କନକ ବ୍ୟୁରୋ : କିଏ ଯିବ ରାଜ୍ୟସଭା? କାହା ନାଁରେ ମୋହର ମାରିବେ ବିଜେଡି ସୁପ୍ରିମୋ । ଯେହେତୁ ସଂଖ୍ୟା ଦୃଷ୍ଟିରୁ ୪ ଆସନ ବିଜେଡି ଖାତାକୁ ଆସିବା ନିଶ୍ଚିତ ତେଣୁ ନବୀନଙ୍କ ନିଷ୍ପତ୍ତି ଉପରେ ସମସ୍ତଙ୍କର ନଜର ରହିଛି । ଆଉ ଏହା ଭିତରେ ଆଜି ରାଜ୍ୟସଭା ନିର୍ବାଚନ ପାଇଁ ୧୪ ସେଟ୍ ଫର୍ମ ବିକ୍ରି ହୋଇଛି । ଏହି ୧୪ ସେଟ୍ ଫର୍ମରୁ ବିଧାନସଭାରୁ ୧୨ ସେଟ୍ ଫର୍ମ ନେଇଛି ବିଜେଡି । ବିଧାୟକ ଅନନ୍ତ ନାରାୟଣ ଜେନା ବିଜେଡି ପକ୍ଷରୁ ୧୨ ସେଟ୍ ଫର୍ମ ନେଇଛନ୍ତି । ସେହିଭଳି ଅନ୍ୟ ୨ଟି ଫର୍ମ ଅନ୍ୟ ଜଣେ ବ୍ୟକ୍ତି ନେଇଥିବା ସୂଚନା ମିଳିଛି ।

Advertisment

ଏସବୁ ଭିତରେ ଆଜି ରାଜ୍ୟସଭା ଉପ-ନିର୍ବାଚନ ପାଇଁ ବିଜ୍ଞପ୍ତି ପ୍ରକାଶ ପାଇଛି । ଆସନ୍ତା ୨ ତାରିଖ ପର୍ଯ୍ୟନ୍ତ ନାମାଙ୍କନ ଦାଖଲ ହେବ । ୩ ତାରିଖରେ ଯାଞ୍ଚ ହେବା ପରେ ୬ ତାରିଖ ପର୍ଯ୍ୟନ୍ତ ପ୍ରାର୍ଥୀପତ୍ର ପ୍ରତ୍ୟାହାର ହୋଇପାରିବ । ଆଉ ରାଜ୍ୟସଭା ଉପ-ନିର୍ବାଚନ ପାଇଁ ଆସନ୍ତା ୧୩ ତାରିଖରେ ହେବ ନିର୍ବାଚନ ।

ତେବେ ୪ ଆସନ ପାଇଁ ବିଜ୍ଞପ୍ତି ପ୍ରକାଶ ପାଇ ସାରିଥିଲେ ମଧ୍ୟ ବିଜେଡି ଶିବିରରୁ ଏଯାଏଁ କିଏ ପ୍ରାର୍ଥୀ ହେବ ସେନେଇ କୌଣସି ସଂକେତ ମିଳିନାହିଁ । ନବୀନ ଏଯାଏଁ ନିଜର କାର୍ଡ ଖୋଲିନଥିବା ବେଳେ ରାଜ୍ୟସଭା ପାଇଁ ଆଶାୟୀ ଥିବା ପ୍ରାର୍ଥୀ ଏବେ ବି ଆଶଙ୍କାରେ ରହିଛନ୍ତି ।