ରାଜନୈତିକ ନାରାବାଜିରେ କମ୍ପୁଛି ରାଜଧାନୀ : ଗ୍ୟାସ ଦର ବୃଦ୍ଧିକୁ ନେଇ ବିଜେଡିର ପ୍ରତିବାଦ, ସେପଟେ ମମିତା ହତ୍ୟା ମାମଲାରେ ବିଜେପିର ବିକ୍ଷୋଭ

100

କନକ ବ୍ୟୁରୋ : ଗ୍ୟାସ୍ ଦର ବୃଦ୍ଧି ପ୍ରତିବାଦରେ କଟକ ଆରଡିସି ଅଫିସ୍ ଘେରାଉ କଲା ବିଜେଡି । ଏଥିରେ ଶତାଧିକ ବିଜେଡି କର୍ମୀ ସାମିଲ ହୋଇଛନ୍ତି । ବିଜୁ ଯୁବ, ଛାତ୍ର ଓ ମହିଳା ମୋର୍ଚ୍ଚା ପକ୍ଷରୁ ଭୁବନେଶ୍ୱରର ୩ଟି ସ୍ଥାନରେ ପ୍ରତିବାଦ ସଭା କରାଯାଉଛି ।

ଚନ୍ଦ୍ରଶେଖରପୁର ସ୍ଥିତ ଆଇଓସିଏଲ, ୟୁନିଟ ୫ ସ୍ଥିତ ଉପଜିଲ୍ଲାପାଳ କାର୍ଯ୍ୟାଳୟ ସମ୍ମୁଖ ଓ କଳ୍ପନା ଛକରେ ଥିବା ଉପଜିଲ୍ଲାପାଳ କାର୍ଯ୍ୟାଳୟ ସମ୍ମୁଖରେ ଦଳ ପକ୍ଷରୁ ପ୍ରତିବାଦ କରାଯାଉଛି । ବିଜେଡି କର୍ମୀ ଗ୍ୟାସ୍ ଟାଙ୍କି ଧରି ପ୍ରତିବାଦ କରୁଛନ୍ତି । ଏହା ସହ ଉପଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ସମ୍ମୁଖରେ ଚୁଲି ଜାଳି ରୋଷେଇ କରିଛନ୍ତି । ଆସନ୍ତାକାଲି ସମ୍ବଲପୁର ଓ ବୁଧବାର ବ୍ରହ୍ମପୁର ଆରଡିସି ଅଫିସ ସହ ବ୍ଲକ ସମ୍ମୁଖରେ ଆନ୍ଦୋଳନ କରାଯିବ । ଦର ନ କମିବା ଯାଏଁ ଆନ୍ଦୋଳନ କରାଯିବ ବୋଲି ବିଜେଡି କହିଛି ।

ସେପଟେ ମମିତା ମେହେର ପ୍ରସଙ୍ଗରେ ନବୀନ ନିବାସ ଘେରାଉ କରିବାକୁ ଯୋଜନା କରିଛି ବିଜେପି । ଭୁବନେଶ୍ୱର ସାଂଗଠନିକ ଜିଲ୍ଲା ବିଜେପି ପକ୍ଷରୁ ରାଜମହଲ ଛକଠାରୁ ଶୋଭାଯାତ୍ରା ଆରମ୍ଭ କରିଛି । ଏଥିରେ ଦଳର ଦଳର ବରିଷ୍ଠ ନେତା ବି ସାମିଲ ହୋଇଛନ୍ତି । ମମିତା ପରିବାରକୁ ନ୍ୟାୟ ସହ ମନ୍ତ୍ରୀ ଦିବ୍ୟଶଙ୍କର ମିଶ୍ରଙ୍କ ବହିଷ୍କାର ଦାବି କରିଛି ଦଳ । ଏହି ଦାବିରେ ଦଳ ପକ୍ଷରୁ ବାରମ୍ବାର ପ୍ରତିବାଦ ଓ ବିକ୍ଷୋଭ କରାଯାଉଛି । ବିଜେପିର ବିକ୍ଷୋଭକୁ ନଜରରେ ରଖି ଶିଶୁଭବନ ଛକରେ ବ୍ୟାରିକେଡ୍ କରିବାକୁ ଯୋଜନା କରିଛି ପୋଲିସ । ଆନ୍ଦୋଳନକାରୀ ଯେପରି ଶିଶୁଭବନ ଛକ ନ ଡିଅନ୍ତି ତାହା ଉପରେ ଅଧିକ ଗୁରୁତ୍ୱ ଦିଆଯାଇଛି ।