କନକ ବ୍ୟୁରୋ:ଲୋୟର ସୁକତେଲ ପ୍ରକଳ୍ପକୁ ନେଇ ବିଧାନସଭାରେ ମୁହାଁମୁହିଁ ହେଲେ ଶାସକ ଆଉ ବିରୋଧୀ । ବିଜେଡି ବିଧାୟକଙ୍କ ପ୍ରଶ୍ନ ପରେ, ଘେରିଲେ ଉପ-ମୁଖ୍ୟମନ୍ତ୍ରୀ କନକ ବର୍ଦ୍ଧନ ସିଂହଦେଓ ଏବଂ ସଂସଦୀୟ ବ୍ୟାପାର ମନ୍ତ୍ରୀ ମୁକେଶ ମହାଲିଙ୍ଗ । ଗୁରୁବାର ଗୃହରେ ଲୋୟର ସୁକତେଲକୁ ନେଇ ପ୍ରଶ୍ନ କରିଥିଲେ ବିଜେଡି ବିଧାୟକ ନିରଞ୍ଜନ ପୂଜାରୀ । ଯାହାର ଜବାବ ରଖି ଉପ-ମୁଖ୍ୟମନ୍ତ୍ରୀ ଓ ସଂସଦୀୟ ବ୍ୟାପାର ମନ୍ତ୍ରୀ କହିଥିଲେ ଯେ, ଲୋୟର ସୁକେତେଲ ପ୍ରକଳ୍ପକୁ ନିର୍ବାଚନ ପାଇଁ ତରବରିଆ ଉଦଘାଟନ କରାଯାଇଥିଲା । ଡିପିଆର ଅନୁଯାୟୀ, ୨୦୨୬ ପୂର୍ବରୁ ଏହି ପ୍ରକଳ୍ପ କାର୍ଯ୍ୟକାରୀ ହେବା କଥା ନୁହେଁ । ବର୍ତ୍ତମାନ ବିଧାୟକ ଯେଉଁ ଏହି ପ୍ରକଳ୍ପର ପାଣି ଲୋକଙ୍କ ପାଖରେ ପହଞ୍ଚିଥିବା କହୁଛନ୍ତି, ତାହା ଠିକ ନୁହେଁ ବୋଲି କହିଛନ୍ତି ଉଭୟ ମନ୍ତ୍ରୀ ।

ଅନ୍ୟପଟେ ଏହି ପ୍ରକଳ୍ପରୁ ବର୍ତ୍ତମାନ ସୁଦ୍ଧା ଗୋଟେ ଇଞ୍ଚ ଜମିକୁ ବି ଜଳସେଚନ ହୋଇନି । କେବଳ ନଦୀରେ ପାଣି ଚାଲିଛି କିନ୍ତୁ କେନାଲରେ ନାହିଁ । ୮ ମିଟରରୁ ଅଧିକ ପାଣି ରଖିଲେ ବନ୍ଧ ଭାଙ୍ଗିଯିବ ବୋଲି କହିଛନ୍ତି ମନ୍ତ୍ରୀ । ସେହିପରି ପୂର୍ବ ସରକାର ପ୍ରତ୍ୟେକ ବ୍ଳକରେ ୩୫ ପ୍ରତିଶତ ଜଳ ସେଚନ ନେଇ ପ୍ରତିଶ୍ରୁତି ଦେଇଥିଲେ ତାହା ପାଳନ କରିନାହାନ୍ତି । ଆମେ ବର୍ତ୍ତମାନ ଜଳସେଚନକୁ ତ୍ୱରାନ୍ୱିତ କରିବା ପାଇଁ କାର୍ଯ୍ୟ ଖସଡ଼ା ପ୍ରସ୍ତୁତ କରୁଛୁ ବୋଲି ମନ୍ତ୍ରୀ କହିଛନ୍ତି ।