ମହିଳା ସଂରକ୍ଷଣ ପ୍ରସଙ୍ଗକୁ ନେଇ ମୁହାଁମୁହିଁ : ବିଜେଡି-ବିଜେପି ମଧ୍ୟରେ ଟ୍ବିଟ୍ ଯୁଦ୍ଧ

ପ୍ରଣବ ପ୍ରକାଶ କହିଲେ, ‘‘ଧର୍ମେନ୍ଦ୍ର ଭାଇ, ଆପଣ କ’ଣ ଚାହାନ୍ତି ମହିଳାମାନେ ଘରର ଚାରି କାନ୍ଥ ଭିତରେ ରହି କେବଳ ରୋଷେଇ କରନ୍ତୁ?’’

78

କନକ ବ୍ୟୁରୋ : ମହିଳାଙ୍କ ସଂରକ୍ଷଣ ପ୍ରସଙ୍ଗରେ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ରଙ୍କ ବୟାନକୁ ନେଇ କଡା ପ୍ରତିକ୍ରିୟା ରଖିଛନ୍ତି ବିଜୁଜନତା ଦଳ ସଂଗଠନ ସଂପାଦକ ପ୍ରଣବ ପ୍ରକାଶ ଦାଶ । ପ୍ରଣବ ଟୁଇଟ୍ କରି କହିଛନ୍ତି , ମୁଖ୍ୟମନ୍ତ୍ରୀ ଚାହାଁନ୍ତି ରାଜ୍ୟର ମହିଳାମାନେ ସଂସଦ ଓ ବିଧାନସଭାରେ ବସି ଦେଶର ଭାଗ୍ୟ ନିର୍ଦ୍ଧାରଣ କରନ୍ତୁ । ଧର୍ମେନ୍ଦ୍ରଙ୍କୁ ଇସାରା କରି ପ୍ରଣବ କହିଛନ୍ତି ଆପଣ କଣ ଚାହାଁନ୍ତି ମହିଳାମାନେ ଚାରିକାନ୍ଥ ଭିତରେ ରହି କେବଳ ରୋଷେଇ କରନ୍ତୁ ।

ରାଜ୍ୟର ମହିଳାମାନେ ଚମକ୍ରାର ରୋଷେଇ କରନ୍ତି, ସୁଯୋଗ ମିଳିଲେ ସେମାନେ ଦେଶ ମଧ୍ୟ ଚଳେଇ ପାରିବେ ବୋଲି ଧର୍ମେନ୍ଦ୍ରଙ୍କୁ କଟାକ୍ଷ କରିି କହିଛନ୍ତି ପ୍ରଣବ ପ୍ରକାଶ । ଶନିବାର ଢେଙ୍କାନାଳରେ ଚାଷୀ ସମାବେଶରୁ ରାଜ୍ୟ ସରକାରଙ୍କୁ ଟାର୍ଗେଟ କରିଥିଲେ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ । ସେ କହିଥିଲେ , ମୋଦି ସରକାର ଓଡିଶାର ମହିଳାଙ୍କ ବିକାଶ ନେଇ ଅନେକ ପଦକ୍ଷେପ ନେଇଛନ୍ତି । ମହିଳାଙ୍କୁ ଧୂଆଁ ମୁକ୍ତ ରୋଷେଇ କରିବାକୁ ଉଜ୍ୱଳା ଯୋଜନାରେ ଗ୍ୟାସ୍ ଓ ଚୁଲା ଏବଂ ସ୍ୱଚ୍ଛ ଭାରତ ମିଶନରେ ପାଇଖାନା ଯୋଗେଇ ଦେଇଛନ୍ତି । ଏହା ଯୋଗୁଁ ରାଜ୍ୟର ମହିଳା ବିଶେଷ ଭାବେ ଉପକୃତ ହୋଇଥିବା କଥା କହିଥିଲେ ଧର୍ମେନ୍ଦ୍ର ।

ପ୍ରଣବ ପ୍ରକାଶ ଦାଶଙ୍କ ଏଭଳି ଟ୍ବିଟ୍ ପରେ ରିପୋର୍ଟ ଲେଖା ହେବା ପର୍ଯ୍ୟନ୍ତ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ଏହା ଉପରେ କୌଣସି ମତମନ୍ତବ୍ୟ ଦେଇନାହାନ୍ତି। କିନ୍ତୁ ସାମାଜିକ ଗଣମାଧ୍ୟମରେ ଉଭୟ ଦଳର ନେତାମାନେ ପରସ୍ପର ବିରୋଧରେ ବିଷୋଦ୍‌ଗାର କରିଛନ୍ତି। ଏକପ୍ରକାର ଝଡ଼ ଭଳି ପରିସ୍ଥିତି ସୃଷ୍ଟି ହୋଇଛି। ବିଜେପି ସାଧାରଣ ସଂପାଦିକା ଲେଖାଶ୍ରୀ ସାମନ୍ତସିଂହାର ଟ୍ବିଟ୍‌ର ଜବାବ ଦେଇ କହିଛନ୍ତି, ‘‘ମୁଖ୍ୟମନ୍ତ୍ରୀଙ୍କୁ ଚାରିକାନ୍ଥ ଭିତରେ ବାନ୍ଧି ଓଡ଼ିଶାର ମା’ ଭଉଣୀ ଓ ଶିଶୁଙ୍କୁ ବଳାତ୍କାର, ହତ୍ୟା ଓ ତସ୍କରୀ ଭଳି ରାକେଟ୍ ଚଳାଇଛନ୍ତି। ଆପଣଙ୍କ ଦଳର ମା’ ଓ ଭଉଣୀଙ୍କୁ ସଂସଦ ଏବଂ ବିଧାନସଭାରେ ବି ମୁହଁରେ ତୁଣ୍ଡି ବାନ୍ଧି ରଖିଛନ୍ତି। ବିଜେପି ଭଳି ମହିଳାଙ୍କୁ ଶାସନର କ୍ଷମତା କେନ୍ଦ୍ରରେ ରଖନ୍ତୁ ତା ପରେ ମହିଳା ସଶକ୍ତୀକରଣ କହିବେ।”

ସେହିଭଳି ବିଜେପି ନେତ୍ରୀ କସ୍ତୁରୀ ମିଶ୍ର ଅଭିଯୋଗ କରିଛି ଯେ ମୁଖ୍ୟମନ୍ତ୍ରୀ ପ୍ରଥମେ ମା’ ଓ ଭଉଣୀଙ୍କୁ ସୁରକ୍ଷା ଦିଅନ୍ତୁ। ଦିନ ଦ୍ବିପ୍ରହରରେ ଓଡ଼ିଶାରେ ମହିଳା ଅସୁରକ୍ଷିତ। ସର୍ବପ୍ରଥମେ ନିର୍ଭୟରେ ବଞ୍ଚିଲେ, ଘର ବା ଦେଶ ଚଳାଇବା କଥା ଭାବିପାରିବେ। ସୁଜାତା ପାଢୀ କହିଛନ୍ତି, ମା’ ଓ ଭଉଣୀ ଆଜି ବି ରୋଷେଇ ଭଲ କରନ୍ତି ମାନେ କ’ଣ ଆଜ୍ଞା? ଆପଣଙ୍କ ପୀଡ଼ା ବୁଝିହେଉଛି। ଚୁଲି ଫୁଙ୍କି ଫୁଙ୍କି ଛାତି ରୋଗରେ ପୀଡିତ ହେଲେ ମାଆ ଓ ଭଉଣୀ ନିଜ ପରିବାର ଚଳାଇବା କଷ୍ଟ। ଆପଣ ଦେଶ ଚଲାଇବା କଥା କହୁଛନ୍ତି?