କନକ ବ୍ୟୁରୋ : ଗତକାଲି ନବୀନ ନିବାସରେ ୩ ଘଂଟା ଧରି ଗୁରୁତ୍ୱପୂର୍ଣ୍ଣ ବୈଠକ ବସିଥିଲା । ମୁଖ୍ୟମନ୍ତ୍ରୀ ତଥା ବିଜେଡି ସୁପ୍ରିମୋ ନବୀନ ପଟ୍ଟନାୟକଙ୍କ ଅଧ୍ୟକ୍ଷତାରେ ବସିଥିବା ବୈଠକରେ ସଙ୍ଗଠନ ନେଇ ଆଲୋଚନା ହୋଇଛି । ସଙ୍ଗଠନକୁ ଆହୁରି ସୁଦୃଢ କରିବାକୁ ଜିଲ୍ଲା ପର୍ଯ୍ୟବେକ୍ଷକ ସମେତ ଛାମୁଆ ନେତାଙ୍କୁ ନିର୍ଦ୍ଦେଶ ଦେଇଛନ୍ତି ମୁଖ୍ୟମନ୍ତ୍ରୀ । ଦଳର କାର୍ଯ୍ୟକ୍ରମ କେମିତି ଆଗକୁ ନିଆଯିବ ଓ କେମିତି ତାକୁ ଆହୁରି ଶାଣିତ କରାଯିବ ସେ ନେଇ ଆଲୋଚନା ହୋଇଛି । ପଦଯାତ୍ରା ଭଳି ବିଭିନ୍ନ କାର୍ଯ୍ୟକ୍ରମର ରୋଡ଼ମ୍ୟାପ ପ୍ରସ୍ତୁତ ହୋଇଛି ।

Advertisment

କିଛି ଫିଡବ୍ୟାକ ବି ନେଇଛନ୍ତି ମୁଖ୍ୟମନ୍ତ୍ରୀ । ବିଜେଡି ଉପସଭାପତି ଦେବୀ ମିଶ୍ର କହିଛନ୍ତି, ଦଳର କାର୍ଯ୍ୟକ୍ରମକୁ କିଭଳି ଆଗକୁ ନିଆଯିବ ସେ ନେଇ ଆଲୋଚନା ହୋଇଛି । ସେପଟେ ଶାସକ ଦଳକୁ ଘେରିବା ପାଇଁ ବିଜେପି ମଧ୍ୟ ରଣନୀତି କରିଛି । ୧୦୮ ଚାର୍ଜସିଟ୍ ଧରି ଲୋକଙ୍କ ପାଖକୁ ଯିବା ପାଇଁ ଦଳ ପ୍ରସ୍ତୁତି କରୁଛି । ନିର୍ବାଚନୀ ବର୍ଷରେ ରାଜନୀତିର ଏହି ପ୍ରତିଯୋଗିତାରେ ପଛରେ ପଡିନାହିଁ କଂଗ୍ରେସ । ଉଭୟ କେନ୍ଦ୍ର ଓ ରାଜ୍ୟ ସରକାରଙ୍କ ବିଫଳତା ଏବଂ କଂଗ୍ରେସ ସମୟର ସଫଳତା ଲୋକଙ୍କ ପାଖକୁ ପହଞ୍ଚାଇବାକୁ ଯୋଜନା କରାଯାଇଛି ।

୨୦୨୪ : ରଣନୀତି ପ୍ରସ୍ତୁତ

ଗାନ୍ଧୀ ଜୟନ୍ତୀରୁ ବିଜେଡି ପଦଯାତ୍ରା

ଜିଲ୍ଲା ପର୍ଯ୍ୟବେକ୍ଷକଙ୍କ ସହ ଅଢେଇ ଘଣ୍ଟା ହେଲା ମାନସମନ୍ଥନ
ଦଳୀୟ ଭାବନାରୁ ଉପରକୁ ଉଠି ଲୋକଙ୍କ ସେବା କରିବାକୁ ମନ୍ତ୍ର ଦେଲେ ନବୀନ
ଗାନ୍ଧୀ ଜୟନ୍ତୀରୁ ପ୍ରତି ଜିଲ୍ଲାପରିଷଦ ଜୋନରେ ପଦଯାତ୍ରା ପାଇଁ ନିଷ୍ପତ୍ତି
୩୦ ହଜାର ସକ୍ରିୟ ସଭ୍ୟଙ୍କୁ ଦିଆଯିବ ପ୍ରଶିକ୍ଷଣ
ପ୍ରତି ନିର୍ବାଚନ ମଣ୍ଡଳିରୁ ୨୦୦ ଜଣ ଲେଖାଏଁ ନେବେ ତାଲିମ
ପ୍ରତ୍ୟେକ ଘରକୁ ଯାଇ ଲୋକଙ୍କ କଥା ବୁଝିବେ ବିଜେଡି କର୍ମୀ

ଚାର୍ଜସିଟ୍ ନେଇ ଗାଁକୁ ଯିବ ବିଜେପି

ସରକାରଙ୍କ ବିରୋଧରେ ବିଜେପି ଦେବ ଚାର୍ଜସିଟ୍
୧୦୮ ପ୍ରସଙ୍ଗରେ ପ୍ରସ୍ତୁତ କଲା ଅଭିଯୋଗ ଫର୍ଦ୍ଦ
ଖଣି ଦୁର୍ନୀତି, ରତ୍ନଭଣ୍ଡାର ପ୍ରସଙ୍ଗରେ ଘେରିବ ଦଳ
୫-ଟି ସଚିବଙ୍କ ଜିଲ୍ଲା ଗସ୍ତ ପ୍ରସଙ୍ଗରେ ଦିଆଯିବ ଚାର୍ଜସିଟ୍
ବିଜୁଳି ଦୁର୍ନୀତି, ଡେଙ୍ଗୁ ନିୟନ୍ତ୍ରଣରେ ବିଏମ୍ସିର ବିଫଳତା
ଟ୍ୱିନ୍ ସିଟିରେ ମୁକୁଳା ଡ୍ରେନ, ରାଜଧାନୀ ଉପକଣ୍ଠରେ ଜମି ଦୁର୍ନୀତି
ଦରଦାମ ନିୟନ୍ତ୍ରଣରେ ବିଫଳତା, ଚାକିରି ସ୍କାମ୍
ନବ ଦାସଙ୍କ ହତ୍ୟାକାଣ୍ଡର ଚାର୍ଜସିଟ୍ ସାର୍ବଜନୀନ କରିବ
ପଂଚାୟତଠାରୁ ଆରମ୍ଭ କରି ବ୍ଲକ, ଜିଲ୍ଲା ସ୍ତରରେ ଦେବ ଅଭିଯୋଗ ଫର୍ଦ୍ଦ
ରାଜ୍ୟ ସ୍ତରରେ ସରକାରଙ୍କ ବିରୋଧରେ ଚାର୍ଜସିଟ୍ ଦିଆଯିବ

୨୫ରୁ ଘରେ ଘରେ କଂଗ୍ରେସ

୨୫ରୁ ଆରମ୍ଭ ହେବ ଘରେ ଘରେ କଂଗ୍ରେସ ଅଭିଯାନ
କେନ୍ଦ୍ର ଓ ରାଜ୍ୟ ସରକାରଙ୍କ ବିଫଳତା ଲୋକଙ୍କ ପାଖରେ ପହଂଚାଇବ
କଂଗ୍ରେସ ସମୟର ସଫଳତା କଥା କହିବେ ନେତା ଓ କର୍ମୀ
ନିଯୁକ୍ତି ପ୍ରତିଶ୍ରୁତି, ବେକାରୀ ଓ ଦରଦାମ ବୃଦ୍ଧି ପ୍ରସଙ୍ଗରେ ହେବ ଘେରାବନ୍ଦୀ
ଆଇନ ଶୃଙ୍ଖଳା ପ୍ରସଙ୍ଗ ଉଠାଇ ରାଜ୍ୟ ସରକାରଙ୍କୁ ଘେରିବା ଯୋଜନା
ଅକ୍ଟୋବର ୧୫ ଯାଏଁ ଚାଲିବ କଂଗ୍ରେସର ବିସ୍ତୃତ କାର୍ଯ୍ୟକ୍ରମ
ପଦଯାତ୍ରା କରି ଲୋକଙ୍କ ପାଖରେ ପହଞ୍ଚିବେ କଂଗ୍ରେସ ନେତା
କଂଗ୍ରେସ ସମୟରେ ଆଇଆଇଟି ଓ ଏମ୍ସ ଭଳି ଅନୁଷ୍ଠାନ ହୋଇଥିବା କଥା କହିବ