ମେଟ୍ରୋ ରେଳ ପ୍ରକଳ୍ପକୁ ନେଇ ବିଜେଡି-ବିଜେପି ବୟାନବାଜି: ବିଜେପିର ଅଭିଯୋଗ, ନିର୍ବାଚନ ଆସିଲେ ଏମିତି ଘୋଷଣା କରନ୍ତି ନବୀନ

77

କନକ ବ୍ୟୁରୋ: ମେଟ୍ରୋ ରେଳ ପ୍ରକଳ୍ପକୁ ନେଇ ବିଜେଡି ବିଜେପି ବୟାନବାଜି । ବହୁ ପ୍ରତୀକ୍ଷିତ ଭୁବନେଶ୍ୱର ରେଳ ପ୍ରକଳ୍ପକୁ ରାଜ୍ୟ ସରକାର ନିଜ ଖର୍ଚ୍ଚରେ ନିର୍ମାଣ କରିବାକୁ ନିଷ୍ପତି ନେବା ପରେ, ସରକାରଙ୍କୁ ଘେରିଛନ୍ତି ବିରୋଧୀ । ବିଜେପି ଉପସଭାପତି ବିରଂଚି ତ୍ରିପାଠୀ କହିଛନ୍ତି, ରାଜ୍ୟ ସରକାର ଯେତେବେଳେ ନିର୍ବାଚନ ଆସେ, ସେ ସମୟରେ ଅନେକ ଘୋଷଣା କରନ୍ତି । ସେ ଘୋଷଣା ସହ ଅନେକ ନିର୍ବାଚନ ପୂର୍ବରୁ ମୃତ୍ୟୁ ହୋଇଥାଏ । ଆଉ ଯାହା ବି ବାକି ଥାଏ, ନିର୍ବାଚନ ପରେ ସମାପ୍ତ ହୋଇଯାଏ । ଏଥିସହ ବିମାନବନ୍ଦରରୁ ତ୍ରିଶୂଳିଆ ପର୍ଯ୍ୟନ୍ତ ଉପରେ ଉପରେ ମେଟ୍ରୋ ନେବାକୁ ରାଜ୍ୟ ସରକାର କେତେ ସଫଳ ହେଉଛନ୍ତି, ସେ ନେଇ ସନ୍ଦେହ ପ୍ରକାଶ କରିଛନ୍ତି । ତେବେ ବିଜେପିର ଅଭିଯୋଗ ପରେ, ଶାସକ ଦଳ ପ୍ରତିକ୍ରିୟା ରଖିଛି । ବିଜେଡି ବିଧାୟକ ଶଶି ଭୂଷଣ ବେହେରା କହିଛନ୍ତି, ନବୀନ ବାବୁଙ୍କ ହାତରେ କୁହୁକ ଅଛି । ସେ ଯେଉଁ କାମ ହାତକୁ ନିଅନ୍ତି, ତାକୁ ସବୁଠି ପ୍ରଶଂସା ମିଳେ । ମେଟ୍ରୋ ପାଇଁ ୫ହଜାର କୋଟି ବ୍ୟୟ ବରାଦ ହୋଇଛି । ୪ ବର୍ଷରେ କାମ ସରିବ । ୨୩ବର୍ଷ ଧରି ଗ୍ରାମାଂଚଳରୁ ଆରମ୍ଭ କରି ସହର ଯାଏ ବିକାଶ ହୋଇ ଆସୁଛି । ହେଲେ, ବିକାଶର ଜୟଯାତ୍ରାକୁ ବିରୋଧୀ ସହ୍ୟ କରି ପାରୁ ନାହାନ୍ତି ।