ବିଜେପି ବରକୁ ବିଜେଡି କନିଆଁ । ନବରଙ୍ଗପୁରରେ ବେଦୀରେ ବିଜେପି ବରକୁ ବିଜେଡି କନିଆଁ ରୂପରେ ସଜେଇ ବାହାଘର କଲା କଂଗ୍ରେସ ।

115

କନକ ବ୍ୟୁରୋ: ବିଜେପି, ବିଜେଡିର ବାହାଘର କଲା ନବରଙ୍ଗପୁର କଂଗ୍ରେସ । ନବରଙ୍ଗପୁର ସଦର ବ୍ଲକ ରାଜବେହେରାଗୁଡା ଠାକୁରାଣୀ ମନ୍ଦିର ପରିସର ମଧ୍ୟରେ ଏକ ବେଦୀ ପ୍ରସ୍ତୁତ କରି ଦୁଇଜଣ କିନ୍ନରଙ୍କୁ ବର ଓ କନିଆ କରି ବାହାଘର କରିଛି କଂଗ୍ରେସ । ବିଜେପି ବରକୁ ବିଜେଡି କନିଆ ରୂପରେ ପ୍ରସ୍ତୁତ କରି ବାହାଘର କରାଯାଇଛି ।

ବିଜେପି, ବିଜେଡି ଗୋଟିଏ ମୁଦ୍ରାର ଦୁଇଟି ପାର୍ଶ୍ୱ ହୋଇ ରାଜ୍ୟବାସୀଙ୍କୁ ଭୁଆଁ ବୁଲାଉଛନ୍ତି ବୋଲି ବିଜେପି, ବିଜେଡିର ବାହାଘର କରି କଂଗ୍ରେସ ତାଚ୍ଛଲ୍ୟ କରିଛି । ଏହି ବିବାହ କାର୍ଯ୍ୟକ୍ରମରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କୁ ବର ଏବଂ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କୁ କନିଆଁ ଆକାରରେ ମୁହଁରେ ନରେନ୍ଦ୍ର ମୋଦୀ ଓ ନବୀନ ପଟ୍ଟନାୟକଙ୍କ ମୁଖା ଲଗାଇ ବାଜା ବାଜଣା ସହ ଆଦିବାସୀ ପରମ୍ପରାରେ ବାହାଘର ଅନୁଷ୍ଠିତ ହୋଇଥିଲା । ଆଦିବାସୀ ପରମ୍ପରା ଅନୁସାରେ ବର ସହ ବରଯାତ୍ରୀ ଛେଳି, ହଂସ, ଚୁଡା ଗୂଡ଼, ମୁକୁଟ, ଦୀପ ଧରି ଅଦିବାସି ଢେମ୍ସା ନାଚ କରି ଆଦିବାସୀ ମହିଳା ମାନେ କନିଆ ଘରକୁ ଆସିଥିଲେ । ପୂର୍ବତନ ନବରଙ୍ଗପୁର କଂଗ୍ରେସ ଜିଲ୍ଲା ସଭାପତି ମୁନା ତ୍ରିପାଠୀ ପୁରହିତର ଭୂମିକା ଗ୍ରହଣ କରିଥିଲେ । ବରଯାତ୍ରୀ ଆସିବା ସମୟରେ ପୂର୍ବତନ ମୁଖ୍ୟମନ୍ତ୍ରୀ ଗିରିଧର ଗମଙ୍ଗଙ୍କ ପୁଅ ଶିଶିର ଗମାଙ୍ଗ,ପୂର୍ବତନ ନବରଙ୍ଗପୁର କଂଗ୍ରେସଜିଲ୍ଲା ସଭାପତି ମୁନା ତ୍ରିପାଠୀ, ଏବଂ ଅନ୍ୟାନ୍ୟ କଂଗ୍ରେସ କର୍ମୀ ନାଚିନାଚି କାର୍ଯ୍ୟକ୍ରମ ସ୍ଥଳକୁ ଆସିଥିଲେ । କଂଗ୍ରେସ ପକ୍ଷରୁ ନିମନ୍ତ୍ରିତ ୭ଶହ ଲୋକଙ୍କ ପାଇଁ ଭୋଜିଭାତର ଆୟୋଜନ କରାଯାଇଥିଲା ।