ଶ୍ରୀଜଗନ୍ନାଥଙ୍କ ଜମି ବିକ୍ରି ପ୍ରସଙ୍ଗକୁ ନେଇ ଆରମ୍ଭ ହେଲା ବିଜେଡି-ବିଜେପି କଳି । ବିଜେପି କହିଲା ମହାପାପ କରିଛନ୍ତି ସରକାର, ଜବାବ ରଖିଲା ବିଜେଡି ।

96

କନକ ବ୍ୟୁରୋ: ଶ୍ରୀଜଗନ୍ନାଥଙ୍କ ଜମି ବିକ୍ରି ପ୍ରସଙ୍ଗକୁ ନେଇ ଆରମ୍ଭ ହୋଇଛି ବିଜେପି-ବିଜେଡି କଳି । ବିଜେପି ଏହି ଘଟଣାକୁ ନେଇ ଶାସକ ଦଳକୁ ଘେରିଥିବାବେଳେ ବିଜେଡି ମଧ୍ୟ ଏହାର ଜବାବ ରଖିଛି । ଏହି ଜମି ବିକ୍ରି କରି ରାଜ୍ୟ ସରକାର ମହାପାପ କରିଥିବା ବିଜେପି କହିଥିବାବେଳେ, ନିଜ ରାଜନୈତିକ ଅଭିସନ୍ଧି ରଖି ବିଜେପି ଏପରି କରୁଥିବା ଜବାବ ରଖିଛି ବିଜେଡି ।

ବିଜେପି ରାଜ୍ୟ ସାଧାରଣ ସମ୍ପାଦିକା ଲେଖାଶ୍ରୀ ସାମନ୍ତସିଂହାର କହିଛନ୍ତି ଯେ, ରାଜ୍ୟ ସରକାର ଶ୍ରୀଜଗନ୍ନାଥଙ୍କର ପାଖାପାଖି ୩୫ ହଜାର ଏକର ଜମି ବିକ୍ରି କରିବାର ପ୍ରକ୍ରିୟା ଆରମ୍ଭ କରିବା ଦୁର୍ଭାଗ୍ୟଜନକ ଓ ନିନ୍ଦନୀୟ । ଏହା କରି ରାଜ୍ୟ ସରକାର ମହାପାପ କରିଛନ୍ତି । ଖୋଦ୍ ଆଇନ୍ ମନ୍ତ୍ରୀ ପ୍ରତାପ ଜେନା ଏହି ଜମି ବିକ୍ରି କରିବା କଥା ବିଧାନସଭାରେ କହିଥିଲେ ବୋଲି ଲେଖାଶ୍ରୀ କହିଛନ୍ତି । ତେବେ ରାଜ୍ୟ ସରକାର ଓଡିଆଙ୍କ ଅସ୍ମିତାକୁ କ୍ଷୁର୍ଣ୍ଣ କରିବାର ଅପଚେଷ୍ଟା ବନ୍ଦ କରନ୍ତୁ । ନଚେତ୍ ଆଗାମୀ ଦିନରେ ବିଜେପି ରାଜରାସ୍ତାରେ ଆନ୍ଦୋଳନ କରିବା ସହିତ ଆଇନଗତ ପଦକ୍ଷେପ ଗ୍ରହଣ କରିବ ବୋଲି ଲେଖାଶ୍ରୀ ଚେତାବନୀ ଦେଇଛନ୍ତି ।

ଅନ୍ୟପଟେ ନିଜ ରାଜନୈତିକ ଅଭିସନ୍ଧି ରଖି ପିପିଲି ଉପ ନିର୍ବାଚନ ପାଇଁ ଲେଖାଶ୍ରୀ ଭୁଲ ତଥ୍ୟ ଦେଉଥିବା ଜବାବ ରଖିଛି ବିଜେଡି । ପ୍ରଭୁ ଶ୍ରୀଜଗନ୍ନାଥଙ୍କର କୌଣସି ଜମି ବିକ୍ରି କରିବାର ଯୋଜନା ନାହିଁ । ତେଣୁ ଜଗନ୍ନାଥ ସଂସ୍କୃତିକୁ ଅପମାନ କଲାଭଳି ମନ୍ତବ୍ୟ ଦେବା ଲେଖାଶ୍ରୀ ବନ୍ଦ କରନ୍ତୁ ବୋଲି ବିଜେଡି ମୁଖପାତ୍ର ଇପସିତା ସାହୁ କହିଛନ୍ତି ।

ଏପଟେ ଏହି ଘଟଣାକୁ ନେଇ ଶ୍ରୀମନ୍ଦିର ମୁଖ୍ୟ ପ୍ରଶାସକ ମଧ୍ୟ ଗଣମାଧ୍ୟମ ଆଗରେ ପ୍ରତିକ୍ରିୟା ରଖିଛନ୍ତି । ସେ କହିଛନ୍ତି, ଶ୍ରୀଜଗନ୍ନାଥଙ୍କର ୩୫ ଏକର ଜମି ବିକ୍ରି କରିବା ଖବର ମିଛ । ଯେଉଁ ଜମିଗୁଡିକୁ ଅକ୍ତିଆର୍ କରାଯାଇଛି ତାହା ବର୍ଷ ବର୍ଷ ଧରି ଚାଲିଥିବା ଆଇନଗତ ପ୍ରକ୍ରିୟାରେ ହୋଇଛି । ୨୦୦୩ ମସିହାରେ ତିଆରି ହୋଇଥିବା ଜଗନ୍ନାଥ ଜମି ସୁରକ୍ଷା ଯୋଜନାରେ ଏହା କରାଯାଇଛି । ୨୦୦୧ରୁ ୨୦୧୦ ମଧ୍ୟରେ ୨୯୧ ଏକର ଏବଂ ୨୦୧୧ରୁ ୨୦୨୧ ମଧ୍ୟରେ ୯୬ ଏକର ଜମି ଯୋଗ୍ୟ ବ୍ୟକ୍ତିଙ୍କୁ ଦିଆଯାଇଛି ବୋଲି କ୍ରିଷନ କୁମାର ଗଣମାଧ୍ୟମକୁ ସୂଚନା ଦେଇଛନ୍ତି ।