କନକ ବ୍ୟୁରୋ : ପକ୍କାଘର ଯୋଜନାର ଇଏ ହେଉଛି ନୂଆ ପୋଷ୍ଟର । ଯେଉଁଥିରେ ବାଁ ପଟେ ପ୍ରଧାନମନ୍ତ୍ରୀ ଆବାସ ଯୋଜନା ଏବଂ ଡାହାଣରେ ବିଜୁ ପକ୍କା ଘର ଯୋଜନା ଉଲ୍ଲେଖ କରାଯାଇଛି । ପୂର୍ବରୁ ପ୍ରଧାନମନ୍ତ୍ରୀ ଆବାସ ଯୋଜନାକୁ ପ୍ର-ଆ-ଯୋ ଲେଖାଯାଇଥିବା ବେଳେ ଏବେ ନୂଆ ଲୋଗୋରେ ତାକୁ ପରିବର୍ତନ କରାଯାଇଛି ।
ପଂଚାୟତିରାଜ ବିଭାଗ ଏନେଇ ସମସ୍ତ ଜିଲ୍ଲାପାଳ, ପ୍ରୋଜେକ୍ଟ ଡାଇରେକ୍ଟର ଓ ଡିଆରଡିଏମାନଙ୍କୁ ଚିଠି ଲେଖି କହିଛନ୍ତି, ନୂଆ ଲୋଗୋ ଥିବା ଷ୍ଟିକର ସମସ୍ତ ହିତାଧିକାରୀଙ୍କ ବାସଗୃହରେ ୨୦୨୧ ସୁଦ୍ଧା ଲଗାଯିବ । କେନ୍ଦ୍ରୀୟ ଯୋଜନାକୁ ରାଜ୍ୟ ସରକାର ହଡପ କରୁଛନ୍ତି ବୋଲି ଅଭିଯୋଗ କରି ସାରା ରାଜ୍ୟରେ
ଆନ୍ଦୋଳନ କରିଥିଲା ବିଜେପି । ଆଉ ଏହି ଘଟଣା ପରେ ଲୋଗୋ ବଦଳାଇଛନ୍ତି ସରକାର । ରାଜ୍ୟ ପଂଚାୟତିରାଜ ବିଭାଗର ସୂଚନା ଅନୁସାରେ ୨୦୧୪-୧୫ରୁ ଏଯାଏଁ ୨୮ଲକ୍ଷ୩୪ହଜାର ୫୭୪ଜଣ ହିତାଧିରାରୀଙ୍କୁ ପକ୍କା ଘର ଯୋଜନାରେ ଘର ଯୋଗାଇ ଦିଆଯାଇଛି ।
ଏହା ମଧ୍ୟରେ କେବଳ ବିଜୁ ପକ୍କା ଘର ଯୋଜନାରେ ୩ଲକ୍ଷ ୫୦ ହଜାର ଏବଂ ବିଜୁ ପକ୍କା ଘର ଇନ୍ଦିରା ଆବାସ ଯୋଜନାରେ ୧୩ଲକ୍ଷ ଏବଂ ପ୍ରଧାନମନ୍ତ୍ରୀ ଆବାସ ଓ ବିଜୁ ପକ୍କାଘର ଯୋଜନାରେ ୧୦ଲକ୍ଷ ଲୋକଙ୍କୁ ଘର ଯୋଗାଇଦିଆଯାଇଛି ।
୨୦୨୨ ସୁଦ୍ଧା ରାଜ୍ୟର ସମସ୍ତ ହିତାଧିକାରୀଙ୍କୁ ପ୍ରଧାନମନ୍ତ୍ରୀ ଆବାସ ଯୋଜନା ଓ ବିଜୁ ପକ୍କା ଘର ଯୋଜନାରେ ଘର ଯୋଗାଇବା ପାଇଁ ଲକ୍ଷ୍ୟ ରଖାଯାଇଥିଲା । ଯେଉଁଥିରେ ୬୦ ପ୍ରତିଶତ କେନ୍ଦ୍ର ଓ ୪୦ ପ୍ରତିଶତ ରାଜ୍ୟ ଦେବାର ବ୍ୟବସ୍ଥା ରହିଛି ।