ରମେଶ ଜେନାଙ୍କ ଗଡ଼କୁ ଭେଦ କରିବ କିଏ? ପ୍ରାର୍ଥୀ ଖୋଜୁଛନ୍ତି ବିଜେଡି-ବିଜେପି

1,081

କନକ ବ୍ୟୁରୋ: କଂଗ୍ରେସ ଗଞ୍ଜାମର ସାନଖେମୁଣ୍ଡି ବିଧାନସଭା ଆସନ ପାଇଁ ରମେଶ ଜେନାଙ୍କୁ ପ୍ରାର୍ଥୀ ଘୋଷଣାର ସପ୍ତାହେ ବିତିଗଲାଣି । କିନ୍ତୁ ବିଜେପି ଓ ବିଜେଡିର ପ୍ରାର୍ଥୀ ତାଲିକାରେ ଏହି ଆସନ ପାଇଁ ପ୍ରାର୍ଥୀ ଘୋଷଣା ହୋଇପାରୁନାହିଁ । ପ୍ରକୃତରେ ବିଜେଡି, ବିଜେପିକୁ ପ୍ରାର୍ଥୀ ମିଳୁନାହାନ୍ତି ନା ରମେଶ ଜେନାଙ୍କୁ ଟକ୍କର ଦେଲା ଭଳି ପ୍ରାର୍ଥୀ ଖୋଜୁଛନ୍ତି ଦୁଇଦଳ, ତାକୁ ନେଇ ଉଭୟ ଦଳର କର୍ମୀଙ୍କ ମଧ୍ୟରେ ଦ୍ୱନ୍ଦ୍ୱ ଦେଖାଦେଇଛି । ସାନଖେମୁଣ୍ଡିର ଭୋଟର ବି ବିଜେଡି, ବିଜେପିର ପ୍ରାର୍ଥୀ ଘୋଷଣାକୁ ଅନେଇ ରହିଛନ୍ତି ।

  • ସୁଯୋଗ ଖୋଜୁଛି କି ବିଜେପି?
  • ରାଜପରିବାର ଉପରେ ପୁଣି ଭରସା କରିବ କି ବିଜେଡି?

ସାନଖେମୁଣ୍ଡି ରମେଶ ଜେନା ଓ କଂଗ୍ରେସର ଗଡ ହୋଇରହିଛି । କୁହାଯାଉଛି, ସାନଖେମୁଣ୍ଡିରେ ତାଙ୍କୁ ଟକ୍କର ଦେଲା ଭଳି ନେତା ବିଜେଡି ବିଜେପି ପାଉନାହିଁ ।

  • ୨୦୧୪ ଓ ୨୦୧୯ରେ ସାନଖେମୁଣ୍ଡି ରାଜପରିବାରକୁ ବିଜେଡି ଟିକେଟ ଦେଇଥିଲା
  • ୨୦୦୯ ଓ ୨୦୧୯ରେ କଂଗ୍ରେସ ଏଠାରୁ ଜିତିଛି
  • ୨୦୧୪ରେ ବିଜେଡି ଏଠାରେ ବିଜୟୀ ହୋଇଥିଲା

୨୦୧୪ ଓ ୨୦୧୯ରେ ସାନଖେମୁଣ୍ଡି ଆସନରେ କଂଗ୍ରେସର ରମେଶ ଜେନା ଓ ବିଜେଡିର ନନ୍ଦିନୀ ଦେବୀଙ୍କ ମଧ୍ୟରେ ଟକ୍କର ହୋଇଥିଲା । ୨୦୧୯ରେ ରମେଶ ଜେନାଙ୍କ ବିଜୟ ବ୍ୟବଧାନ ଅଧିକ ଥିଲା ।

୨୦୧୯ ନିର୍ବାଚନ

  • ରମେଶ ଜେନା ପାଇଥିଲେ ୫୦. ୭୪% ଭୋଟ୍
  • ନନ୍ଦିନୀ ଦେବୀ ପାଇଥିଲେ ୩୪.୬୯% ଭୋଟ୍

ସାନଖେମୁଣ୍ଡିରେ ବିଜେପିର ଭୋଟହାର ବହୁତ କମ ଥିଲା । ଏଭଳି ସ୍ଥିତିରେ ସାନଖେମୁଣ୍ଡିର କଂଗ୍ରେସ କର୍ମୀ ଉତ୍ସାହିତ ଅଛନ୍ତି । ଏଥର ବି ରମେଶ ଜେନା ଜିତିବେ ବୋଲି ଦୃଢୋକ୍ତି କରିଛନ୍ତି ।
କୁହାଯାଉଛି, ଏଥର ବି ସାନଖେମୁଣ୍ଡିରୁ ରାଣୀ ନନ୍ଦିନୀ ଦେବୀ ଓ ତାଙ୍କ ଝିଅ ସୁଲକ୍ଷଣା ଗୀତାଞ୍ଜଳି ଦେବୀ ଟିକେଟ ଆଶାୟୀ ଅଛନ୍ତି । କିନ୍ତୁ ବିଜେଡିର ଏକ ଗୋଷ୍ଠା ସେମାନଙ୍କୁ ବିରୋଧ କରୁଛନ୍ତି । ତେଣୁ ଏଥର ରାଜପରିବାରୁ କିଏ ଟିକେଟ ପାଇବ ନା ଦ୍ୱିତୀୟ ବ୍ୟକ୍ତିଙ୍କ ଉପରେ ବିଜେଡି ଭରସା କରିବ ତା ଉପରେ ସମସ୍ତଙ୍କ ନଜର ରହିଛି ।