ମେ ୨୩ରୁ ଜୁନ୍ ୨୩ । ଗ୍ରୀଷ୍ମ ଯାଇଛି, ମୌସୁମୀ ଫେରିଛି, କେତେ ବଦଳିଛି ରାଜ୍ୟ ରାଜନୀତିର ରଙ୍ଗ?

231

କନକ ବ୍ୟୁରୋ : ମେ ୨୩ରୁ ଜୁନ୍ ୨୩ । ନିର୍ବାଚନ ଫଳାଫଳ ପ୍ରକାଶ ପାଇବାର ଗୋଟିଏ ମାସ ବିତିଛି । ପ୍ରଚଣ୍ଡ ବହୁମତ ସହ କେନ୍ଦ୍ରରେ ବିଜେପି ଓ ରାଜ୍ୟରେ ବିଜେଡି ପୁଣିଥରେ ସରକାର ଗଢିଛନ୍ତି । ଏହି ଗୋଟିଏ ମାସ ମଧ୍ୟରେ ଅନେକ କିଛି ବଦଳିଛି । ଗ୍ରୀଷ୍ମ ଯାଇଛି, ମୌସୁମୀ ଫେରିଛି । ମୌସୁମୀର ଛିଟା ବାଜିବା ପରେ ବଦଳି ଯାଇଛି ରାଜନୀତିର ରଙ୍ଗ । ବାକ୍ ଯୁଦ୍ଧରେ ଯବନିକା ପଡିଛି. ବନ୍ଧୁତ୍ୱର ନୂଆ ଅଧ୍ୟାୟ ଆରମ୍ଭ ହୋଇଛି । ଦୂରତା ହଟିଛି, ଦୃଢତା ବଢିଛି । ଗୋଟିଏ ମାସ ମଧ୍ୟରେ ବଦଳିଯାଇଛି ପୂରା ରାଜନୈତିକ ଦୃଶ୍ୟପଟ୍ଟ । ନିକଟତର ହୋଇଛନ୍ତି ପାରମ୍ପରିକ ପ୍ରତିଦ୍ୱନ୍ଦୀ ବିଜେଡି-ବିଜେପି । ଆଉ ଏହା ଭିତରେ ସାଧାରଣ ଲୋକଙ୍କୁ ମଧ୍ୟ ବଡ ଭେଟି ଦେଇଛନ୍ତି ସରକାର । ନିର୍ବାଚନ ଫଳାଫଳ ପ୍ରକାଶ ପାଇବା ପରେ ଗତ ଗୋଟିଏ ମାସ ମଧ୍ୟରେ ଏହିଭଳି କିଛି ଚିତ୍ର ଏବେ ଦେଖିବାକୁ ମିଳିଛି ।

ଜୁନ୍ ୨୩ । ନିର୍ବାଚନ ଫଳାଫଳ ପ୍ରକାଶ ପାଇବାର ଗୋଟିଏ ମାସ ବିତିଛି । ରାଜ୍ୟରେ ନବୀନଙ୍କ ନେତୃତ୍ୱରେ ପୁଣିଥରେ ସରକାର ଗଢିଛି ବିଜେଡି । ତେବେ ପଞ୍ଚମ ପାଳିରେ ନୂଆ ଅନ୍ଦାଜରେ ନଜର ଆସିଛନ୍ତି ନବୀନ । ପୂର୍ବରୁ କେନ୍ଦ୍ର ଅବହେଳା ଓ ସମଦୂରତାର ନାରା ଦେଇ ଆସୁଥିବା ନବୀନ ଏଥର ଏହି ଫର୍ମୁଲାରୁ ନିଜକୁ ଦୂରେଇ ରଖିଛନ୍ତି । ଆଉ ଆପଣାଇ ନେଇଛନ୍ତି ‘ଦିଆନିଆ’ ଫର୍ମୁଲାକୁ । ସହଯୋଗ ବଦଳରେ ସମର୍ଥନ । ରାଜ୍ୟର ବିକାଶ ବଦଳରେ କେନ୍ଦ୍ର ସରକାରଙ୍କୁ ମିଳିବ ସମର୍ଥନ ।ନିର୍ବାଚନର ଗୋଟିଏ ମାସ ମଧ୍ୟରେ ପାଖାପାଖି ହୋଇଛନ୍ତି ଦୁଇ ପାରମ୍ପରିକ ପ୍ରତିଦ୍ୱନ୍ଦୀ ବିଜେପି-ବିଜେଡି । ରେଜଲ୍ଟ ବାହାରିବା ସହ ନିର୍ବାଚନ ପୂର୍ବରୁ ଥିବା ରାଗରୁଷାରେ ପୂର୍ଣ୍ଣଚ୍ଛେଦ ପଡିଛି । ନିର୍ବାଚନ ପ୍ରଚାର ସମୟରେ ଯେଉଁ ବାକ୍ ଯୁଦ୍ଧ ଦେଖିବାକୁ ମିଳିଥିଲା ତାହା ଏବେ ବନ୍ଧୁତ୍ୱରେ ପରିଣତ ହୋଇଛି ।

ନିର୍ବାଚନର ୩୦ ଦିନ ମଧ୍ୟରେ ଉଭୟ କେନ୍ଦ୍ର-ରାଜ୍ୟର ସର୍ମ୍ପକ ସୃଦୁଢ ହୋଇଛି । ନିର୍ବାଚନ ପୂର୍ବରୁ ଥିବା ତିକ୍ତତାକୁ ଭୁଲି ନୂଆ ଆରମ୍ଭ କରିଛି ବିଜେଡି । ନିର୍ବାଚନ ସମୟରେ ପରସ୍ପରକୁ ଟାର୍ଗେଟ କରୁଥିବା ଦଳ ଏବେ ପରସ୍ପରର ଅଦିନିଆ ବନ୍ଧୁ ପାଲଟିଛନ୍ତି । ପୂର୍ବଭଳି ବୟାନବାଜି ଦେଖିବାକୁ ମିଳୁନଥିବା ବେଳେ ଉଭୟ ଦଳ ପରସ୍ପର ପ୍ରତି ନରମ ଆଭିମୁଖ୍ୟ ଦେଖାଇବା ସହ ବିକାଶ ନାଁରେ ନୂଆ ବନ୍ଧୁ ସାଜିଛନ୍ତି । ଯାହାର ଝଲକ ନବୀନ-ଧର୍ମେନ୍ଦ୍ର,ନବୀନ-ମୋଦିଙ୍କ ଭେଟଘାଟରେ ଦେଖିବାକୁ ମିଳିଛି । ସଂଘୀୟ ବ୍ୟବସ୍ଥାରେ ପରସ୍ପରର ସହଯୋଗ ବିନା ବିକାଶ ସମ୍ଭବ ନୁହେଁ ଏକଥା ଉଭୟ ଦଳର ନେତା ବୋଧହୁଏ ବେଶ ଭଲଭାବେ ବୁଝି ସାରିଛନ୍ତି । ଖାସ୍ ସେଥିପାଇଁ ବିଜେପି-ବିଜେଡି ଏବେ ନାଆର ନାଉରୀ ସାଜିଛନ୍ତି ବୋଲି ରାଜନୈତିକ ମହଲରେ ଚର୍ଚ୍ଚା ହେଉଛି ।

ଗତ କିଛି ଦିନ ମଧ୍ୟରେ ମୋଦି ଓ ନବୀନଙ୍କ ମଧ୍ୟରେ ଲଗାତାର ଭେଟଘାଟ ବିଜେଡି-ବିଜେପି ମଧ୍ୟରେ ଏକ ନୂଆ ସର୍ମ୍ପକକୁ ଜନ୍ମ ଦେଇଥିବା ଚର୍ଚ୍ଚା ହେଉଛି । କେନ୍ଦ୍ର ସରକାରଙ୍କ ଗୋଟିଏ ଦେଶ, ଗୋଟିଏ ନିର୍ବାଚନ ପ୍ରସ୍ତାବକୁ ସମର୍ଥନ କରି ଏହି ସର୍ମ୍ପକକୁ ଆହୁରି ସୃଦୁଢ କରିଥିଲେ ନବୀନ । ଆଉ ଯେତେବେଳେ ବିଜେପିର ରାଜ୍ୟସଭା ପ୍ରାର୍ଥୀଙ୍କୁ ବିଜେଡି ସମର୍ଥନ କରିବ ବୋଲି ଘୋଷଣା କଲା ସେତେବେଳେ ଉଭୟଙ୍କ ମଧ୍ୟରେ ଥିବା ମଧୁର ସର୍ମ୍ପକ ଉପରୁ ପରଦା ଉଠିଥିଲା । କାରଣ ବିଧାନସଭାରେ ଆବଶ୍ୟକୀୟ ସଂଖ୍ୟା ଥିବା ସତ୍ତେ୍ୱ ମଧ୍ୟ ମୋଦି ଓ ଶାହାଙ୍କ ଅନୁରୋଧ କ୍ରମେ ବିଜେପି ପାଇଁ ବାଟ ଛାଡିଥିଲା ବିଜେଡି । ଆଉ ଏଭଳି ନିଷ୍ପତି ସମସ୍ତଙ୍କୁ ଚକିତ କରି ଦେଇଥିଲା । ଏପରିକି ଏହି ନିଷ୍ପତି କିଛି ବିଜେଡି ନେତାଙ୍କୁ ମଧ୍ୟ ଆଶ୍ଚର୍ଯ୍ୟ କରିଥିଲା । ଯେଉଁମାନେ ନିର୍ବାଚନ ଟିକେଟରୁ ବଞ୍ଚିତ ହେବା ପରେ ରାଜ୍ୟସଭା ପାଇଁ ସୁପ୍ରିମୋଙ୍କ ଠାରୁ ପ୍ରତିଶୃତି ପାଇଥିଲେ । କିନ୍ତୁ ଦଳୀୟ ନେତାଙ୍କ ବଦଳରେ ବିଜେପି ପ୍ରାର୍ଥୀଙ୍କୁ ସମର୍ଥନ କରିବା ନିଷ୍ପତି ବିଜେଡି-ବିଜେପି ମଧ୍ୟରେ ଥିବା ସର୍ମ୍ପକକୁ ସର୍ବୋଚ୍ଚ ସ୍ତରରେ ପହଞ୍ଚାଇଛି । ଯାହାର ଫାଇଦା ଆଗାମୀ ଦିନରେ ରାଜ୍ୟକୁ ମିଳିପାରେ ବୋଲି ଚର୍ଚ୍ଚା ଆରମ୍ଭ ହୋଇଛି ।

ବିଜେଡି-ବିଜେପି ସର୍ମ୍ପକକୁ ବାଦ୍ ଦେଲେ ପଞ୍ଚମ ପାଳିରେ ରାଜ୍ୟରେ ଅନେକ କିଛି ନୂଆ ଚିତ୍ର ଦେଖିବାକୁ ମିଳିଛି । ସାଧାରଣ ଲୋକଙ୍କ ସମସ୍ୟାକୁ ଫୋକସରେ ରଖି କାମ ଆରମ୍ଭ କରିଛନ୍ତି ମୁଖ୍ୟମନ୍ତ୍ରୀ । ଖାସକରି ଚାଷୀ, ମହିଳା ଓ ରାଜ୍ୟର ବିକାଶକୁ ମିଳିଛି ପ୍ରାଥମିକତା । ସରକାରକୁ ଆସିବାର ପ୍ରଥମ ଦିନରେ ପୂର୍ବ ପ୍ରତିଶୃତି ଅନୁଯାୟୀ ଚାଷୀଙ୍କ ଆକାଉଣ୍ଟକୁ କାଳିଆ ଟଙ୍କା ପଠାଇ ନିଜ କଥା ରଖିଥିଲେ ନବୀନ । ସେହିଭଳି ଏସଏଚଜି ଗ୍ର୍ରୁପ ମହିଳାଙ୍କୁ ୧୦୦୦ କୋଟି ଟଙ୍କା ସରକାରୀ କାମ ଦେବାକୁ ଘୋଷଣା କରି ମହିଳାଙ୍କ ମନ ଜିଣିଛନ୍ତି ନବୀନ । ଏହାଛଡା ପ୍ରଶାସକଙ୍କୁ ଲୋକାଭିମୁଖୀ କରିବାକୁ ଗୁରୁମନ୍ତ୍ର ଦେଇଛନ୍ତି ନବୀନ । ସରକାରୀ କାମକୁ ଲୋକଙ୍କୁ ପାଖରେ ପହଞ୍ଚାଇବା ପ୍ରଶାସକଙ୍କ ଦାୟିତ୍ୱ ବୋଲି ସିଧାସଳଖ କହିଛନ୍ତି ନବୀନ । ଏହାସହ ନୂଆ ସରକାରରେ ୫-ଟି ମନ୍ତ୍ର ଲାଗୁ କରିବାକୁ ଅଫିସର ଓ ନିଜର ମନ୍ତ୍ରୀଙ୍କୁ ନିର୍ଦ୍ଦେଶ ଦେଇଛନ୍ତି ନବୀନ ।

ନବୀନଙ୍କ ପଞ୍ଚମ ପାଳି କିଛି ନେତାଙ୍କ ମନରେ ଖୁସି ଭରି ଦେଇଥିବା ବେଳେ କିଛି ନେତାଙ୍କ ଆଶା ମଉଳିଛି । ଖାସକରି ନବୀନଙ୍କ ନୂଆ ଟିମକୁ ନେଇ ସବୁଠୁ ଅଧିକ ଚର୍ଚ୍ଚା ହୋଇଥିଲା । କାରଣ ଅଧିକାଂଶ ହେଭିୱେଟଙ୍କୁ ମନ୍ତ୍ରିମଣ୍ଡଳରୁ ବାଦ୍ ଦିଆଯାଇଥିବା ବେଳେ ନୂଆ ମୁହଁଙ୍କୁ ସୁଯୋଗ ଦେଇଛନ୍ତି ମୁଖ୍ୟମନ୍ତ୍ରୀ । ତେବେ ନୂଆ ମନ୍ତ୍ରୀଙ୍କୁ କେବଳ ପଦ ମିଳିନାହିଁ ବରଂ ବଡ ଟାସ୍କ ଦେଇଛନ୍ତି ନବୀନ । ମନ୍ତ୍ରୀଙ୍କ ଠାରୁ ବିଭାଗର ମାସିକିଆ ରିପୋର୍ଟ କାର୍ଡ ଦେବାକୁ କଡା ନିର୍ଦ୍ଦେଶ ଦେଇଛନ୍ତି । ଆଉ ଏସବୁ ଭିତରେ ଯେତେବେଳେ ଆଜି ନିର୍ବାଚନ ଫଳାଫଳକୁ ଗୋଟିଏ ମାସ ପୂରିଛି ସେତେବେଳେ ବିଧାୟକ ଦଳ ବୈଠକ ଡାକି ଗୁରୁମନ୍ତ୍ର ଦେଇଛନ୍ତି ବିଜେଡି ସୁପ୍ରିମୋ । ରାଜ୍ୟର ବିକାଶ ପାଇଁ ନିର୍ବାଚନ ଇସ୍ତାହାରରେ ଦିଆଯାଇଥିବା ପ୍ରତିଶୃତି ପୂରଣ କରିବା ଉପରେ ଫୋକସ ଦେଇଛନ୍ତି ନବୀନ । ଏପରିକି ରାଜ୍ୟର ସ୍ୱାର୍ଥ ପାଇଁ ସଂଘୀୟ ବ୍ୟବସ୍ଥାରେ କେନ୍ଦ୍ର ସରକାରଙ୍କ ସହଯୋଗ ଲୋଡିବା ସହ ବିଧାନସଭାରେ ସମସ୍ତ ପ୍ରକାର ଆଲୋଚନା କରିବାକୁ ପ୍ରସ୍ତୁତ ବୋଲି କହିଛନ୍ତି ନବୀନ ।