ତେଲ ଦରକୁ ନେଇ ବିଜେଡି-ବିଜେପିର ପୁରୁଣା କଳି । କେନ୍ଦ୍ରିୟ ଟିକସ କମାଇବା ପାଇଁ ଦାବି କଲା ବିଜେଡି । ବିଜେପି କହିଲା, କେନ୍ଦ୍ର ଉପରେ ଦୋଷ ନଦେଇ ନିଜ ଟିକସ ଛାଡ଼ କରନ୍ତୁ ରାଜ୍ୟ ସରକାର

155

କନକ ବ୍ୟୁରୋ: ପେଟ୍ରୋଲ ଓ ଡିଜେଲ ଦର ହୁ ହୁ ବଢି ଚାଲିଥିବା ବେଳେ ରାଜନୀତିରେ ନିଆଁ ଲଗାଇଛି ତେଲ । ରାଜ୍ୟର ଆଦିବାସୀ ଅଧୁଷିତ ଜିଲ୍ଲାରେ ପେଟ୍ରୋଲ ଦର ସେଂଚୁରୀ ମାରିବା ପରେ ଚିହିଁକି ଉଠିଛି ବିଜେଡ଼ି । ତୈଳଦର ବୃଦ୍ଧି ପାଇଁ କେନ୍ଦ୍ରୀୟ ଟିକସକୁ ଦାୟି କାରିଛି ଦଳ । ବିଭାଗୀୟ କେନ୍ଦ୍ରମନ୍ତ୍ରୀଙ୍କ ବାବଦରେ ଟିପଣୀ ନଦେଇ ଦଳର ସାଧାରଣ ସମ୍ପାଦକ ସଂଜୟ ଦାସ ବର୍ମା କହିଛନ୍ତି କେନ୍ଦ୍ରରେ ଥିବା ସରକାର ଆଛା ଦିନର ସ୍ଲୋଗାନ ଦେଉଥିଲେ କିନ୍ତୁ ଏବେ ତାହାର ଓଲଟା ହେଉଛି । କେନ୍ଦ୍ରୀୟ ଟିକସ ହ୍ରାସ ଓ କୃଷି ସେସ୍କୁ ପ୍ରତ୍ୟାହାର କରିବାକୁ ସେ ଦାବି କରିଛନ୍ତି । ସେପଟେ କେନ୍ଦ୍ର ଉପରେ ଦୋଷ ନଦେଇ ରାଜ୍ୟ ସରକାର ପ୍ରଥମେ ଟିକସ ଛାଡ଼ କରନ୍ତୁ ବୋଲି ବିଜେପି କହିଛି ।

ମେ ୪’ ତାରିଖ ପରେ ୨୦ ଥର ବଢ଼ିଛି ତେଲ ଦର । ଏହାରି ଭିତରେ ପେଟ୍ରୋଲ ଲିଟର ପିଛା ୪ଟଙ୍କା ୨୯ ପଇସା ଓ ଡିଜେଲ ଲିଟର ପିଛା ୫ଟଙ୍କା ୨୮ ପଇସା ବୃଦ୍ଧି ପାଇଛି । ଗୋଟିଏ ପଟେ ଅନ୍ତର୍ଜାତୀୟ ବଜାରରେ ଅଶୋଧିତ ତେଲ ଦର ବୃଦ୍ଧି ଏବଂ ଅନ୍ୟପଟେ କେନ୍ଦ୍ର ଓ ରାଜ୍ୟର ଟିକସର ବୋଝ ପଡ଼ୁଛି ଗ୍ରାହକଙ୍କ ଉପରେ । ପେଟ୍ରୋଲ ଲିଟରର ଦାମ ଯଦି ୧୦୦ ଟଙ୍କା ହେଉଛି, ତେବେ ଟିକସ ବାବଦରେ କେତେ ଟଙ୍କା ଗ୍ରାହକ ଗଣୁଛନ୍ତି, ନଜର ପକାନ୍ତୁ –

ତେଲ ଗଣିତ
ମୌଳିକ ମୂଲ୍ୟ ୪୦ ଟଙ୍କା ୫୧ ପଇସା
କେନ୍ଦ୍ର ସରକାରଙ୍କ ଏକସାଇଜ୍ ଡ୍ୟୁଟି ୩୨ ଟଙ୍କା ୯୦ ପଇସା
ରାଜ୍ୟ ସରକାର ୩୨% ହିସାବରେ ଭାଟ ୨୩ ଟଙ୍କା ୩୧ ପଇସା
ଡିଲର କମିଶନ ୩.୩୦ ଟଙ୍କା

ଏହିପରି ଭାବେ ପେଟ୍ରୋଲ ଲିଟର ପିଛା ଗ୍ରାହକ ଗଣୁଛନ୍ତି ୧୦୦ ଟଙ୍କା । ଅନ୍ତର୍ଜାତୀୟ ବଜାରରେ ଅଶୋଧିତ ତେଲ ଦର ଆହୁରି ବଢ଼ିବା ଆଶଙ୍କା ରହିଛି । ଫଳରେ ପେଟ୍ରୋଲ ଦର ଆହୁରି ବୃଦ୍ଧି ପାଇବା ସମ୍ଭାବନା ରହିଛି । ସରକାର ଟିକସ ହ୍ରାସ ନକଲେ ନିୟନ୍ତ୍ରଣ ବାହାରକୁ ଚାଲିଯିବ ତେଲ ଦର ।