ବିଜେଡି-ବିଜେପି : କାଦୁଅ ଫିଙ୍ଗା ରାଜନୀତି । ସୋସିଆଲ ମିଡ଼ିଆରେ ମୁହାଁମୁହିଁ ବିଜେଡି-ବିଜେପି ନେତା ।

250

କନକ ବ୍ୟୁରୋ : ଭର୍ତ୍ତୃହରିଙ୍କୁ ନେଇ ଧର୍ମେନ୍ଦ୍ର ଦେଇଥିବା ବୟାନକୁ ନେଇ ଆରମ୍ଭ ହୋଇଛି କାଦୁଅଫିଙ୍ଗା ରାଜନୀତି । ସୋସିଆଲ ମିଡ଼ିଆରେ ମୁହାଁମୁହିଁ ହୋଇଛନ୍ତି ବିଜେଡି-ବିଜେପି ନେତା । ବିଜେପି ମୁଖପାତ୍ର ସମ୍ବିତ ପାତ୍ର ବିଜେଡି ବିଧାୟକ ତଥା ଦଳର ସାଙ୍ଗଠନିକ ସମ୍ପାଦକ ପ୍ରଣବ ପ୍ରକାଶ ଦାସଙ୍କୁ ଟାର୍ଗେଟ କରିବା ସହ କହିଛନ୍ତି, ମହତାବଙ୍କ ନାଁ ଶୁଣି ଏତେ ଅସହିଷ୍ଣୁ କାହିଁକି ? ଭର୍ତ୍ତୃହରି ବାବୁଙ୍କ ପ୍ରଚେଷ୍ଟା ଯୋଗୁଁ ୨୬ ନଭେମ୍ବରକୁ ଆଜି ଦେଶ ସମ୍ବିଧାନ ଦିବସ ଭାବରେ ପାଳନ କରୁଛି । ତାଙ୍କର ଯୋଗଦାନକୁ ଦଳ ମତ ନିର୍ବିଶେଷରେ ସମସ୍ତେ ପ୍ରଶଂସା କରୁଛନ୍ତି । ମହତାବ ବାବୁ ଓଡ଼ିଆ ଲୋକ ଓ ଆପଣଙ୍କ ଦଳର । ଆପଣ ଖୁସି ହେବା ବଦଳରେ କାହିଁକି ରାଗି ଯାଉଛନ୍ତି ? ମହତାବ ପରିବାରର ଦେଶର ସ୍ୱାଧୀନତା ସଂଗ୍ରାମ ଏବଂ ଓଡ଼ିଶାର ବିକାଶ ପାଇଁ ଯୋଗଦାନ ବିଷୟରେ ରାଜ୍ୟବାସୀ ଜାଣିଛନ୍ତି ।

ବବି ବାବୁ ଏହି କଥା ଆପଣ ଆପଣଙ୍କ ବାପାଙ୍କ ଠାରୁ ଶୁଣିଥିବେ । ନହେଲେ ବରିଷ୍ଠ ମାନଙ୍କ ସହ ପରାମର୍ଶ କରି ଆପଣ ମନ୍ତବ୍ୟ ଦିଅନ୍ତୁ । ମୋର ନେତା ଧର୍ମେନ୍ଦ୍ର ପ୍ରଧାନ କଲମ୍ଵସ ନୁହଁନ୍ତି । ସେ ଓଡ଼ିଶାର ବିକାଶ ପାଇଁ ଗୁଣ୍ଡୁଚି ମୂଷାର ଯୋଗଦାନ ଦେଉଛନ୍ତି । କିଛି ଏଭଳି ଢଙ୍ଗରେ ପ୍ରଣବ ପ୍ରକାଶ ଦାସଙ୍କୁ ଟାର୍ଗେଟ କରିଛନ୍ତି ସମ୍ବିତ ।

ଏହାପୂର୍ବରୁ  ବିଜେଡ଼ିର ଲୋକସଭା ସାଂସଦ ଭର୍ତୁହରି ମହତାବକୁ ନେଇ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ଦେଇଥିବା ମନ୍ତବ୍ୟକୁ ନାପସନ୍ଦ କରିଥିଲେ  ବିଜେଡି ବିଧାୟକ ପ୍ରଣବ ପ୍ରକାଶ ଦାସ । ଟ୍ୱିଟ ମାଧ୍ୟମରେ ଆକ୍ଷେପ କରି କହିଛନ୍ତି ଯେ କଲମ୍ବସ ପରି ଭର୍ତୃହରି ବାବୁଙ୍କ ବୁଦ୍ଧି ଓ ଅଭିଜ୍ଞତାର ଆବିଷ୍କାର କରିଛନ୍ତି ଧର୍ମେନ୍ଦ୍ର । ଲାଲାକୃଷ୍ଣ ଆଡଭାନୀ ଓ ମୁରଲୀ ମନୋହର ଯୋଶୀଙ୍କ ଅମାପ ଅଭିଜ୍ଞତା ଓ ଦକ୍ଷତାର ମଧ୍ୟ ସେହିଭଳି ସଦୁପଯୋଗ କରନ୍ତୁ କେନ୍ଦ୍ରମନ୍ତ୍ରୀ । କାରଣ ସେମାନେ ମଧ୍ୟ ଯଥେଷ୍ଟ ବୁଦ୍ଧିମାନ ଓ ବିଜେପି ପାଇଁ ସମର୍ପିତ ।

ତେବେ ପ୍ରଜାତନ୍ତ୍ରର ବିଷୁବ ମିଳନ ଉତ୍ସବରେ ଭର୍ତୃହରିଙ୍କୁ ନେଇ ଧର୍ମେନ୍ଦ୍ରଙ୍କ ମନ୍ତବ୍ୟ ପରେ ଏହି  କାଦୁଅଫିଙ୍ଗା ରାଜନୀତି  ଆରମ୍ଭ ହୋଇଥିଲା । କଟକରେ ୭୨ ତମ ବିଷୁବ ମିଳନ ଉତ୍ସବକୁ  ଉଦଘାଟନ କରି  ଧର୍ମେନ୍ଦ୍ର ପ୍ରଧାନ କହିଥିଲେ,  ସାରାଦେଶରେ  ନଭେମ୍ବର ୨୬ ତାରିଖକୁ  ଏବେ ସମ୍ବିଧାନ ପ୍ରତିଷ୍ଠା ଦିବସ  ଭାବେ ପାଳନ କରୁଛି । ଏହାପଛରେ  ଭତର୍୍ୃହରିଙ୍କ ପ୍ରମୁଖ ଭୂମିକା ରହିଛି । କିନ୍ତୁ ବିଜେଡି ଏବେ ତାଙ୍କୁ କାହିଁକି ଗୁରୁତ୍ୱ ଦେଉନାହିଁ, ତାହା ତାଙ୍କୁ ଆଶ୍ଚର୍ଯ୍ୟ କରିଛି । ଧର୍ମେନ୍ଦ୍ରଙ୍କ ଏଭଳି ମନ୍ତବ୍ୟ  ରାଜନୈତିକ ଚର୍ଚ୍ଚାର ପ୍ରମୁଖ ପ୍ରସଙ୍ଗ ହୋଇଛି ।