କନକ ବ୍ୟୁରୋ : ଅରୁଆ ଓ ଉଷୁନା ଚାଉଳକୁ ନେଇ ରାଜନୀତି ଜୋର ଧରିଛି । ଆଜି କେନ୍ଦ୍ରକୁ ଚିଠି ଲେଖି ରାଜ୍ୟ ଖାଦ୍ୟ ଯୋଗାଣ ମନ୍ତ୍ରୀ କହିଛନ୍ତି, କେନ୍ଦ୍ରର ନିଷ୍ପତି ପାଇଁ ଓଡିଶା ଉପରେ ଅତ୍ୟନ୍ତ ଖରାପ ପ୍ରଭାବ ପଡିବ । ତେଣୁ ଉଷୁନା ଚାଉଳ ନେବା ପାଇଁ ଚିଠି ଲେଖିଛନ୍ତି ରଣେନ୍ଦ୍ର ପ୍ରତାପ ସ୍ୱାଇଁ । ସେପଟେ ସାମ୍ବାଦିକ ସମ୍ମିଳନୀ କରି ବିଜେପି କହିଛି, ମିଲର୍ସଙ୍କ ଫାଇଦା ପାଇଁ ଓଡିଶା ସରକାର ଉଷୁନା ଚାଉଳ ସପକ୍ଷରେ ଯୁକ୍ତି ବାଢୁଛନ୍ତି ।
ବିଜେପିର ଅରୁଆ ବନାମ ବିଜେଡିର ଉଷୁନା
ବିଜେଡିର ଚିଠି – କେନ୍ଦ୍ର ଉଷୁନା ଚାଉଳ ନନେଲେ, ଓଡିଶା ଉପରେ ଅତ୍ୟନ୍ତ ଖରାପ ପ୍ରଭାବ ପଡିବ
ବିଜେପିର ଯୁକ୍ତି – ମିଲର ମାନଙ୍କ ଫାଇଦା ପାଇଁ ରାଜ୍ୟ ସରକାର କରୁଛନ୍ତି ଓକିଲାତି
ବିଜେଡିର ଚିଠି - ଓଡିଶାର ଅଧିକାଂଶ ମିଲ୍, ଉଷୁନା ଚାଉଳ ତିଆରି କରୁଥିବା ମିଲ୍
ବିଜେପିର ଯୁକ୍ତି – ଉଷୁନା ଚାଉଳ କରି ବିଭିନ୍ନ ଉପାୟରେ ଲାଭ ନେଉଛନ୍ତି ମିଲର୍
କେନ୍ଦ୍ର ଖାଦ୍ୟ ଯୋଗାଣ ମନ୍ତ୍ରଣାଳୟ ଦାୟିତ୍ୱରେ ଥିବା ପିୟୁଷ ଗୋଏଲଙ୍କୁ ରାଜ୍ୟ ଖାଦ୍ୟ ଯୋଗାଣ ମନ୍ତ୍ରୀ ଲେଖିଛନ୍ତି, ଓଡିଶାରେ ମୁଖ୍ୟତଃ ଲୋକେ ଉଷୁନା ଚାଉଳ ଖାଇଥାନ୍ତି । ତେଣୁ ରାଜ୍ୟର ଅଧିକାଂଶ ମିଲ୍ ଉଷୁନା ଚାଉଳ ପ୍ରସ୍ତୁତକାରୀ ମିଲ । ଏଭଳି ପରିସ୍ଥିତିରେ ଖରିଫ ଋତୁରେ ଉତ୍ପାଦିତ ଉଷୁନା ଚାଉଳର ୫୦ ପ୍ରତିଶତ ଏବଂ ରବି ଋତୁରେ ଆଦୌ ଉଷୁନା ଚାଉଳ ନନେବାକୁ କେନ୍ଦ୍ର ନିଷ୍ପତି ନେବା ଓଡିଶା ପାଇଁ ଚିନ୍ତାର ବିଷୟ ।
ସେପଟେ ବିଜେପିର ଯୁକ୍ତି ହେଉଛି, ମିଲର ମାନଙ୍କୁ ଲାଭ ଦେବା ପାଇଁ ଅଧିକ ଉଷୁନା ଚାଉଳ ପ୍ରସ୍ତୁତ କରାଯାଉଛି । କାରଣ ଧାନରୁ ଚାଉଳ କଲାବେଳେ, ଉଷୁନା ଅପେକ୍ଷା ଅରୁଆ କମ ଉତ୍ପାଦନ ହୁଏ । ଏବଂ ଅରୁଆ ଅଧିକ ନଷ୍ଟ ହୋଇଥାଏ । ତେଣୁ ମିଲର ମାନେ ଚାହାନ୍ତି ଏଫସିଆଇ ଅଧିକ ଉଷୁନା ଚାଉଳ କିଣନ୍ତୁ ।
ସେପଟେ ଓଡିଶା ଖାଦ୍ୟ ଯୋଗାଣ ନିଗମ ଧାନ ସଂଗ୍ରହ ପାଇଁ ୧୫ ହଜାର କୋଟି ଟଙ୍କା ଋଣ କରିଛି । ଅନ୍ୟ ପଟେ କେନ୍ଦ୍ର ଖାଦ୍ୟ ଯୋଗାଣ ମନ୍ତ୍ରଣାଳୟ ଧାନ ସଂଗ୍ରହ ବାବଦରେ ୬ ହଜାର ୩୯ କୋଟି ଟଙ୍କାର ସବସିଡି ଏପର୍ଯ୍ୟନ୍ତ ଦେଇ ନାହାନ୍ତି ।