ଧର୍ମେନ୍ଦ୍ରଙ୍କୁ ବିଜେଡିର ପ୍ରଶ୍ନବାଣ ! କୁଆଡେ ଗଲା ୧୦ କୋଟି ନିଯୁକ୍ତି, ରାଜ୍ୟବାସୀଙ୍କୁ କାହିଁକି ମିଛ କହୁଛି ବିଜେପି । ଉତ୍ତର ଦେବାକୁ ଆହ୍ୱାନ ଦେଲା ବିଜେଡି

463

କନକ ବ୍ୟୁରୋ : କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନଙ୍କୁ ବିଜେଡିର ୨୦ଟି ପ୍ରଶ୍ନ । ୫ ବର୍ଷ ମଧ୍ୟରେ କେନ୍ଦ୍ର ସରକାର ଦେଇଥିବା ପ୍ରତିଶୃତି କେତେ ପୂରଣ କରିଛନ୍ତି ସେନେଇ ଉଭୟ ବିଜେପି ଓ ଧର୍ମେନ୍ଦ୍ରଙ୍କୁ ପ୍ରଶ୍ନ କରିଛି ବିଜେଡିର ଆଇଟି ସେଲ ମୁଖ୍ୟ ତଥା ମୁଖପାତ୍ର ଅମର ପଟ୍ଟନାୟକ । ନଜର ପକାନ୍ତୁ ବିଜେଡିର ୨୦ଟି ପ୍ରଶ୍ନ ଉପରେ :

ଉଜ୍ଜଳା ଯୋଜନା : ଉଜ୍ଜଳା ଯୋଜନାରେ କେତେ ଜଣ ହିତାଧିକାରୀ ରହିଛନ୍ତି ଓ କେତେଜଣଙ୍କର ଗ୍ୟାସ ରିଫିଲିଂ ହୋଇଛି ତାହାର ତାଲିକା ପ୍ରକାଶ କରିବାକୁ କାହିଁକି ଡରୁଛନ୍ତି ତୈଳମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ । ସଂସଦରେ କେନ୍ଦ୍ରମନ୍ତ୍ରୀ ଦେଇଥିବା ଉତ୍ତର ଅନୁଯାୟୀ, ୮୦ ଭାଗ ହିତାଧିକାରୀ ଏଯାଏଁ ରିଫିଲିଂ କରିନାହାନ୍ତି । ଉଜ୍ଜଳା ଯୋଜନାରେ କେନ୍ଦ୍ରାପଡାରେ ଯେଉଁ ଦୁର୍ନୀତି ହୋଇଥିଲା ତାହାକୁ କାହିଁକୁ ଲୁଚାଯାଉଛି ।
ତୈଳ ଦର : ଅର୍ନ୍ତଜାତୀୟ ବଜାରରେ ଅଶୋଧିତ ତୈଳ ଦର କମ ଥିବା ବେଳେ ଦେଶ ତଥା ରାଜ୍ୟରେ କାହିଁକି ତୈଳ ଦର ବଢୁଛି । ଏପରିକି ୨୦୧୪ ତୁଳନାରେ ଅର୍ନ୍ତଜାତୀୟ ବଜାରରେ ଅଶୋଧିତ ତୈଳ ଦର କମ ରହିଛି କିନ୍ତୁ ଏବେ ମଧ୍ୟ ୨୦୧୪ରେ ଥିବା ତୈଳ ଦର ହିସାବରେ ପେଟ୍ରୋଲ ଓ ଡିଜେଲର ଦର ନିଆଯାଉଛି । ଏହା କେନ୍ଦ୍ରମନ୍ତ୍ରୀଙ୍କ ବିଫଳତା । କାହିଁକି ଧର୍ମେନ୍ଦ୍ର ଲୋକଙ୍କୁ ଏଭଳି ଲୁଟୁଛନ୍ତି ।
ରେଲୱେ : ଓଡ଼ିଶା ରେଳବିଭାଗକୁ ବାର୍ଷିକ ୨୦ ହଜାର କୋଟି ଟଙ୍କା ରାଜସ୍ୱ ଦେଉଛନ୍ତି । କିନ୍ତୁ ଓଡିଶାକୁ ରେଳ ବଜେଟରେ ମିଳୁଛି ମାତ୍ର ୨୦୦୦ କୋଟି ଟଙ୍କା । ଓଡିଶା ପ୍ରତି କାହିଁକି ଏତେ ପାତର ଅନ୍ତର କରୁଛନ୍ତି କେନ୍ଦ୍ର ତାହାର ଜବାବ ଦିଅନ୍ତୁ କେନ୍ଦ୍ରମନ୍ତ୍ରୀ ।
ଜାତୀୟ ରାଜପଥ : ଗତ ୪ ବର୍ଷ ମଧ୍ୟରେ ଜାତୀୟ ରାଜପଥ ପାଇଁ କେବଳ ଶିଳାନ୍ୟାସ କରାଯାଇଛି । କିନ୍ତୁ ନିର୍ମାଣ କାର୍ଯ୍ୟ କେବେ ଶେଷ ହେବ ତାହା ଜଣାନାହିଁ । ରାଜ୍ୟରେ କାହିଁକି ଏହି ପ୍ରକଳ୍ପ ଗୁଡିକ ମନ୍ଥର ଗତିରେ ଚାଲିଛି ତାହାର ଉତ୍ତର ଦିଅନ୍ତୁ କେନ୍ଦ୍ରମନ୍ତ୍ରୀ ।
ଆହାର ଯୋଜନା : ୨୦୧୫ରୁ ରାଜ୍ୟରେ ଆହାର ଯୋଜନାର ଆରମ୍ଭ ହୋଇଥିଲା । ଗେଲ ଓ ଏମସିଏଲ ଭଳି ସଂସ୍ଥା ଆହାର ଯୋଜନାରେ ସହାୟତା ଦେବା ପାଇଁ ସରକାରଙ୍କ ସହ ଏମଓୟୁ ସ୍ୱାକ୍ଷରିତ କରିଥିଲେ । କିନ୍ତୁ ଚାପ ପଡିବା ପରେ ରାତାରାତି ଏହି ଚୁକ୍ତିରୁ ଓହରିଥିଲେ ଏହି ଦୁଇ ସଂସ୍ଥା । କଣ ଗେଲ ଓ ଏମସିଏଲର ସିଏସଆର ଫଣ୍ଡ ବିହାର ଓ ମଧ୍ୟପ୍ରଦେଶ ଯାଉଛି ଯେଉଁଠୁ ଧର୍ମେନ୍ଦ୍ର ରାଜ୍ୟସଭା ସାଂସଦ ଭାବେ ନିର୍ବାଚିତ ହୋଇଛନ୍ତି । କାହା ଚାପରେ ଏହି ଦୁଇ ସଂସ୍ଥା ଓହରିଲେ ତାହାର ଜବାବ ଧର୍ମେନ୍ଦ୍ର ଦିଅନ୍ତୁ ବୋଲି ବିଜେଡି ପ୍ରଶ୍ନ କରିଛି ।
ସ୍ୱଚ୍ଛ ଶକ୍ତି ସେସ୍ : କ୍ଲିନ ଏନର୍ଜି ସେସ ବାବଦକୁ କେନ୍ଦ୍ର ସରକାର ରାଜ୍ୟ ସରକାରଙ୍କ ଠାରୁ ୨୧ ହଜାର କୋଟି ଟଙ୍କା ନେଇଥିବା ବେଳେ ଗୋଟିଏ ଟଙ୍କା ମଧ୍ୟ ଫେରସ୍ତ ଦେଇନାହାନ୍ତି । ଓଡିଶା ପ୍ରତି କେନ୍ଦ୍ର ସରକାରଙ୍କ ଏଭଳି ବୈମାତୃକ ମନୋଭାବ କାହିଁକି ତାହାର ଉତ୍ତର ଧର୍ମେନ୍ଦ୍ର ଦିଅନ୍ତୁ ।
ଆଇଓସିଏଲ : କେନ୍ଦ୍ର ସରକାରରେ ମନ୍ତ୍ରୀ ଭାବେ ଆଇଓସିଏଲରେ ଧର୍ମେନ୍ଦ୍ର ପ୍ରଧାନଙ୍କ ଅବଦାନ କଣ ? କେତେ ଜଣ ଓଡିଆ ଯୁବକ ଯୁବତୀ ଆଇଓସିଏଲରେ ନିଯୁକ୍ତି ପାଇଛନ୍ତି ତାହାର ଉତ୍ତର ଧର୍ମେନ୍ଦ୍ର ଦେବେ କି?
ସର୍ବନିମ୍ନ ସହାୟକ ମୂଲ୍ୟ : ସର୍ବନିମ୍ନ ସହାୟକ ମୂଲ୍ୟ ଦେଢ ଗୁଣା କରିବା ଓ ସ୍ୱାମୀନାଥନ କମିଟି ରିପୋର୍ଟକୁ ଲାଗୁ କରିବାକୁ ବିଜେପି ସରକାର ଯେଉଁ ପ୍ରତିଶୃତି ଦେଇଥିଲା ତାହାକୁ କେତେ ପୂରଣ କରିଛି?
ମହାନଦୀ : ମହାନଦୀ ପ୍ରସଙ୍ଗରେ ବିଜେପି ଚୁପ୍ କାହିଁକି ଥିଲା । ଉପରମୁଣ୍ଡରେ ଛତିଶଗଡର ବ୍ୟାରେଜ ନିର୍ମାଣକୁ କାହିଁକି ସମର୍ଥନ କରୁଥିଲା ରାଜ୍ୟ ବିଜେପି । ଏହି ପ୍ରସଙ୍ଗରେ ରାଜ୍ୟର ସମର୍ଥନରେ କାହିଁକି ବିଜେପି ବାହାରୁ ନାହିଁ ତାହାର ଉତ୍ତର ଧର୍ମେନ୍ଦ୍ର ଦିଅନ୍ତୁ ।
ଦ୍ୱିତୀୟ ବ୍ରାହ୍ୱଣୀ ସେତୁ : ଦ୍ୱିତୀୟ ବ୍ରାହ୍ମଣୀ ସେତୁ ନିର୍ମାଣ କାର୍ଯ୍ୟ କାହିଁକି ଆରମ୍ଭ କରୁନି ବିଜେପି । ଯେଉଁଥିପାଇଁ ଦଳର ବିଧାୟକ ଇସ୍ତଫା ଦେବାକୁ ପଛାଇଲେନାହିଁ ସେହି ପ୍ରସଙ୍ଗରେ କାହିଁକି ଶୋଇ ରହିଛି ବିଜେପି । କେନ୍ଦ୍ରମନ୍ତ୍ରୀ ହିସାବରେ ଧର୍ମେନ୍ଦ୍ର ଏହାର ଉତ୍ତର ଦିଅନ୍ତୁ ବୋଲି କହିଛି ବିଜେଡି ।
ସୁପର ସ୍ପେଶାଲିଷ୍ଟ ହସ୍ପିଟାଲ : ରାଉରକେଲାରେ ସୁପର ସ୍ପେଶାଲିଷ୍ଟ ହସ୍ପିଟାଲ ନିର୍ମାଣ କରିବା ନେଇ କେନ୍ଦ୍ର ସରକାର ପ୍ରତିଶୃତି ଦେଇଥିଲା । କିନ୍ତୁ ଏଯାଏଁ କାହିଁକି ନିର୍ମାଣ ହୋଇନାହିଁ । କାହିଁକି ବିଜେପି ରାଉରକେଲାବାସୀଙ୍କୁ ମିଛ କହୁଛନ୍ତି ତାହାର ଉତ୍ତର ଦିଅନ୍ତୁ କେନ୍ଦ୍ରମନ୍ତ୍ରୀ ।
ସ୍ୱତନ୍ତ୍ର ରାଜ୍ୟ ପାହ୍ୟା : ୨୦୧୪ରେ ନିର୍ବାଚନୀ ଇସ୍ତାହାରରେ ଶାସନ କ୍ଷମତାକୁ ଆସିଲେ ଓଡିଶାକୁ ସ୍ୱତନ୍ତ୍ର ରାଜ୍ୟ ପାହ୍ୟା ଦେବାକୁ ଘୋଷଣା କରିଥିଲା ବିଜେପି । ତେବେ ସରକାରକୁ ଆସିବା ପରେ ସ୍ୱତନ୍ତ୍ର ରାଜ୍ୟ ପାହ୍ୟା ନ ଦେଇ ଓଡିଶାବାସୀଙ୍କୁ କାହିଁକି ବିଜେପି ସରକାର ମିଛ କହୁଛନ୍ତି ତାହାର ଉତ୍ତର କେନ୍ଦ୍ରମନ୍ତ୍ରୀ ଦିଅନ୍ତୁ ବୋଲି ବିଜେଡି କହିଛି ।
ପୋଲାଭରମ : ପୋଲାଭରମ ପ୍ରକଳ୍ପ ଦ୍ୱାରା ମାଲକାନଗିରି ଜିଲ୍ଲା କ୍ଷତିଗ୍ରସ୍ତ ହୋଇଥିବା ଜାଣି କେନ୍ଦ୍ର ସରକାର ଆନ୍ଧ୍ର ପ୍ରଦେଶକୁ ହଜାର ହଜାର କୋଟି ଟଙ୍କା ଦେଉଛନ୍ତି । ଏହା କାହିଁକି ହେଉଛି ମାନ୍ୟବର ମନ୍ତ୍ରୀ ଉତ୍ତର ଦେବେ କି?
ଟେଲି କମ୍ୟୁନିକେସନ : ଓଡିଶାରେ ଟେଲି କମ୍ୟୁନିକେସନ ଅବସ୍ଥା ଅତି ଗମ୍ଭୀର । ଲୋକମାନେ ଗଛ ଉପରକୁ ଗଲେ ନେଟୱାର୍କ ଆସୁଛି । ଏହାର ଉତ୍ତର ଦେବେ ଧର୍ମେନ୍ଦ୍ର ଦେବେ କି ବୋଲି ପ୍ରଶ୍ନ କରିଛି ବିଜେଡି ।
୧୦ କୋଟି ଚାକିରି : ୨୦୧୪ ନିର୍ବାଚନୀ ଇସ୍ତାହାରରେ ପ୍ରତି ବର୍ଷ ୨ କୋଟି ନିଯୁକ୍ତି ସୃଷ୍ଟି କରିବାକୁ ପ୍ରତିଶୃତି ଦେଇଥିଲା ବିଜେପି । କିନ୍ତୁ ଦେଇଥିବା ପ୍ରତିଶୃତି ମୁତାବକ ଚାକିରି କୁଆଡେ ଗଲା ବୋଲି ଧର୍ମେନ୍ଦ୍ରଙ୍କୁ ପ୍ରଶ୍ନ ପଚାରିଛି ବିଜେଡି ।
ଆକାଉଣ୍ଟରେ ୧୫ ଲକ୍ଷ: ୨୦୧୪ ନିର୍ବାଚନୀ ଇସ୍ତାହାରରେ ସମସ୍ତ ଆକାଉଣ୍ଟକୁ ୧୫ ଲକ୍ଷ ଟଙ୍କା ଆସିବ ବୋଲି ସରକାର ପ୍ରତିଶୃତି ଦେଇଥିଲେ । କିନ୍ତୁ ସରକାରକୁ ଆସିବା ପରେ ଏହାକୁ କିପରି ଭୁଲି ଯାଇଛନ୍ତି ବୋଲି ଧର୍ମେନ୍ଦ୍ରଙ୍କୁ ପ୍ରଶ୍ନ କରିଛି ବିଜେଡି ।