୨ଟି ଉପନିର୍ବାଚନ ପାଇଁ ବିଜେଡିର ପ୍ରାର୍ଥୀ ଘୋଷଣା : ବାଲେଶ୍ୱର ସଦର ପାଇଁ ଶ୍ରୀ ସ୍ୱରୁପ କୁମାର ଦାସ ; ତିର୍ତ୍ତୋଲରୁ ଲଢିବେ ବିଜୟ ଶଙ୍କର ଦାସ

754

କନକ ବ୍ୟୁରୋ :୨ ଟି ଉପନିର୍ବାଚନ ପାଇଁ ପ୍ରାର୍ଥୀ ଘୋଷଣା କରିଛି ବିଜେଡି । ବାଲେଶ୍ୱରରୁ ସ୍ୱରୂପ କୁମାର ଦାସ ଓ ତିର୍ତ୍ତୋଲରୁ ବିଜୟ ଶଂକର ଦାସଙ୍କୁ ଙ୍କୁ ଦଳ ଟିକେଟ୍ ଦେଇଛି । ଉଭୟ ନିର୍ବାଚନ ମଣ୍ଡଳୀରେ ନୂଆ ମୁହଁଙ୍କୁ ସୁଯୋଗ ଦେଇଛି ଦଳ । ତିର୍ତ୍ତୋଲ ଆସନରୁ ପୂର୍ବତନ ବିଧାୟକ ବିଷ୍ଣୁଦାସଙ୍କ ପୁଅ ବିଜୟ ଶଂକରଙ୍କୁ ଟିକେଟ ଦେଇ ଦଳ ଅନୁକମ୍ପା ଭୋଟ ହାତେଇବାକୁ ଚେଷ୍ଟା କରିଥିବା ବେଳେ ବାଲେଶ୍ୱର ସଦରରୁ ସ୍ୱରୂପ କୁମାର ଦାସ ବାଲେଶ୍ୱର ବିଜେଡି ପାଇଁ ନୁଆ ଚେହେରା ଭାବେ ଉଭା ହୋଇଛନ୍ତି ।

ସେ ବାଲେଶ୍ୱର ଜିଲ୍ଲାରେ ଦଳ ପାଇଁ ଜଣେ ଭଲ ସଂଗଠକ ଭାବେ ଜଣାଶୁଣା । ହେଲେ ଦଳରେ ଏତେ ପୁରୁଖା ଓ ବରିଷ୍ଠ ନେତା ଥିବା ବେଳେ ଦଳ ତାଙ୍କୁ ଟିକେଟ୍ ଦେଇ ଜିଲ୍ଲା ରାଜନୀତି ପାଇଁ ଜଣେ ଯୁବ ସଂଗଠକଙ୍କ ଉପରେ ଭରଶା କରିଛି । ଅନ୍ୟପଟେ ଦଳର ବରିଷ୍ଠ ନେତା ଜୀବନ ପ୍ରଦୀପ ଦାସ ଓ ନୂଆକରି କଂଗ୍ରେସ ଛାଡି ବିଜେଡିରେ ଯୋଗ ଦେଇଥିବା ପୂର୍ବତନ ବିଧାୟକ ଅରୁଣ ଦେଙ୍କ ନାଁ କୁ ନେଇ ବିଶେଷ ଭାବେ ଚର୍ଚ୍ଚା ହେଉଥିବା ବେଳେ ଦଳ ସ୍ୱରୂପଙ୍କୁ ଟିକେଟ୍ ଦେଇ ନିର୍ବାଚନ ମଣ୍ଡଳିର ଲୋକଙ୍କୁ ଚକିତ କରିଛି ।
ସେହିଭଳି ତିର୍ତ୍ତୋଲରେ ବିଜେପି ହାତଛାଡି ବିଜେଡିରେ ଯୋଗ ଦେଇଥିବା ରମାକାନ୍ତ ଭୋଇଙ୍କୁ ଟିକେଟ୍ ମିଳିବା ନେଇ କଳ୍ପନା ଜଳ୍ପନା ଲାଗି ରହିଥିବା ବେଳେ ତାକୁ ବି ଭୁଲ ପ୍ରମାଣିତ କରିଛନ୍ତି ବିଜେଡି ସୁପ୍ରିମୋ ନବୀନ ପଟ୍ଟନାୟକ । ଦଳ ଭିତରେ ଦୀର୍ଘଦିନ ରହି କାମ କରିବା ଓ ବିଭିନ୍ନ ସମୟରେ ବିଧାୟକ ଭାବେ ନିଜର ଦାୟିତ୍ୱ ତୁଲାଇଥିବା ବିଷ୍ଣୁ ଦାସଙ୍କ ମୃତ୍ୟୁ ପରେ ତାଙ୍କ ପୁଅ ବିଜୟ ଶଂକର ଦାସଙ୍କ ଉପରେ ଭରଶା କରିଛି ଦଳ ।