ସୋସିଆଲ ମିଡିଆରେ ବିଜେଡି-ବିଜେପି ଲଢ଼େଇ: ରାଜ୍ୟ ସରକାରଙ୍କୁ ପୁଣି ଧର୍ମେନ୍ଦ୍ରଙ୍କ ଟାର୍ଗେଟ

224

କନକ ବ୍ୟୁରୋ: ସୋସିଆଲ ମିଡିଆରେ ଜୋର ଧରିଛି ବିଜେଡି-ବିଜେପି ଲଢେଇ । ଲୋକଙ୍କ ମୌଳିକ ସମସ୍ୟାକୁ ନେଇ ରାଜ୍ୟ ସରକାରଙ୍କୁ ଟାର୍ଗେଟ କରୁଛନ୍ତି କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ । ଧର୍ମେନ୍ଦ୍ରଙ୍କ ଅଭିଯୋଗ ପରେ ପାଲଟା ପ୍ରଶ୍ନ କରିଥିଲେ । ବିଜେଡି । ତେବେ ପ୍ରଚାର ପାଇଁ ସୋସିଆଲ ମିଡିଆ ଏବେ ବଡ ମାଧ୍ୟମ ପାଲିଟିଛି । ଚାଲିଛି ଆକ୍ଷେପ-ପ୍ରତିଆକ୍ଷେପର ପର୍ବ ।

ସ୍ୱଚ୍ଛ ପିଇବା ପାଣି, ସ୍ୱାସ୍ଥ୍ୟ ସମସ୍ୟାକୁ ନେଇ ବର୍ଷିବା ପରେ ସୋସିଆଲ ମିଡିଆରେ ପୋଷ୍ଟ କରି ପୁଣି ରାଜ୍ୟ ସରକାରଙ୍କୁ ଟାର୍ଗେଟ କରିଛନ୍ତି କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ । ଖଣିଜ ପାଣ୍ଠି ବ୍ୟବସ୍ଥାକୁ ନେଇ ରାଜ୍ୟ ସରକାରଙ୍କୁ ଟାର୍ଗେଟ୍ କରିଛନ୍ତି ଧର୍ମେନ୍ଦ୍ର ପ୍ରଧାନ । କେନ୍ଦ୍ରମନ୍ତ୍ରୀ ଲେଖିଛନ୍ତି, ମୋଦୀ ସରକାର ଜିଲ୍ଲା ଖଣିଜ ପାଣ୍ଠି ଯୋଜନାରେ ସୁନ୍ଦରଗଡ଼କୁ ୬ହଜାର ୪୦୫ କୋଟି ଟଙ୍କା ଆସିଥିବା ବେଳେ ସେଥିରୁ ମାତ୍ର ୮୬୦ କୋଟି ଟଙ୍କା ବ୍ୟୟ ହୋଇଛି । ଜିଲ୍ଲା ଖଣିଜ ପାଣ୍ଠି ଅର୍ଥରେ ରାଉରକେଲା ପୁଲିସ୍ ଇନୋଭା ଗାଡ଼ି କିଣୁଛି । ଏହାସହ ସୁନ୍ଦରଗଡ଼ ସର୍କିଟ ହାଉସର ପାଚେରୀ ନିର୍ମାଣ ହେଉଥିବା ବେଳେ ଲହୁଣିପଡ଼ା ବ୍ଲକ ଅନ୍ତର୍ଗତ ବଡ଼ପୁରୁଣାପାଣି ପଂଚାୟତ କପଣ୍ଡ ଗ୍ରାମରେ ରାସ୍ତା ନିର୍ମାଣ ହୋଇପାରୁନାହିଁ । ଯେଉଁଥିପାଇଁ ଗ୍ରାମବାସୀ ନିଜେ ରାସ୍ତା ନିର୍ମାଣ କରୁଛନ୍ତି, ଯାହା କ୍ଷୋଭ ଓ ପରିତାପର ବିଷୟ ବୋଲି କେନ୍ଦ୍ରମନ୍ତ୍ରୀ ଲେଖିବା ସହ ସେହି ସମୟର ଏକ ଫଟୋ ପୋଷ୍ଟ କରିଛନ୍ତି । ତେବେ ସରକାର ତଥା ଜିଲ୍ଲା ପ୍ରଶାସନ ନିଜ ଦାୟିତ୍ୱରୁ ଓହରିଯିବା କେତେଦୂର ଯୁକ୍ତିଯୁକ୍ତ ବୋଲି ପ୍ରଶ୍ନ କରିଛନ୍ତି ଧର୍ମେନ୍ଦ୍ର ପ୍ରଧାନ ।

ଶନିବାର ଢ଼େଙ୍କାନାଳ ଓ କଟକରେ ଆୟୋଜିତ ମିଶ୍ରଣ ପର୍ବରେ ଯୋଗ ଦେଇ ରାଜ୍ୟ ସରକାରଙ୍କ ଉପରେ ବର୍ଷିଥିଲେ ଧର୍ମେନ୍ଦ୍ର । ଲୋକଙ୍କ ମୌଳିକ ସମସ୍ୟା ପୂରଣ କରିବାରେ ରାଜ୍ୟ ସରକାର ବିଫଳ ହୋଇଥିବା କହିଥିଲେ । ଧର୍ମେନ୍ଦ୍ରଙ୍କ ଅଭିଯୋଗ ପରେ ପାଲଟା ପ୍ରଶ୍ନ କରିଥିଲେ ବିଜେଡି ସାଂସଦ ।

ନିର୍ବାଚନ ସମୟରେ ସବୁ ରାଜନୈତିକ ଦଳର ନେତାଙ୍କ ପାଇଁ ପ୍ରଚାରର ମାଧ୍ୟମ ସାଜିଛି ବିଭିନ୍ନ ସୋସିଆଲ ମିଡିଆ ପ୍ଲାଟଫର୍ମ । ତେବେ କେବଳ ପ୍ରଚାରର ମାଧ୍ୟମ ନୁହେଁ ବିରୋଧୀଙ୍କୁ କାଉଁଟର କରିବାକୁ ମଧ୍ୟ ସୋସିଆଲ ମିଡିଆ ମାଧ୍ୟମ ସାଜିଛି । ବିଭିନ୍ନ ପ୍ରକାର ଲେଖା ଓ ଭିଡିଓ ପୋଷ୍ଟ କରି ପରସ୍ପର ପରସ୍ପରକୁ ଆକ୍ଷେପ ପ୍ରତି ଆକ୍ଷେପ କରୁଛନ୍ତି । ସମ୍ବଲପୁର ସଂସଦୀୟ କ୍ଷେତ୍ରରେ ଏହା ଅଧିକ ମାତ୍ରାରେ ଦେଖାଯାଉଥିବା କୁହାଯାଉଛି । ଅଭିଯୋଗ ଅନୁସାରେ ସୋସିଆଲ ମିଡିଆ ଏକ୍ସ, ଫେସବୁକ ଏବଂ ଇନଷ୍ଟାଗ୍ରାମ ଭଳି ପ୍ଲାଟଫର୍ମରେ ପ୍ରାୟ ହଜାରେରୁ ଅଧିକ ଫେକ୍ ଆକାଉଂଟ ଖୋଲାଯାଇଛି । ସେହିସବୁ ଆକାଉଣ୍ଟରୁ ବିରୋଧୀଙ୍କୁ ଟାର୍ଗେଟ କରି ଭିଡିଓ ଓ ପୋଷ୍ଟର ଛଡା ଯାଉଛି । ଯାହା ଆଗକୁ ଆହୁରି ଅଧିକ ହେବାର ସମ୍ଭାବନା ଥିବା ଆଶଙ୍କା କରିଛନ୍ତି ଯୁବ ଭୋଟର ।

ସୋସିଆଲ ମିଡିଆରେ ଆରମ୍ଭ ହୋଇଥିବା ଏହି ଲଢ଼େଇ ଏବେ ଚର୍ଚ୍ଚାର ବିଷୟ ହୋଇଛି । ସମ୍ବଲପୁର ନିର୍ବାଚନମଣ୍ଡଳୀରେ ପ୍ରାୟ ୩୦ପ୍ରତିଶତ ଯୁବ ଭୋଟର ଅଛନ୍ତି । ଏଥିସହ ପାଖାପାଖି ୫୫ପ୍ରତିଶତରୁ ଅଧିକ ଲୋକ ସୋସିଆଲ ମିଡିଆରେ ସକ୍ରିୟ ଅଛନ୍ତି । ତେଣୁ ଏହି ବର୍ଗକୁ ଟାର୍ଗେଟି ରାଜନୈତିକ ଦଳମାନେ ଏଭଳି ରଣନୀତି ଆପଣାଇଥିବା କୁହାଯାଉଛି ।