କେନ୍ଦ୍ରମନ୍ତ୍ରୀଙ୍କୁ ମାଡ ଘଟଣା : ବିଜେଡି ଆକ୍ରମଣ ପ୍ରତିବାରେ ରାଜ୍ୟପାଳଙ୍କୁ ସ୍ମାରକପତ୍ର ଦେଲା ବିଜେପି

24

ଭୁବନେଶ୍ୱର ବ୍ୟୁରୋ , କନକ ନ୍ୟୁଜ୍ : କେନ୍ଦ୍ରମନ୍ତ୍ରୀଙ୍କୁ ମାଡ ଘଟଣାରେ ରାଜ୍ୟପାଳଙ୍କ ନିକଟରେ ସ୍ମାରକପତ୍ର ଦେଲା ବିଜେପି । ଏହି ଘଟଣାର ରାଜ୍ୟପାଳଙ୍କ ହସ୍ତକ୍ଷେପ ଦାବି କରି ସ୍ମାରକ ପତ୍ର ପ୍ରଦାନ କରିଛି ବିଜେପି । ବରିଷ୍ଠ ନେତା ପ୍ରତାପ ଷଡ଼ଙ୍ଗୀଙ୍କ ନେତୃତ୍ୱରେ ରାଜ୍ୟପାଳଙ୍କୁ ଭେଟିଛି ବିଜେପି । ଘଟଣା ସଂପର୍କରେ ରାଜ୍ୟପାଳଙ୍କୁ ସଂପୂର୍ଣ୍ଣ ଅବଗତ କରାଯାଇଥିବା କହିଛନ୍ତି ବିଜେପି ସାଧାରଣ ସଂପାଦକ ଭୃଗୁ ବକ୍ସି ପାତ୍ର ।

ସେପଟେ ବିଜେଡି କର୍ମୀଙ୍କ ଆକ୍ରମଣକୁ ନିନ୍ଦା କରିବା ସହ ଘଟଣାର ଏକ ସ୍ୱତନ୍ତ୍ର ଟିମ୍ ଜରିଆରେ ତଦନ୍ତ କରିବା ପାଇଁ କେନ୍ଦ୍ର ଗୃହ ସଚିବଙ୍କୁ ଚିଠି ଲେଖିଛନ୍ତି ବରିଷ୍ଠ ବିଜେପି ନେତା ବିଜୟ ମହାପାତ୍ର । ବରଗଡ ଏସପି ଓ ପୋଲିସ ଡିଜିଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ପାଇଁ ସେ ଚିଠିରେ ଲେଖିଛନ୍ତି । ବିକ୍ଷୋଭକାରୀଙ୍କୁ ପୋଲିସ ସୁରକ୍ଷା ଯୋଗାଇ ଦେଉଥିବା ଅଭିଯୋଗ କରି ପୂରା ଘଟଣାର କେନ୍ଦ୍ରୀୟ ତଦନ୍ତ ପାଇଁ ଦାବି କରିଛନ୍ତି ବିଜୟ ମହାପାତ୍ର ।

ବରଗଡରେ କେନ୍ଦ୍ରମନ୍ତ୍ରୀଙ୍କ ଗାଡି ଭଙ୍ଗାରୁଜା ଘଟଣାରେ ସିବିଆଇ ତଦନ୍ତ ଦାବି କରିଛନ୍ତି ବରିଷ୍ଠ ବିଜେପି ନେତା ସୁରେଶ ପୂଜାର । ଏହା ପଛରେ ଏକ ଷଡଯନ୍ତ୍ର ଥିବା ଅଭିଯୋଗ କରିଛି ବିଜେପି । ଏନେଇ ସିଧାସଳଖ ତୃତୀୟ ମହଲାକୁ ସେ ଟାର୍ଗେଟ କରିଛନ୍ତି । ବିଧାୟକ , ଜିଲ୍ଳାପାଳ, ଏସପି ଓ ମୁଖ୍ୟମନ୍ତ୍ରୀଙ୍କ ଅଫିସ ମିଳିତ ଭାବେ ଏହି ଷଡଯନ୍ତ୍ର କରିଥିବାର ଅଭିଯୋଗ ଆଣିଛନ୍ତି । ଏପରିକି ପୁଲିସ ଜାଣିଶୁଣି କେନ୍ଦ୍ରମନ୍ତ୍ରୀଙ୍କୁ ଭିଡ ଭିତରକୁ ନେଲା ବୋଲି ସେ କହିଛନ୍ତି ।