କନକ ବ୍ୟୁରୋ: ୨୪ ନିର୍ବାଚନ ତାରିଖ ଘୋଷଣା ପରେ ରାଜନୈତିକ ମାହୋଲ ସରଗରମ ହୋଇଛି । ତିନି ପ୍ରମୁଖ ରଜନୈତିକ ଦଳ ବିଜେଡି, ବିଜେପି ଓ କଂଗ୍ରେସ ବିଜୟ ବାନା ଉଡାଇବାକୁ ପୂର୍ଣ୍ଣ ପ୍ରସ୍ତୁତି କରୁଛନ୍ତି । ଏହାରି ଭିତରେ ସୁବର୍ଣ୍ଣପୁର ଜିଲ୍ଲାର ବୀରମହାରାଜପୁର ବିଧାନସଭା ନିର୍ବାଚନ ମଣ୍ଡଳୀରେ ରାଜନୈତିକ ଉଷ୍ମତା ବାରି ହୋଇପଡୁଛି । ବିଜେଡିର ଗଡ କୁହାଯାଉଥିବା ଏହି ଆସନରେ ଏଥର କିଏ ବାଜିମାତ୍ କରିବ ତାକୁ ଅଙ୍କକଷା ଚାଲିଛି । ବିଜେଡି ପୂର୍ବ ସ୍ଥିତି ବଜାୟ ରଖିବା ପାଇଁ ଚେଷ୍ଟା ଚଳାଇଥିବା ବେଳେ ବିଜେଡିକୁ ଚେକ୍ ଦେବା ପାଇଁ ରଣନୀତି ଆରମ୍ଭ କରିଛନ୍ତି ବିଜେପି ଓ କଂଗ୍ରେସ ।

  • ପାଖଉଛି ନିର୍ବାଚନ ତାରିଖ
  • ଗାଁ ମୁହାଁ ନେତା
  • କାହାକୁ ବାଛିବେ ଜନତା?

୨୦୦୦ରୁ ବିଜେଡିର ଗଡ ଭାବରେ ପରିଚିତ ସୁବର୍ଣ୍ଣପୁର ଜିଲ୍ଲାର ବୀରମହାରାଜପୁର ବିଧାନସଭା ଆସନ । ୩ଟି ବ୍ଲକ ବୀରମହାରାଜପୁର, ଉଲୁଣ୍ଡା ଓ ବିନିକା ଏବଂ ବିନିକା ବିଜ୍ଞାପିତ ଅଂଚଳ ପରିଷଦକୁ ନେଇ ଗଠିତ ବୀରମହାରାଜପୁର ବିଧାନସଭା ନର୍ବାଚନ ମଣ୍ଡଳୀ । ୨୫ବର୍ଷରେ ହୋଇଥିବା ରାସ୍ତା ଘାଟ, ଜଳସେଚନ ଓ ବିଜୁ ସେତୁକୁ ନେଇ ଭୋଟରଙ୍କ ପାଖକୁ ଯାଉଛନ୍ତି ବିଜେଡି ପ୍ରାର୍ଥୀ ପଦ୍ମନାଭ ବେହେରା । ସେପଟେ କେନ୍ଦ୍ର ସରକାରଙ୍କ ବିଭିନ୍ନ ଯୋଜନାକୁ ନିର୍ବାଚନୀ ଅସ୍ତ୍ର କରିଛନ୍ତି ବିଜେପି ପ୍ରାର୍ଥୀ । କଂଗ୍ରେସ ଉଭୟ ସରକାରଙ୍କ ବିଫଳତାକୁ ଭୋଟରଙ୍କ ପାଖରେ ବଖାଣି ବାଜିମାତ୍ କରିବାକୁ ଉଦ୍ୟମ କରୁଛି ।

୨୦୦୦ ମସିହାରେ ବୀରମହାରାଜପୁର ବିଧାନସଭା ନିର୍ବାଚନ ମଣ୍ଡଳୀ ଦୁଇ ଭାଗ ହୋଇ ବିନିକା ଓ ବୀରମହାରାଜପୁର ହୋଇଥିଲା । ୨୦୦୯ରେ ସୀମା ପୁନଃ ନିର୍ଦ୍ଧାରଣ ପରେ ପୁଣି ସେହି ଗୋଟିଏ ବୀରମହାରାଜପୁର ହେଲା । ସେବେଠୁ ବିଜେଡି ହାତରେ ରହିଛି ଏହି ଆସନ । ପଦ୍ମନାଭ ବେହେରା ବିଧାୟକ ଭାବେ ନିର୍ବାଚିତ ହୋଇଆସୁଛନ୍ତି । ହାଟ୍ରିକ ମାରିଥିବା ନେତାଙ୍କୁ ଏଥର ମଧ୍ୟ ପ୍ରାର୍ଥୀ କରିଛି ଦଳ । ପୂର୍ବ ନିର୍ବାଚନ ଗୁଡିକ ଏକତରଫା ଥିବା ବେଳେ ଏଥର ତ୍ରୀକୋଣୀୟ ଲଢେଇ ଦେଖିବାକୁ ମିଳିବ ବୋଲି କହିଛନ୍ତି ବୁଦ୍ଧିଜୀବୀ । ଏହି ନିର୍ବାଚନ ମଣ୍ଡଳୀରେ ମୋଟ ୨ଲକ୍ଷ ୧୫ହଜାର ୩୫୩ ଭୋଟର ଅଛନ୍ତି । ନେତାଏ ଭୋଟ ହାତେଇବାକୁ ଭିନ୍ନଭିନ୍ନ କୌଶଳ ଆପଣାଇଥିବା ବେଳେ ଭୋଟର କିନ୍ତୁ ଦଳ ନୁହେଁ ପ୍ରାର୍ଥୀ ଦେଖି ଭୋଟ ଦେବେ ବୋଲି କହିଛନ୍ତି ।