ବିଜେପି ଆକ୍ଷେପର କଡ଼ା ଜବାବ ରଖିଲେ ବିଜେଡି ପ୍ରାର୍ଥିନୀ ବର୍ଷା ସିଂ ବରିହା । କହିଲେ, ମୁଁ ନୁହେଁ ବିଦେଶିନୀ, ଲୋକଙ୍କ ସହ କରିବି କାମ ।

878

କନକ ବ୍ୟୁରୋ: ପଦ୍ମପୁର ଉପ ନିର୍ବାଚନ ପାଇଁ ଚାଲିଛି ଜୋରଦାର ବୟାନବାଜି । ବିଜେଡି ପ୍ରାର୍ଥୀ ବର୍ଷା ସିଂ ବରିହାଙ୍କୁ ବିଦେଶିନୀ କହି ବାରମ୍ବାର ଆକ୍ଷେପ କରି ଆସୁଛି ବିଜେପି । ଯାହାର ଜବାବ ରଖିଛନ୍ତି ବର୍ଷା । କହିଛନ୍ତି ସେ ପଦ୍ମପୁର ଝିଅ, ଆଉ ପଦ୍ମପୁର ଲୋକଙ୍କ ସାଥିରେ ରହିବେ । ସେପଟେ ଆଉ ପାଦେ ଆଗକୁ ଯାଇ ବିଜେପି କହିଛି ଗଲା ନାରୀ, ହେଲା ପାରି ।

  • ମୁଁ ନୁହେଁ ବିଦେଶିନୀ, ମୁଁ ମାଟିର ଝିଅ
  • ବିଜେପିକୁ କଡ଼ା ଜବାବ ଦେଲେ ବର୍ଷା
  • ବିଜେପି କହିଲା, ଗଲା ନାରୀ, ହେଲା ପାରି

ବିଦେଶିନୀ, ପଦ୍ମପୁର ଉପ-ନିର୍ବାଚନ ପାଇଁ ଇଏ ଏମିତି ଏକ ଶବ୍ଦ, ଯାହା ଭୋଟ ରାଜନୀତିକୁ ସରଗରମ କରିଦେଇଛି । ବିଜେଡି ପ୍ରାର୍ଥିନୀ ବର୍ଷା ସିଂ ବରିହାଙ୍କୁ ବିଦେଶୀର ଆଖ୍ୟା ଦେଇ ବିଜେପି ଟାର୍ଗେଟ୍ କରୁଥିବା ବେଳେ ନିର୍ବାଚିତ ହେଲେ ପୁରୀ ଚାଲିଯିବେ ବୋଲି ଅଭିଯୋଗ କରି ଆସୁଛି । ଯାହାର କଡ଼ା ଜବାବ ରଖିଛନ୍ତି ଖୋଦ୍ ବର୍ଷା ସିଂ ବରିହା । କହିଛନ୍ତି, ସେ ହେଉଛନ୍ତି ମାଟିର ଝିଅ ଏବଂ ଲୋକଙ୍କ ସହ ରହିବେ ।

ରାଜନୈତିକ ପ୍ରତିଦ୍ୱନ୍ଦିତା ଏବଂ ଆରୋପ-ପ୍ରତ୍ୟାରୋପର ଏହି ଧାରା ଭିତରେ, ଆଉ ଗୋଟିଏ ପାଦ ଆଗକୁ ଯାଇ, ବିଜେପି ସାଂସଦ କହିଛନ୍ତି, ଗଲା ନାରୀ, ହେଲା ପାରୀ । ଅର୍ଥାତ୍ ପରୋକ୍ଷରେ ସେ କହିବାକୁ ଚାହିଁଛନ୍ତି, ଯେ ବାହା ହୋଇଗଲା ପରେ ନାରୀ ପର ହୋଇଯାଏ । ତେବେ ଏହି କଥା ଦଳ ନୁହେଁ ବରଂ ସାଧାରଣ ଜନତା ପ୍ରଶ୍ନ କରୁଛନ୍ତି ବୋଲି ସେ ସଫେଇ ରଖିଛନ୍ତି । ଏପଟେ ବିଜେପିର ଆଭିମୁଖ୍ୟକୁ କଡ଼ା ଭାଷାରେ ସମାଲୋଚନା କରିଛି ବିଜେଡି ।

ବଡ଼ କଥା ହେଉଛି, ଓଡ଼ିଶା ବିଧାନସଭାକୁ ନିର୍ବାଚିତ ହୋଇ ଆସୁଥିବା ବିଧାୟକମାନେ କେବଳ ସଂପୃକ୍ତ ନିର୍ବାଚନ ମଣ୍ଡଳୀର ବିଧାୟକ ନା’ ଓଡ଼ିଶାର ବିଧାୟକ । ଜଣେ ବିଧାୟକଙ୍କ କାର୍ଯ୍ୟ ପରିସର କେବଳ, ତାଙ୍କ ନିର୍ବାଚନ କ୍ଷେତ୍ରରେ ସୀମିତ ନା’ ଓଡ଼ିଶା ଗଠନ ଦିଗରେ ଜଣେ ବିଧାୟକଙ୍କ ଭୂମିକା ରହିଛି । ଏହି ପ୍ରଶ୍ନ ଏଥିପାଇଁ ଉଠୁଛି କାରଣ, ପଦ୍ମପୁର ଉପ-ନିର୍ବାଚନରେ ବିଦେଶିନୀ ପ୍ରସଙ୍ଗକୁ ନେଇ ଭାରି ଜୋରରେ ଚର୍ଚ୍ଚା ହେଉଛି ।