ଦଳ । ତେବେ ୧୪୭ ଆସନ ମଧ୍ୟରୁ ଦଳ ଏପର୍ଯ୍ୟନ୍ତ ୧୧୯ଟି ଆସନରେ ପ୍ରାର୍ଥୀ ତାଲିକା ଘୋଷଣା କରିଥିବା ବେଳେ ଆହୁରି ୨୮ଟି ଆସନରେ ପ୍ରାର୍ଥୀ ଘୋଷଣା ବାକି ରହିଛି ।