କନକ ବ୍ୟୁରୋ: ବିରୋଧୀ ଦଳ ନେତା ଜୟନାରାୟଣ ମିଶ୍ର ଓ ପୋଲିସ ଧକ୍କା ମରାମରି ଘଟଣାକୁ ନେଇ ମୁହାଁମୁହିଁ ହୋଇଛନ୍ତି ବିଜେଡି ଓ ବିଜେପି । ବିଜେପି ନେତାମାନେ ଜୟନାରାୟଣଙ୍କ ସମର୍ଥନରେ ମତ ରଖିଥିବାବେଳେ, ପୋଲିସ ସମର୍ଥନରେ ମତ ରଖିଛନ୍ତି ବିଜେଡି ନେତା । ଯାହାକୁ ନେଇ ଦୁଇ ଦଳର ନେତାଙ୍କ ଭିତରେ ଆରମ୍ଭ ହୋଇଛି କଥା କଟାକଟି ।

Advertisment
  • ବିଜେଡି-ବିଜେପି ବୟାନବାଜି
  • ଜୟନାରାୟଣଙ୍କ ସମର୍ଥନରେ ବିଜେପି
  • ବହିଷ୍ମାର ଦାବିରେ ଶାସକ ଦଳ

ବିରୋଧୀ ଦଳ ନେତା ଜୟନାରାୟଣ ମିଶ୍ରଙ୍କୁ ପଦରୁ ହଟାଇବା ପାଇଁ ଶାସକ ଦଳର ନେତାମାନେ ଦାବି କରିବା ପରେ, ବିଜେଡି ନେତା ଓ ରାଜ୍ୟ ସରକାରଙ୍କୁ ସିଧାସଳଖ ଟାର୍ଗେଟ କରିଛନ୍ତି କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ । ଅଭିଯୋଗ କରି କହିଛନ୍ତି, ମୁଖ୍ୟମନ୍ତ୍ରୀ ଓ ତାଙ୍କ ବଚସ୍କର ମାନେ ଅସହିଷ୍ଣୁ ହୋଇ ପଡ଼ିଛନ୍ତି । ସରକାରୀ ଦଳ ନିଜର ଦୋଷ ଦୁର୍ବଳତା ଲୁଚାଇବା ପାଇଁ ପ୍ରାୟୋଜିତ ଢଙ୍ଗରେ କାର୍ଯ୍ୟ କରୁଛି । ନବୀନ ବାବୁଙ୍କ ଦୟାରେ ଜୟନାରାୟଣ ବିରୋଧୀ ଦଳ ନେତା ହୋଇନାହାନ୍ତି । ବିଜେଡି ନେତା ମନ୍ତ୍ରୀଙ୍କୁ ମଧ୍ୟ ଟାର୍ଗେଟ୍ କରି କହିଛନ୍ତି, ଅଧା ଡଜନରୁ ଅଧିକ ମନ୍ତ୍ରୀ ବିଭିନ୍ନ କେଳେଙ୍କାରୀରେ ଅଭିଯୁକ୍ତ ହୋଇ ମଧ୍ୟ ମନ୍ତ୍ରୀ ପଦରେ ଅଛନ୍ତି । ଅଯୋଗ୍ୟତାକୁ ଲୁଚାଇବାକୁ ଭେଳିକି ଦେଖାଉଛନ୍ତି । ତେବେ ହିଂସାର ସ୍ଥାନ ଉଭୟ ପଟୁ ଉଚିତ୍ ନୁହେଁ ।

  • ଚର୍ଚ୍ଚାରେ ଅରୁପଙ୍କ ବୟାନ
  • ନାଁ ନେଲେନି, ଧମକ ଦେଲେ

ପୋଲିସ ଓ ଜୟନାରାୟଣଙ୍କ ଧକ୍କା ମରାମରିକୁ ନେଇ ଯେତେବେେଳେ ରାଜନୀତି ଉଷ୍ଣ ଅଛି, ସେତିକିବେଳେ, ବିଜେଡି ନେତା ତଥା ପୂର୍ବତନ ପୋଲିସ ଅଧିକାରୀ ଅରୁପ ପଟ୍ଟନାୟକ ସଭା ମଞ୍ଚରୁ ଖୋଲାଖୋଲି ଧମକ ଦେଇଛନ୍ତି । ନାଁ ନନେଇ କହିଛନ୍ତି, ଯେଉଁ ଲୋକ ଧକ୍କା ମାରୁଥିଲେ ସେ ମୋ ହାବୁଡ଼ରେ ପଡ଼ିନି । ନହେଲେ କ’ଣ ହୋଇଥାନ୍ତୋ ସେ ଠିକ୍ ଜାଣିଛନ୍ତି । ଗୋଟିଏ ହାତରେ ଗୀତା ଆଉ ଗୋଟିଏ ହାତରେ ଜୋତା ଅଛି । ଅରୁପଙ୍କ ବୟାନକୁ ସମାଲୋଚନା କରିଛି ବିଜେପି । ଜଣେ ବିଜେଡି ନେତା ମଞ୍ଚ ଉପରୁ ଏଭଳି କହିବା କେତେ ଦୂର ଯୁକ୍ତିଯୁକ୍ତ ତାହା ପଚାରିଛନ୍ତି ବିଜେପି ନେତା ।

ତେବେ ଭାବାଭେଗରେ ଆସି ଜୟନାରାୟଣ ଏପରି କରିଛନ୍ତି ବୋଲି କହିଛନ୍ତିି ଭୁବନେଶ୍ୱର ସାଂସଦ ଅପରାଜିତା ଷଡଙ୍ଗୀ । ହେଲେ, ଏପରି ସ୍ଥିିତି ଉପୁଜିଲା କାହିଁକି, ତାହା ପ୍ରଶାସନ ଚିନ୍ତା କରିବା ଦରକାର ବୋଲି ପ୍ରଶ୍ନ କରିଛନ୍ତି ଅପରାଜିତା । ସୂଚନାଯୋଗ୍ୟ ଯେ, ଆଗକୁ ବିଧାନସଭାର ବଜେଟ ଅଧିବେଶନ ଥିବାରୁ, ବିଜେଡି-ବିଜେପିର ଏହି ଲଢ଼େଇ ଗୃହ ଭିତରେ ଦେଖିବାକୁ ମିଳିବାର ଯଥେଷ୍ଟ ସମ୍ଭାବନା ରହିଛି ।