ଶେଷ ହେଲା ଯୋଦ୍ଧା ଘୋଷଣା, ପ୍ରସ୍ତୁତ ହେଲେଣି ୩ ଦଳ । ଏଥର ଲଢେଇ ହେବ ଜୋରଦାର

୫ ଲୋକସଭା ଆସନରେ ଶେଷ ହେଲା ବିଜେଡି, ବିଜେପି, କଂଗ୍ରେସ ପ୍ରାର୍ଥୀ ଘୋଷଣା

472

କନକ ବ୍ୟୁରୋ: ଲୋକସଭା ନିର୍ବାଚନ ପାଇଁ ଏବେ ଚାଲିଛି ପ୍ରାର୍ଥୀ ଘୋଷଣା । ରାଜ୍ୟର ସମସ୍ତ ଲୋକସଭା ସିଟ୍ ପାଇଁ ବିଜେପି ଆଗୁଆ ପ୍ରାର୍ଥୀ ଘୋଷଣା କରି ଦେଇଥିବାବେଳେ, ବିଜେଡି ମଧ୍ୟ ୧୫ଟି ଲୋକସଭା ଆସନ ପାଇଁ ପ୍ରାର୍ଥୀ ଘୋଷଣା କରିସାରିଛି । ଅନ୍ୟପଟେ ମଙ୍ଗଳବାର ରାଜ୍ୟର ୮ଟି ଲୋକସଭା ଆସନ ପାଇଁ ଯୋଦ୍ଧା ଘୋଷଣା କରିଛି କଂଗ୍ରେସ । ତେଣୁ ଏବେ ରାଜ୍ୟର ୫ଟି ଲୋକସଭା ଆସନରେ ବିଜେଡି, ବିଜେପି ଓ କଂଗ୍ରେସ ପ୍ରାର୍ଥୀଙ୍କ ଭିତରେ ଲଢେଇ ସ୍ପଷ୍ଟ ହେଇଛି ।

ସୁନ୍ଦରଗଡ

ସୁନ୍ଦରଗଡ ଲୋକସଭା ଆସନରେ ୩ ପ୍ରମୁଖ ଦଳର ପ୍ରାର୍ଥୀ ଘୋଷଣା ଶେଷ ହେଇଛି । ବିଜେପି ଏଠାରୁ ବର୍ତ୍ତମାନର ସାଂସଦ ଜୁଏଲ୍ ଓରାମଙ୍କୁ ପୁଣିଥରେ ଟିକେଟ୍ ଦେଇଥିବାବେଳେ, ବିଜେଡି ଲୋକପ୍ରିୟ ହକି ଖେଳାଳି ଦିଲ୍ଲୀପ ତିର୍କୀଙ୍କୁ ପ୍ରାର୍ଥୀ କରିଛି । ଅନ୍ୟପଟେ ସୁନ୍ଦରଗଡ ଆସନ ପାଇଁ ଜନାର୍ଦ୍ଦନ ଦେହୁରୀଙ୍କୁ ଟିକେଟ୍ ଦେଇଛି କଂଗ୍ରେସ । ତେଣୁ ଏଥର ସୁନ୍ଦରଗଡରେ ଜୁଏଲ, ଦିଲ୍ଲୀପ ଓ ଜନାର୍ଦ୍ଦନଙ୍କୁ ନେଇ ତ୍ରିମୁଖୀ ଲଢେଇ ଦେଖିବାକୁ ମିଳିବ ।

କଳାହାଣ୍ଡି

ସୁନ୍ଦରଗଡ ଭଳି କଳାହାଣ୍ଡି ଲୋକସଭା ଆସନରେ ମଧ୍ୟ ୩ ପ୍ରମୁଖ ଦଳର ପ୍ରାର୍ଥୀ ଘୋଷଣା ଶେଷ ହେଇଛି । କଳାହାଣ୍ଡି ଆସନ ପାଇଁ ବିଜେଡି ଲମ୍ବୋଧର ନିଆଲଙ୍କୁ ଆଗକୁ ଆଣିଥିବାବେଳେ, ବିଜେପି ନିଜର ସାଂସଦ ବସନ୍ତ ପଣ୍ଡାଙ୍କ ଟିକେଟ୍ କାଟି ମାଳବିକା କେଶରୀ ଦେଓଙ୍କୁ ମୈଦାନକୁ ଓହ୍ଲାଇଛି । ସେହିପରି ମଙ୍ଗଳବାର କଳାହାଣ୍ଡି ଆସନରେ କଂଗ୍ରେସ ଦ୍ରୌପଦୀ ମାଝୀଙ୍କୁ ପ୍ରାର୍ଥୀ କରିଛି । ତେଣୁ ଏଥର ବିଜେପି ଓ କଂଗେସ୍ରର ଦୁଇ ମହିଳା ପ୍ରାର୍ଥୀଙ୍କୁ ଟକ୍କର ଦେବେ, ବିଜେଡି ପ୍ରାର୍ଥୀ ଲମ୍ବୋଧର ନିଆଲ ।

ନବରଙ୍ଗପୁର

ଏଥର ନବରଙ୍ଗପୁରେ ମାଝୀଙ୍କର ଲଢେଇ । ଲୋକସଭା ଆସନ ପାଇଁ ୩ ପ୍ରମୁଖ ଦଳର ପ୍ରାର୍ଥୀ ହେଇଛନ୍ତି ୩ ମାଝୀ । ବିଜେଡି ଏଠାରେ ପ୍ରଦୀପ ମାଝୀଙ୍କୁ ଟିକେଟ୍ ଦେଇଥିବାବେଳେ, ବିଜେପି ନବଚରଣ ମାଝୀଙ୍କୁ ମୈଦାନକୁ ଓହ୍ଲାଇଛି । ଅନ୍ୟପଟେ କଂଗ୍ରେସ ଭୁଜବଳ ମାଝୀଙ୍କୁ ଟିକେଟ୍ ଦେଇ ଏହି ଲଢେଇକୁ ଆହୁରି ରୋଚକ କରିଛି । ତେଣୁ ଏଥର ନବରଙ୍ଗପୁର ଲୋକସଭା କ୍ଷେତ୍ରରେ ୩ ମାଝୀଙ୍କ ଭିତରେ ଜୋରଦାର ଲଢେଇ ଦେଖିବାକୁ ମିଳିବ ।

କନ୍ଧମାଳ

କନ୍ଧମାଳ ପାଇଁ ବିଜେଡି ବର୍ତ୍ତମାନର ସାଂସଦ ଅଚ୍ୟୁତ ସାମନ୍ତଙ୍କୁ ପୁଣିଥରେ ଭରସା କରିଛି । ସେପଟେ ବିଜେପି କିନ୍ତୁ ଅଚ୍ୟୁତଙ୍କୁ ଟକ୍କର ଦେବାକୁ ସୁକାନ୍ତ ପାଣିଗ୍ରାହୀଙ୍କୁ ଆଗକୁ ଆଣିଛି । ହେଲେ ଏହି ଲଢେଇରେ କଂଗ୍ରେସ ନେତା ଅମୀର ଚାନ୍ଦ ନାୟକଙ୍କ ଏଣ୍ଟ୍ରି ଏବେ କନ୍ଧମାଳ ଲଢେଇକୁ ଆହୁରି ରୋଚକ କରିଛି । ବିଜେଡି ଏହି ଆସନରେ ଜିତାପଟ ହାସଲ କରିବାକୁ ଜୋରଦାର କସରତ କରୁଥିବାବେଳେ, ବିଜେପି ଏବଂ କଂଗ୍ରେସ ପ୍ରାର୍ଥୀ ମଧ୍ୟ ଟକ୍କର ଦେବାକୁ ପ୍ରସ୍ତୁତ ।

କୋରାପୁଟ

ଉପରୋକ୍ତ ସମସ୍ତ ଆସନ ସହିତ କୋରାପୁଟ ଆସନ ପାଇଁ ମଧ୍ୟ ୩ ପ୍ରମୁଖ ଦଳର ପ୍ରାର୍ଥୀ ଘୋଷଣା ଶେଷ ହେଇଛି । ବିଜେଡି ଏହି ଆସନରୁ କୌଶଲ୍ୟା ହିକକ୍କାଙ୍କୁ ପୁଣିଥରେ ପ୍ରାର୍ଥୀ କରିଥିବାବେଳେ, ବିଜେପି ଜୟରାମ ପାଙ୍ଗୀଙ୍କ ବଦଳରେ କାଳୀରାମ ମାଝୀଙ୍କୁ ଟିକେଟ୍ ଦେଇଛି । ସେପଟେ କଂଗ୍ରେସ ହାତରେ ଥିବା ରାଜ୍ୟର ଏକମାତ୍ର ଲୋକସଭା ସିଟ୍ ହେଉଛି କୋରାପୁଟ । ଆଉ ଏହି ଆସନରୁ ସପ୍ତଗିରି ଉଲ୍ଲାକା ପୁଣିଥରେ ପ୍ରାର୍ଥୀ ହେଇଛନ୍ତି । ତେଣୁ ଏହି ସଂସଦୀୟ କ୍ଷେତ୍ରରେ କେମିତି ଲଢେଇ ହେଉଛି ତାହା ଦେଖିବାକୁ ବାକି ରହିଲା ।