କନକ ବ୍ୟୁରୋ: ଗତକାଲି ବିଜେଡି ରାଜ୍ୟସଭା ସାଂସଦ ମମତା ମହନ୍ତ ଦଳରୁ ଇସ୍ତଫା ଦେବା ସହ ସାଂସଦ ପଦରୁ ଇସ୍ତଫା ଦେଇଛନ୍ତି। ଆଉ ଏବେ ଏହାକୁ ନେଇ ତେଜିଛି ରାଜ୍ୟ ରାଜନୀତି । ଗୋଟିଏ ପଟେ ବିଜେଡି ଏହା ପଛରେ ବିଜେପିର ହାତ ଥିବା ଅଭିଯୋଗ କରୁଥିବାବେଳେ, ବିଜେପି ନେତା କିନ୍ତୁ ଏଥିପାଇଁ ବିଜେଡିକୁ ଦାୟୀ କରିଛନ୍ତି ।

Advertisment

ଗୁରୁବାର ବିଜେପି ବିଧାୟକ ସରୋଜ ପାଢୀ କହିଛନ୍ତି, ଏଇଟା ଟ୍ରେଲର, ବିଜେଡିର ଏହା ଅୟମ ଆରମ୍ଭ । ଏଭେ ସାଂସଦ ଦଳ ଛାଡିଲେ, ଏହାପରେ ବହୁତ କିଛି ଘଟିବାକୁ ଯାଉଛି । ତେବେ ବିଜେଡି ଗୋଟିଏ ଅନ୍ଧାର ଆଡକୁ ମାଡିକି ଯାଉଛି ବୋଲି ସେ କହିଛନ୍ତି । ଏହାସହ ଓଡିଶାରେ ବିଜେପି ଯେହେତୁ ଏବେ ଉଜ୍ଜଳ ଆଲୋକ, ସେଥିପାଇଁ ସମସ୍ତେ ବିଜେପିକୁ ଆସିବାକୁ ଇଚ୍ଛା କରୁଛନ୍ତି । ତେବେ ଯୋଗାଯୋଗ କଲେ ନେତୃବୃନ୍ଦ ଏ ସମ୍ପର୍କରେ ବୁଝଇବେ ବୋଲି କହିଛନ୍ତି ବିଜେପି ବିଧାୟକ ସରୋଜ ପାଢୀ । ତତ ସହିତ ବିଜେଡିରେ ଅନ୍ତଃକନ୍ଦଳ ଚରମ ସୀମାରେ ପହଞ୍ଚିଲାଣି । ତାଙ୍କ ନେତୃତ୍ୱ ଦଳ କଥା ବୁଝିପାରୁନାହାଁନ୍ତି ବୋଲି ସେ କହିଛନ୍ତି ।

ସେପଟେ କିନ୍ତୁ ବିଜେଡି ନେତା ସୁଧୀର ସାମଲ ମମତା ମହନ୍ତଙ୍କୁ ନେଇ ଭିନ୍ନ ପ୍ରତିକ୍ରିୟା ରଖିଛନ୍ତି । ସେ କହିଛନ୍ତି, ମମତା ମହାନ୍ତ ଇସ୍ତଫାର ଉଦେଶ୍ୟ ସେ ଜାଣିନାହାଁନ୍ତି । ତେବେ ଏହାଦ୍ୱାରା ବିଜେଡି ଘର ଭାଙ୍ଗିବନି । ଦଳ ଆହୁରି ଶାଣିତ ଆଉ ଶକ୍ତିଶାଳୀ ହେବ ବୋଲି ସେ କହିଛନ୍ତି । ଅନ୍ୟପଟେ ୨୪ ବର୍ଷ ପରେ ଆମେ ବିରୋଧୀକୁ ଆସିଛୁ। ନବୀନ ପଟ୍ଟନାୟକଙ୍କ ଦାୟିତ୍ୱରେ ଥିବା ଯାଏଁ ଦଳ ଅଛି । ଆମର ଆଞ୍ଚଳିକ ଦଳ, ବିଜୁ ଜନତା ଦଳ ଭଲ ଅବସ୍ଥାରେ ଅଛି ବୋଲି ସୁଧୀର କହିଛନ୍ତି । ଏଥିସହ ରାଜ୍ୟର ସେବା ପାଇଁ ନବୀନ ବାବୁ କାମ ଚଳାଉଛନ୍ତି। ଶାସନରେ ଥାଇ ଆଙ୍ଗୁଳି ଦେଖାଇବା ସହଜ, ହେଲେ ବିରୋଧୀରେ ରହି ଆଙ୍ଗୁଠି ଉଠାଇବା କଷ୍ଟ । କିଛି ନେତାଙ୍କୁ ନେଇ ବିଜେପିରେ ମିଶାଇ ପାରନ୍ତି। ବିଗତ ଦିନରେ ମଧ୍ୟ ଏହା ଦେଖା ଯାଇଛି, ତେବେ ଏପରି ନେତା ପଛ ଧାଡିରେ ବସିଛନ୍ତି। ଯଦି ସେମାନଙ୍କ ଇଚ୍ଛା ପଛରେ ବସିବାକୁ, ସେମାନେ ଦଳ ଡିଆଁ ମାରି ପଛରେ ବସି ପାରିବେ ବୋଲି କହିଛନ୍ତି ବିଜେଡି ନେତା ସୁଧୀର ସାମଲ ।