ପ୍ରଜାତନ୍ତ୍ର ବିଷୁବ ମିଳନ ଉତ୍ସବରେ ଭର୍ତ୍ତୃହରିଙ୍କ ସମ୍ପର୍କରେ ଧର୍ମେନ୍ଦ୍ରଙ୍କ ମନ୍ତବ୍ୟକୁ ନେଇ ଚର୍ଚ୍ଚା : କେନ୍ଦ୍ରମନ୍ତ୍ରୀ କହିଲେ, ସାଂସଦଙ୍କୁ ଦଳ କାହିଁକି ଗୁରୁତ୍ୱ ଦେଉନି ତାହା ଆଶ୍ଚର୍ଯ୍ୟ କରୁଛି

ପ୍ରଣବ ପ୍ରକାଶ ବି ଦେଲେ କଡ଼ା ଜବାବ

215

କନକ ବ୍ୟୁରୋ : ପୁଣି ଚର୍ଚ୍ଚାରେ କଟକର ବିଜେଡି ସାଂସଦ । ଦିଲ୍ଲୀରେ ପୂର୍ବତନ ମୁଖ୍ୟମନ୍ତ୍ରୀ ହରେକୃଷ୍ଣ ମହତାବଙ୍କ ଲିଖିତ ଓଡିଶା ପୁସ୍ତକର ହିନ୍ଦୀ ଅନୁବାଦ ପୁସ୍ତକ ଉନ୍ମୋଚନ ଉତ୍ସବରେ ଭର୍ତ୍ତୃହରିଙ୍କୁ ପ୍ରଂଶସା କରିଥିଲେ ମୋଦି । ଆଉ ଏବେ ପ୍ରଜାତନ୍ତ୍ରର ବିଷୁବ ମିଳନ ଉତ୍ସବରେ ଭର୍ତ୍ତୃହରିଙ୍କୁ ନେଇ ଧର୍ମେନ୍ଦ୍ରଙ୍କ ମନ୍ତବ୍ୟ ଏବେ ଚର୍ଚ୍ଚାର ବିଷୟ ପାଲଟିଛି ।

କଟକରେ ୭୨ ତମ ବିଷୁବ ମିଳନ ଉତ୍ସବକୁ ଉଦଘାଟନ କରି ଧର୍ମେନ୍ଦ୍ର ପ୍ରଧାନ କହିଛନ୍ତି , ସାରା ଦେଶରେ ନଭେମ୍ବର ୨୬ ତାରିଖକୁ ଏବେ ସମ୍ବିଧାନ ପ୍ରତିଷ୍ଠା ଦିବସ ଭାବେ ପାଳନ କରୁଛି । ଏହାପଛରେ ଭର୍ତ୍ତୃହରିଙ୍କ ପ୍ରମୁଖ ଭୂମିକା ରହିଛି । କିନ୍ତୁ ବିଜେଡି ଏବେ ତାଙ୍କୁ କାହିଁକି ଗୁରୁତ୍ୱ ଦେଉନାହିଁ, ତାହା ତାଙ୍କୁ ଆଶ୍ଚର୍ଯ୍ୟ କରିଛି । ଧର୍ମେନ୍ଦ୍ରଙ୍କ ଏଭଳି ମନ୍ତବ୍ୟ ରାଜନୈତିକ ଚର୍ଚ୍ଚାର ପ୍ରମୁଖ ପ୍ରସଙ୍ଗ ହୋଇଛି ।

ବିଜେଡ଼ିର ଲୋକସଭା ସାଂସଦ ଭର୍ତ୍ତୃହରି ମହତାବକୁ ନେଇ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ଦେଇଥିବା ମନ୍ତବ୍ୟ ପରେ ଆରମ୍ଭ ହୋଇଛି ରାଜନୀତି । କେନ୍ଦ୍ରମନ୍ତ୍ରୀଙ୍କ ମନ୍ତବ୍ୟକୁ ନାପସନ୍ଦ କରିଛନ୍ତି ବିଜେଡି ବିଧାୟକ ପ୍ରଣବ ପ୍ରକାଶ ଦାସ । ଟ୍ୱିଟ ମାଧ୍ୟମରେ ଆକ୍ଷେପ କରି କହିଛନ୍ତି ଯେ କଲମ୍ବସ ପରି ଭର୍ତୃହରି ବାବୁଙ୍କ ବୁଦ୍ଧି ଓ ଅଭିଜ୍ଞତାର ଆବିଷ୍କାର କରିଛନ୍ତି ଧର୍ମେନ୍ଦ୍ର । ଲାଲାକୃଷ୍ଣ ଆଡଭାନୀ ଓ ମୁରଲୀ ମନୋହର ଯୋଶୀଙ୍କ ଅମାପ ଅଭିଜ୍ଞତା ଓ ଦକ୍ଷତାର ମଧ୍ୟ ସେହିଭଳି ସଦୁପଯୋଗ କରନ୍ତୁ କେନ୍ଦ୍ରମନ୍ତ୍ରୀ । କାରଣ ସେମାନେ ମଧ୍ୟ ଯଥେଷ୍ଟ ବୁଦ୍ଧିମାନ ଓ ବିଜେପି ପାଇଁ ସମର୍ପିତ ।

ଡକ୍ଟର ହରେକୃଷ୍ଣ ମହତାବଙ୍କ ଲିଖିତ ଓଡିଶା ଇତିହାସ ପୁସ୍ତକର ହିନ୍ଦୀ ଅନୁବାଦକୁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଦୁଇଦିନ ତଳେ ଉନ୍ମୋଚନ କରି ଭର୍ତ୍ତୃହରିଙ୍କୁ ଉଚ୍ଚ ପ୍ରଂଶସା କରିଥିଲେ । ଏହି କାର୍ଯ୍ୟକ୍ରମରେ ଧର୍ମେନ୍ଦ୍ର ପ୍ରଧାନ ବି ଉପସ୍ଥିତି ଥିଲେ । ବିଜେଡି ସାଂସଦଙ୍କୁ ପ୍ରଧାନମନ୍ତ୍ରୀ ଓ କେନ୍ଦ୍ରମନ୍ତ୍ରୀଙ୍କ ପ୍ରଂଶସା ରାଜ୍ୟ ରାଜନୀତିକୁ ସରଗରମ କରିଥିଲା ।