ମେଣ୍ଟକୁ ନେଇ ଜାରି ରହିଛି ଦ୍ୱନ୍ଦ୍ୱ । ମୁହଁ ଖୋଲୁନାହାନ୍ତି ବିଜେପି ଓ ବିଜେଡିର ନେତା । ଶୀର୍ଷ ନେତୃତ୍ୱ ଉପରେ ଛାଡ଼ିଲେ ନିଷ୍ପତ୍ତି ।

184

କନକ ବ୍ୟୁରୋ: ଦିନେ କିମ୍ବା ଦୁଇ ଦିନ ଭିତରେ ସାଧାରଣ ନିର୍ବାଚନ ପାଇଁ ଆସିପାରେ ତାରିଖ । ନିର୍ବାଚନ କମିଶନର କୌଣସି ମୁହୂର୍ତ୍ତରେ ତାରିଖ ଘୋଷଣା କରିଦେବେ । କିନ୍ତୁ ଓଡ଼ିଶା ରାଜନୀତିରେ ଚାଲିଥିବା ମେଣ୍ଟ ଚର୍ଚ୍ଚା ଥମିବାର ନାଁ ନେଉନାହିଁ । ସମସ୍ତଙ୍କ ମନରେ ଗୋଟିଏ ପ୍ରଶ୍ନ, ବିଜେପି-ବିଜେଡି ମଧ୍ୟରେ ମେଣ୍ଟ ହେବ କି ନାହିଁ । ବିଜେପି ରାଜ୍ୟ ସଭାପତି ମନମୋହନ ସାମଲ ଗତକାଲି ମେଣ୍ଟକୁ ମନା କରିବା ସହ ରାଜ୍ୟରେ ଦଳ ଏକାକୀ ଲଢ଼ିବା ନେଇ ଦମ୍ଭୋକ୍ତି ଦେଖାଇଥିଲେ । କିନ୍ତୁ କିଛି ସମୟ ପରେ ବୟାନକୁ ବଦଳାଇ କେନ୍ଦ୍ରୀୟ ନେତୃତ୍ୱଙ୍କ ଉପରେ ସବୁକିଛି ଛାଡ଼ିଦେଲେ । ଅର୍ଥାତ୍ ମେଣ୍ଟ ଚର୍ଚ୍ଚା ଉପରେ ପୂର୍ଣ୍ଣଚ୍ଛେଦ ପକାଇ ମନମୋହନ, କିଛି ସମୟ ପାଇଁ ବିଜେପି କର୍ମୀଙ୍କ ମନରେ ଖୁସି ଆଣିଦେଇଥିଲେ । ହେଲେ ପୁଣି ବୟାନ ବଦଳାଇ କର୍ମୀ ଓ ରାଜ୍ୟବାସୀଙ୍କ ମନରେ ମେଣ୍ଟ ଚର୍ଚ୍ଚାକୁ ଆହୁରି ଖୋରାକ ଦେଇଦେଲେ । ବାସ୍ତବରେ ମେଣ୍ଟ ହେବ କି ନାହିଁ, ତାହା ହୁଏତ ଦୁଇ ଦଳର ନେତା ସିଧାସିଧା କିଛି କହୁନାହାନ୍ତି ।

ଅନ୍ୟପଟେ ବିଜେପି କହୁଛି, କେନ୍ଦ୍ରୀୟ ନିଷ୍ପତ୍ତିି ହେବ ଫାଇନାଲ । ସେପଟେ ବିଜେଡି ମଧ୍ୟ ସମାନ କଥା ଦୋହରାଇ ମୁଖ୍ୟମନ୍ତ୍ରୀ ତଥା ବିଜେଡି ସୁପ୍ରିମୋଙ୍କ ଉପରେ ସବୁକିଛି ଛାଡ଼ି ଦେଇଛି । ମେଣ୍ଟଚର୍ଚ୍ଚା ଭିତରେ ଗତକାଲି ନବୀନ ନିବାସରେ ବିଜେଡିର ବଡ଼ ବୈଠକ ବସିଥିଲା । ଯେଉଁଥିରେ ଯୋଗ ଦେଇଥିଲେ, ଦଳର ତୁଙ୍ଗ ନେତା । ତେବେ ବୈଠକରେ ମେଣ୍ଟକୁ ନେଇ ଚର୍ଚ୍ଚା ହୋଇଛି କି ନାହିଁ, ମେଣ୍ଟକୁ ନେଇ ଦଳର ଆଭିମୁଖ୍ୟ କଣ ରହିଛି, ସେ ସଂପର୍କରେ କିଛି କହିନଥିଲେ ନେତା । ଆଗାମୀ ନିର୍ବାଚନ ନେଇ ପର୍ଯ୍ୟବେକ୍ଷକଙ୍କ ସହ ଦଳର ସୁପ୍ରିମୋ ଆଲୋଚନା କରିଥିବା କଥା ଗଣମାଧ୍ୟମକୁ ସୂଚନା ଦେଇଥିଲେ ବିଜେଡି ଉପସଭାପତି ଦେବୀ ମିଶ୍ର । ଅନ୍ୟପକ୍ଷରେ ଲୋକସଭା ନିର୍ବାଚନ ପାଇଁ ବିଜେପି, ଦ୍ୱିତୀୟ ପ୍ରାର୍ଥୀ ତାଲିକା ମଧ୍ୟ ଜାରି କରିସାରିଛି । ପ୍ରଥମ ଭଳି ଦ୍ୱିତୀୟ ତାଲିକାରେ ମଧ୍ୟ ଓଡ଼ିଶାର ନାଁ ନାହିଁ । ତେଣୁ ଏହା ମେଣ୍ଟ ଚର୍ଚ୍ଚାକୁ ଆହୁରି ବଢ଼ାଇ ଦେଇଛି । ତେବେ ମେଣ୍ଟ ଚର୍ଚ୍ଚାରେ ଯଦି କେହି ପୂର୍ଣ୍ଣଚ୍ଛେଦ ପକାଇବ, ସେ ହେଉଛନ୍ତି ଉଭୟ ଦଳର ଶୀର୍ଷ ନେତୃତ୍ୱ ବୋଲି ଚର୍ଚ୍ଚା ହେଉଛି ।