ଟିକେଟ୍ ପାଇଁ ନେତାଙ୍କ ହାତରେ ବାୟୋଡାଟା ! ନବୀନ ନିବାସରେ ବଢୁଛି ଆଶାୟୀଙ୍କ ଧାଡି, ନିଜ ଯୋଗ୍ୟତା ଲେଖି ସୁପ୍ରିମୋଙ୍କ ମନ ଜିଣିବାକୁ କରୁଛନ୍ତି ପ୍ରୟାସ ।

199

କନକ ବ୍ୟୁରୋ : କିଛି ଦିନ ଧରି ଆପଣ ଶୁଣି ଆସୁଥିବେ ଟିକେଟ୍ ପାଇବା ଆଶାରେ ଶହ ଶହ ନେତା ଓ କର୍ମୀ ହାତରେ ବାୟୋଡାଟା ଧରି ପହଁଚୁଛନ୍ତି ଭୁବନେଶ୍ୱରରେ । ବିଜେଡି ଟିକେଟ୍ ପାଇବା ପାଇଁ ନବୀନ ନିବାସ ଆଗରେ ଲାଗୁଛି ଲମ୍ବାଲାଇନ୍ । ବାୟୋଡାଟା ସହ ହଜାର ହଜାର ଆବେଦନ ପତ୍ର ପହଁଚୁଛି ଦଳୀୟ ସୁପ୍ରିମୋଙ୍କ ନିକଟରେ । ସେହିପରି ବିଜେପି ଓ କଂଗ୍ରେସ ଶିବିରରେ ମଧ୍ୟ ଏକା ଅବସ୍ଥା । ତେବେ ବିଧାୟକ କିମ୍ବା ସାଂସଦ ପ୍ରାର୍ଥୀ ହେବା ପାଇଁ ନେତାମାନେ ସେମାନଙ୍କ ବାୟୋଡାଟାରେ କ’ଣ ଲେଖଥାନ୍ତି, ଜାଣିଛନ୍ତି କି ?

ନେତାଙ୍କ ହାତରେ ବାୟୋ-ଡାଟା । ଟିକେଟ୍ ଆଶାୟୀଙ୍କ ଲମ୍ବାଲାଇନ୍ । ବାୟୋଡାଟା ଧରି ସରକାରୀ ବେସରକାରୀ କାର୍ଯ୍ୟାଳୟ ଆଗରେ ଚାକିରି ଆଶାୟୀଙ୍କ ଲମ୍ବା ଲାଇନ୍ ଦେଖିଥିବେ, ହେଲେ ଯେଉଁ ଭିଡ଼ କଥା ଆମେ କହୁଛୁ, ତାହା ହେଉଛି ବାୟୋଡାଟା ଧରିଥିବା ନେତାଙ୍କ ଭିଡ଼ । ଟିକେଟ୍ ପାଇବା ଆଶାରେ ଓଡ଼ିଶାର କୋଣ ଅନୁକୋଣରୁ ବାୟୋଡାଟା ଧରି ପହଁଚିଛନ୍ତି ଶହ ଶହ ନେତା ଓ କର୍ମୀ । ମନରେ ଅଶା ରହିଛି ସୁପ୍ରିମୋ ତାଙ୍କ ଯୋଗ୍ୟତା ଦେଖି ବିଧାୟକ କିମ୍ବା ସାଂସଦ ପ୍ରାର୍ଥୀ ଭାବେ ଚୟନ କରିପାରନ୍ତି । ଚାକିରି ପାଇଁ ବାୟୋଡାଟାରେ କ’ଣ ଲେଖିବାକୁ ହୁଏ, ତାହା ଆପଣ ଜାଣିଥିବେ । ତେବେ ବିଧାୟକ ଓ ସାଂସଦ ପ୍ରାର୍ଥୀ ହେବା ପାଇଁ କିପରି ବାୟୋଡାଟା ଲେଖାଯାଏ, ତାହା ଜାଣିବାକୁ ସମସ୍ତଙ୍କ ମନରେ ଉତ୍କଣ୍ଠା ରହିବା ସ୍ୱାଭାବିକ । ଆସନ୍ତୁ ଜାଣିବା କିଛି ଆଶାୟୀ ପ୍ରାର୍ଥୀଙ୍କ ବାବଦରେ, ଯିଏକି ହାତରେ ବାୟୋଡାଟା ଧରି ପହଞ୍ଚିଥିଲେ ନବୀନ ନିବାସରେ ।

ବସୁନ୍ଧର ଦଳେଇ । ରେମୁଣା ବିଧାୟକ ପ୍ରାର୍ଥୀ ହେବା ଆଶାରେ ବାୟୋଡାଟା ଧରି ପହଁଚିଛନ୍ତି ନବୀନ ନିବାସରେ । କେତେ ବର୍ଷ ଧରି ଦଳ ପାଇଁ କାର୍ଯ୍ୟ କରିଛନ୍ତି । କେଉଁ କେଉଁ ସଂଗଠନରେ କାମ କରିଛନ୍ତି, କେଉଁ କାର୍ଯ୍ୟ ସଫଳତାର ସହ କରିଛନ୍ତି ସବୁ ଉଲ୍ଲେଖ କରିଛନ୍ତି ତାଙ୍କ ବାୟୋଡାଟାରେ ।ବାୟୋଡାଟା ଧରି ପହଁଚିଥିବା ଆଉ ଜଣେ ଟିକେଟ୍ ଆଶାୟୀ ହେଉଛନ୍ତି ସମିତା କୁମାରୀ ନାୟକ । କଳାହାଣ୍ଡି ଲୋକସଭା ପ୍ରାର୍ଥୀ ପାଇଁ ଦାବି କରୁଛନ୍ତି ସମିତା । ତାଙ୍କ ବାୟୋଡାଟାରେ ଲେଖାଯାଇଛି, ସେ ହେଉଛନ୍ତି କଳାହାଣ୍ଡି ବିଜେଡି ମହିଳା ସେଲର ଭାଇସ ପ୍ରେସିଡେଂଟ୍ । ନିଜର ଯୋଗ୍ୟତା ସଂପର୍କରେ ପୂର୍ଣ୍ଣ ବିବରଣୀ ଦେଇଛନ୍ତି ସମିତା ।

ବିଜେଡି ସୁପ୍ରିମୋ ନବୀନ ପଟ୍ଟନାୟକଙ୍କ ରାଜନୈତିକ ସଚିବ ଗୋପବନ୍ଧୁ ଦାସଙ୍କୁ ବାୟୋଡାଟା ଦେଉଛନ୍ତି ଟିକେଟ୍ ଆଶାୟୀ । ସେହିପରି ଆଉ ଜଣେ ବିଜେଡି ଟିକେଟ୍ ଆଶାୟୀ ହେଲେ ଭୀଷ୍ମଦେବ ସରାଫ । ବାୟୋଡାଟାରେ ନିଜ ଯୋଗ୍ୟତା ଲେଖି ବରଗଡ଼ ଲୋକସଭା କିମ୍ବା ବିଜେପୁର ବିଧାନସଭା ପାଇଁ ପ୍ରାର୍ଥୀ ହେବାକୁ ଦାବି ଜଣାଇଛନ୍ତି ଭୀଷ୍ମଦେବ । ଏହିପରି ହଜାର ହଜାର ଆଶାୟୀ, ଟିକେଟ୍ ପାଇଁ ବାୟୋଡାଟା ଯୋଡି ସୁପ୍ରିମୋଙ୍କ ନିକଟରେ ଆବେଦନ କରୁଛନ୍ତି ।