ବିଜେଡି ନେତା ନଂ-୧ ବନାମ ରାଜ୍ୟ ବିଜେପି ନେତା ନଂ-୧ ! ବିଜେପୁର ଉପନିର୍ବାଚନ ଆଗରୁ ରାଜନୈତିକ ବୟାନବାଜି

37

କନକ ବ୍ୟୁରୋ: ରାଜନୈତିକ ପ୍ରତିଦ୍ୱନ୍ଦିତା ଓ ଶୀର୍ଷ ନେତାଙ୍କ ବୟାନବାଜି ଓଡ଼ିଶାର ରାଜନୈତିକ ପାଣିପାଗକୁ ଉଷ୍ମ କରିଦେଇଛି । କାରଣ ଭୁବନେଶ୍ୱରେ କେନ୍ଦ୍ରମନ୍ତ୍ରୀ କରିଥିବା ଆଟାକର ବଲାଙ୍ଗୀରରେ କାଉଂଟର ଆଟାକ କରିଛନ୍ତି ମୁଖ୍ୟମନ୍ତ୍ରୀ । ଦିନିକିଆ ବଲାଙ୍ଗୀର ଗସ୍ତରେ ଯାଇ, ନବୀନ କହିଛନ୍ତି- ଅନ୍ୟ ଦଳ ପରି ଆମେ କଥାରେ ନୁହେଁ, ବରଂ କାମରେ ବିଶ୍ୱାସ କରୁ । ବଲାଙ୍ଗୀରରେ ବିଭିନ୍ନ ଜନକଲ୍ୟାଣକାରୀ ଯୋଜନାର ଉଦଘାଟନ ଓ ଶିଳାନ୍ୟାସ କରିଥିବା ବେଳେ ସ୍ଥାନୀୟ ବିଧାୟକ ତଥା ବିରୋଧୀ ଦଳ ନେତା ନରସିଂହ ମିଶ୍ରଙ୍କୁ ଉପେକ୍ଷା କରାଯାଇଥିବା ଅଭିଯୋଗ ହୋଇଛି ।

ଗତକାଲି ଭୁବନେଶ୍ୱରରେ ପାଇପ ଯୋଗେ ଗ୍ୟାସ ଯୋଗାଣ ପ୍ରକଳ୍ପର ଲୋକାର୍ପଣ କରି ରାଜ୍ୟ ସରକାରଙ୍କୁ କଡା ସମାଲୋଚନା କରିଥିଲେ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ । ଏହାର ଜବାବ ଆଜି ବଲାଙ୍ଗୀରରେ ଦେଇଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । ବିଜେପିର ନାଁ ନନେଇ ଖୁବ କଡା ଟିପ୍ପଣୀ କରିଛନ୍ତି ନବୀନ । କିଛି ରାଜନୈତିକ ଦଳ ନିର୍ବାଚନ ସମୟରେ ପ୍ରତିଶ୍ରୁତି ଦିଅନ୍ତି କିନ୍ତୁ ପରେ ଭୁଲିଯାଆନ୍ତି, ହେଲେ ବିଜେଡି କଥାରେ ନୁହେଁ କାମରେ ବିଶ୍ୱାସ କରେ ବୋଲି ନବୀନ କହିଛନ୍ତି । ଏପଟେ ଅନ୍ୟ ଏକ କାର୍ଯ୍ୟକ୍ରମରେ ଯୋଗଦେଇ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ କହିଛନ୍ତି ଯେ, ନବୀନ ତାଙ୍କ ସହ ପ୍ରତିଦ୍ୱନ୍ଦ୍ୱିତା କରୁଛନ୍ତି । ବିଜେଡି-ବିଜେପି ବାଦିପାଲା ଚାଲିଥାଏ ବୋଲି ତାତ୍ସଲ୍ୟ କରିଛନ୍ତି ଧର୍ମେନ୍ଦ୍ର ପ୍ରଧାନ ।

ସୂଚନା ମୁତାବକ, ବିଭିନ୍ନ ଜନକଲ୍ୟାଣକାରୀ ପ୍ରକଳ୍ପର ଉଦଘାଟନ ଓ ଶିଳାନ୍ୟାସ କରିବା ଲାଗି ଆଜି ଦିନିକିଆ ବଲାଙ୍ଗିର ଗସ୍ତରେ ଯାଇଥିଲେ ମୁଖ୍ୟମନ୍ତ୍ରୀ । ହେଲେ ଏହି କାର୍ଯ୍ୟକ୍ରମରେ ସାମିଲ ହେବାକୁ ଯାଇଥିବା ସ୍ଥାନୀୟ ବିଧାୟକ ତଥା ବିରୋଧୀ ଦଳ ନେତା ନରସିଂହ ମିଶ୍ରଙ୍କୁ ଜିଲ୍ଲା ପ୍ରଶାସନ ଦୁର୍ବ୍ୟବହାର କରିଥିବା ସେ ଅଭିଯୋଗ ଆଣିଛନ୍ତି ।

ତେବେ ୨୦୧୯ ନିର୍ବାଚନକୁ ଆହୁରି ଅନେକ ଦିନ ବାକିଥିବାବେଳେ ବିଜେପୁର ଉପନିର୍ବାଚନ ପୂର୍ବରୁ ରାଜ୍ୟରେ ଜୋରଦାର ହୋଇଛି ରାଜନୈତିକ ଛକାପଂଝା । କେନ୍ଦ୍ର ଓ ରାଜ୍ୟରେ ଶାସନରେ ଥିବା ବିଜେପି ଓ ବିଜେଡି ମଧ୍ୟରେ ପ୍ରକଳ୍ପକୁ ନେଇ ଆରମ୍ଭ ହୋଇଛି ପ୍ରତିଦ୍ୱନ୍ଦିତା । ସେହିପରି ଦୁଇ ଦଳର ନେତା ନମ୍ବର ୱାନଙ୍କ ଭିତରେ ରାଜନୈତିକ ବୟାନବାଜି ମଧ୍ୟ ଶୀର୍ଷରେ ପହଂଚିଥିବା କୁହାଯାଉଛି ।

ଅନ୍ୟପଟେ, କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ଏବଂ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ଏହି ଲଢ଼େଇ ଭିତରେ ରୋଚକ ହେବାରେ ଲାଗିଛି ଓଡ଼ିଶାର ରାଜନୀତି । ଗୋଟିଏ ପଟୁ ସମାଲୋଚନା ହେଲେ ଆରପଟୁ କଟାକ୍ଷ ଆସୁଛି । ଆଉ ଏହାରି ଭିତରେ ଧର୍ମେନ୍ଦ୍ର ପ୍ରଧାନଙ୍କ କଟାକ୍ଷର ଜବାବ୍ ରଖିଛି ବିଜେଡି । ବଙ୍ଗୋପସାଗରରେ କିଏ କାହାକୁ ଫିଙ୍ଗିବ ଏବଂ କାହାର ନବକଳେବର ହେବ, ତାହା ଜନତା ବିଚାର କରିବେ । ଡାଏସ ଉପରେ ବସି ବୟାନବାଜି କିଏ କରୁଛି-ସମୟ ଆସିଲେ ଭୋଟର ଜବାବ ଦେବେ ବୋଲି କହିଛନ୍ତି-ବିଜେଡି ସାଂସଦ ପ୍ରତାପ ହେବ ।