କୋଟିଆରେ ଦେଖିବାକୁ ମିଳିଲା ନିଆରା ପୋଷ୍ଟର । ଗୋଟିଏ ପୋଷ୍ଟରରେ ବିଜେଡି, ବିଜେପି ଓ କଂଗ୍ରେସ ନେତାଙ୍କ ଚିତ୍ର

Advertisment
କୋଟିଆରେ ଦେଖିବାକୁ ମିଳିଲା ନିଆରା ପୋଷ୍ଟର । ଗୋଟିଏ ପୋଷ୍ଟରରେ ବିଜେଡି, ବିଜେପି ଓ କଂଗ୍ରେସ ନେତାଙ୍କ ଚିତ୍ର

କନକ ବ୍ୟୁରୋ: ଆଗ ମାଟି ପରେ ପାର୍ଟି । କୋଟିଆରେ ସର୍ବଦଳୀୟ ପ୍ରାର୍ଥୀଙ୍କୁ ଜିତାଇବା ପାଇଁ ରାଜ୍ୟର ତିନି ପ୍ରମୁଖ ଦଳ ଏକଜୁଟ ହୋଇଛନ୍ତି । କୋଟିଆରେ ନିଦ୍ୱର୍ନ୍ଦ୍ୱରେ ପ୍ରାର୍ଥୀ ବିଜୟ ପାଇଁ ଉଦ୍ୟମ ଫେଲ ମାରିବା ପରେ ଏବେ ସର୍ବଦଳୀୟ ପ୍ରାର୍ଥୀଙ୍କ ବିଜୟ ପାଇଁ ସବୁଦଳର ନେତାଙ୍କ ଉଦ୍ୟମ କରୁଛନ୍ତି । ଏପରିକି ସର୍ବଦଳୀୟ ପ୍ରାର୍ଥୀଙ୍କ ପ୍ରଚାର ପୋଷ୍ଟରରେ ବିଜେଡି ସୁପ୍ରିମୋ ନବୀନ ପଟ୍ଟନାୟକ, ରାଜ୍ୟ ବିଜେପି ମୁଖ୍ୟ ସମୀର ମହାନ୍ତି ଓ ପିସିସି ସଭାପତି ନିରଞ୍ଜନ ପଟ୍ଟନାୟକଙ୍କ ଫଟୋ ରହିଛି । ପଞ୍ଚାୟତ ନିର୍ବାଚନ ସମୟରେ ଏଭଳି ପୋଷ୍ଟର ରାଜ୍ୟର ଅନ୍ୟ କୌଣସି ସ୍ଥାନରେ ଦେଖିବାକୁ ମିଳିବ ନାହିଁ ।

ତ୍ରିସ୍ତରୀୟ ପଂଚାୟତ ନିର୍ବାଚନରେ ଏପରି ପୋଷ୍ଟର ରାଜ୍ୟର ଅନ୍ୟ କୌଣସି ଠାରେ ଦେଖିବାକୁ ପାଇବେନି । ଯେଉଁଠି ତିନି ପ୍ରମୁଖ ପ୍ରତିଦ୍ୱନ୍ଦ୍ୱୀ ଦଳର ନେତାଙ୍କ ଫଟୋ ଏକାଠି ଲାଗିଥିବ, ଅର୍ଥାତ ବିଜେଡି ସଭାପତି ନବୀନ ପଟ୍ଟନାୟକଙ୍କ ଫଟୋ ଥିବ, ପିସିସି ସଭାପତି ନିରଞ୍ଜନ ପଟ୍ଟନାୟକଙ୍କ ଫଟୋ ଥିବ, ଆଉ ବିଜେପି ରାଜ୍ୟ ସଭାପତି ସମୀର ମହାନ୍ତିଙ୍କ ଫଟୋ ମଧ୍ୟ ରହିଥିବ । ଆଉ ସମସ୍ତେ ଜଣେ ପ୍ରାର୍ଥୀଙ୍କ ସପକ୍ଷରେ ଭୋଟ ଅପିଲ୍ କରୁଥିବେ । ତେବେ କୋଟିଆରେ ଦେଖିବାକୁ ମିଳିଛି ଏହି ପୋଷ୍ଟର ।

ପାର୍ଟି ପଛ ମାଟି ଆଗ, ଏହି ନାରା ଦେଇ କୋଟିଆରେ ଏକାଠି ହୋଇଛନ୍ତି ବିଜେପି, ବିଜେଡି ଓ କଂଗ୍ରେସ । କୋଟିଆ ଜିଲ୍ଲାପରିଷଦ ଆସନ ପାଇଁ ସର୍ବଦଳୀୟ ପ୍ରାର୍ଥୀ ମମତା ଯାନୀଙ୍କୁ ଜିତାଇବା ପାଇଁ ସମସ୍ତେ ଲାଗିପଡିଛନ୍ତି । ତେବେ କେଉଁ ନିର୍ଦ୍ଦିଷ୍ଟ ଦଳର ଚିହ୍ନରେ ଲଢୁନାହାନ୍ତି ମମତା । କୋଟିଆ ମାଟିକୁ ହାତେଇବା ଆନ୍ଧ୍ର ଷଡଯନ୍ତ୍ରର ଜବାବ ଦେବା ପାଇଁ ଅଣ୍ଟା ଭିଡିଛନ୍ତି ସବୁ ଦଳର ନେତା । ରାଜନୀତିରେ ଏପରି ଏକତା ଦେଖାଇବା ରାଜ୍ୟରେ ପ୍ରଥମ ଥର ଦେଖିବାକୁ ମିଳିଛି ।

ଆନ୍ଧ୍ରକୁ ଚେକ୍ ଦେବା ପାଇଁ ଶନିବାର ଦିନ ଏକାଠି ହୋଇଥିଲେ ସବୁ ଦଳର ନେତା । କୌଣସି ଦଳୀୟ ଚିହ୍ନ ରହିବ ନାହିଁ । କିନ୍ତୁ ସର୍ବଦଳୀୟ ପ୍ରାର୍ଥୀ ମମତା ଯାନୀଙ୍କ ପାଇଁ ସମସ୍ତେ ପ୍ରଚାର କରିବେ । ଏପଟେ ସ୍ୱାଧୀନ ପ୍ରାର୍ଥୀ ଟିକାଇ ଗେମେଲ ମଧ୍ୟ ଜିଲ୍ଲା ପରିଷଦ ହାତେଇବା ପାଇଁ ଜୋରଦାର ପ୍ରୟାସ ଚଳାଇଛନ୍ତି । ସେ କହିଛନ୍ତି, କୋଟିଆବାସୀଙ୍କ ସମର୍ଥନ ତାଙ୍କ ସହ ରହିଛି ।ପୂର୍ବରୁ ବେଆଇନ ଭାବେ କୋଟିଆରେ ନିର୍ବାଚନ କରିଥିଲା ଆନ୍ଧ୍ର । ଏବେ ଓଡ଼ିଶା ବିଧିବଦ୍ଧ ଭାବେ ନିର୍ବାଚନ କରିବାକୁ ଯାଉଛି । ତେବେ କୋଟିଆବାସୀ କ’ଣ ଚାହୁଁଛନ୍ତି, ତାହା ଜଣାପଡିବ ଯେତେବେଳେ ନିର୍ବାଚନ ଫଳାଫଳ ଆସିବ ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe