କନକ ବ୍ୟୁରୋ: ସଂଜୟ ଦାସ ବର୍ମା,... ଏକଦା ବିଜେଡି ପାୱାର କରିଡରରେ ଥିଲେ ଜଣେ ପାୱାରଫୁଲ ନେତା ତଥା ଦଳର କ୍ରାଇସିସ ମ୍ୟାନେଜର । ବିଜେଡି ସଂଗଠନରେ ତାଙ୍କର ଥିବା ପ୍ରଭାବ ଆଉ ପତିଆରା । ନିର୍ବାଚନ ମୈଦାନରେ ବିରୋଧୀଙ୍କୁ ମାତ ଦେବାଠାରୁ ଆରମ୍ଭ କରି ବିଜେଡି ସଂଗଠନକୁ ତୃଣମୂଳସ୍ତରରେ ମଜବୁତ କରିବାରେ ସେ ଥିଲେ ସିଦ୍ଧହସ୍ତ । ୨୦୧୪ ସାଧାରଣ ନିର୍ବାଚନ ହେଉ କି ୨୦୧୯ ନିର୍ବାଚନ ଦଳରେ କାହାକୁ ଟିକେଟ ମିଳିବ ଆଉ କେଉଁ ଆସନରୁ କିଏ ଲଢିବ ତାହାର ମଧ୍ୟ ନିଷ୍ପତି ନେଉଥିଲ । ଖାଲି ସେତିକି ନୁହେଁ ବିଜେପୁର ,ପାଟକୁରା ଓ ତିର୍ତୋଲ ଭଳି ହୋଇଭୋଟେଜ ଉପନିର୍ବାଚନ ମଇଦାରେ ବିରୋଧୀଙ୍କୁ ଚେକ ଦେବାର ମୁଖ୍ୟ କାର୍ପଟଦାର ଥିଲେ ସଂଜୟ ଦାସ ବର୍ମା ।

Advertisment

ସେହିପରି ବିଜେଡି ଯୁବ ଓ ଛାତ୍ର ସଂଗଠନର ନିଷ୍ପତି ସଂଜୟ ଦାସବର୍ମାଙ୍କ ବିନା ପତ୍ରଟିଏ ବି ହଲୁନଥିଲା । ୨୦୧୯ ସାଧାରଣ ନିର୍ବାନରେ ନବରଙ୍ଗପୁର ଓ ରାୟଗଡା ସଂଗଠନ ଦାୟିତ୍ୱରେ ରହି ନିଜର ବ୍ରହ୍ମଗିରି ଆସନକୁ ହାତଛଡା କରିଥିଲେ ସଂଜୟ । କିନ୍ତୁ ପରଜାୟ ପରେ ବି ଦଳ ତାଙ୍କୁ କୋଣଠେସା କରିନଥିଲା । ବିଭିନ୍ନ ଜିଲ୍ଲାର ସଂଗଠନ ଦାୟିତ୍ୱ ଦେବା ସହ ସଂଜୟଙ୍କୁୁ କ୍ୟାବିନେଟ ପାହ୍ୟା ଯୋଜନା ବୋର୍ଡ ଉପାଧ୍ୟକ୍ଷ ପଦବୀ ଦେଇଥିଲେ ବିଜେଡି ସୁପ୍ରିମୋ ତଥା ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ।

ଖାଲି ସେତିକି ବିଜେଡି ସଂଗଠନର ଢାଂଚା ଯେବେବେଳେ ବଦଳିଥିଲା ସେତେବେଳେ ପ୍ରଣବ ପ୍ରକାଶ ଦାସଙ୍କୁ ସାଂଗଠନିକ ସଂପାଦକ ଓ ସଂଜୟ ଦାସବର୍ମାଙ୍କୁ ସାଧାରଣ ସଂପାଦକ ( ହେଡ କ୍ୱାର୍ଟର ) ଦାୟିତ୍ୱ ମଧ୍ୟ ମିଳିଥିଲା । ଆଉ ଏହି ଦାୟିତ୍ୱର କିଛି ଦିନ ପରେ୍ ଅର୍ଥାତ ୨୦୨୦ ପରେ ସଂଜୟ ଦାସ ବର୍ମାଙ୍କ ପତିଆରା ଦଳର କମିଥିଲା । ଏଥିପାଇଁ କହୁଛୁ, ସେତେବେଳେ ଯୁବ ଓ ଛାତ୍ର ସଭାପତି ଓ କାର୍ଯ୍ୟକର୍ତା ଚୟନରେ ସଂଜୟଙ୍କୁ ପଚରାଯାଇନଥିଲା ଏପରିକି ସଂଜୟ ଦାସ ବର୍ମାଙ୍କ ଗୋଷ୍ଠୀ ପିଲାଙ୍କୁ ସଂଗଠନରୁ ଆଉଟ କରାଯାଇଥିଲା । ଯାହାକୁ ନେଇ ସଂଜୟ ସେତେବେଳେ ଅସନ୍ତୋଷ ସହ ପ୍ରତିକ୍ର୍ୟିାଶୀଳ ହୋଇଥିଲେ ।

ଯେଉଁ ସଂଜୟଙ୍କ ବିନା ବିଜେଡି ଛାତ୍ର ଓ ଯୁବ ସଂଗଠନର ପତ୍ର ହଲୁନଥିଲା ସେହି ସଂଜୟଙ୍କ ବିନା ୨୦୨୦ ଡିସେମ୍ବର ମାସରେ ବିଜେଡି ରାଜ୍ୟ କାର୍ଯ୍ୟାଳୟରେ ବସିଥିଲା ଯୁବ ଓ ଛାତ୍ର କାର୍ଯ୍ୟକାରିଣୀ ବୈଠକ । ଯାହାର ସଂପୂର୍ଣ୍ଣ ନେତୃତ୍ୱ ନେଇଥିଲେ ଦଳର ପାୱାର ଫୁଲ ନେତା ପ୍ରଣବ ପ୍ରକାଶ ଦାସ । ଅର୍ଥାତ ସଂଜୟଙ୍କୁ ଆଉଟ କରି ବବି ଛାତ୍ର ଓ ଯୁବ ସଂଗଠନକୁ ହାଇଜାକ କରିନେଇଥିଲେ ବବି ଦାସ । ଆଉ ସେତେବେଳୁଠୁ ସଂଜୟ ବିଜେଡି ପାୱାର କରିଡର ନିଜର ଅସନ୍ତୋଷ ପ୍ରକାଶ କରିଆସୁଥିଲେ ।

ଏବେ ନଜର ପକେଇବା ଆଉ ଏକ ଘଟଣା ଉପରେ – ଗତ ଏପ୍ରିଲ ମାସରେ ହେବାକୁ ଥିବା ପିପିଲି ଉପ ନିର୍ବାଚନରେ ବିଜେଡି ଅନେକ କସରତ କରିଥିଲା କିଭଳି ଏହି ଆସନକୁ କବଜା କରିବା ପାଇଁ । ଆଉ ସେତେବେଳେ ଅନେକ ନେତାଙ୍କୁ ବ୍ଲକ ଓ ପଂଚାୟତ ଦାୟିତ୍ୱ ଦେଇଥିଲା ଦଳ । ଆଉ ପିପିଲିର ପାଖ ନିର୍ବାଚନ ମଣ୍ଡଳୀ ହେଉଛି ବ୍ରହ୍ମଗିରି । କିନ୍ତୁ ସେତେବେଳେ ପ୍ରଥମରୁ ପିପିଲି ଉପନିର୍ବାଚନ ସଂଗଠନ ଦାୟିତ୍ୱଠୁ ସଂଜୟଙ୍କୁ ଦୂରେଇ ରଖିଥିଲା ଦଳ । ଯାହାକୁ ନେଇ ସଂଜୟ ଅସନ୍ତୋଷ ପ୍ରକାଶ କରିବା ପରେ ଦଳ ବିଚାର ବିମର୍ଷ କରି ଶେଷ ବେଳକୁ ତାଙ୍କ ଓଭରାଲିର ଦାୟିତ୍ୱ ମିଳିଥିଲା କିନ୍ତୁ ସଂପୂର୍ଣ୍ଣ ସଂଗଠନରୁ ଦୂରେଇ ରଖିଥିଲା ଦଳ । ଯାହାକୁ ନେଇ ସଂଜୟ ଭିତରେ ଭିତରେ ଅସନ୍ତୋଷ ପ୍ରକାଶ କରି କିଛି ପାୱାର ନେତାଙ୍କ ବିରୋଧରେ ବିଶୋଦଗାର କରୁଥିଲେ ।

ଏସବୁ ଭିତରେ ଆଜି ଘୋଷଣା ହୋଇଥିବା ବିଜେଡି ଜିଲ୍ଲା ପର୍ଯ୍ୟବେକ୍ଷକ ତାଲିକାରେ ନାହାନ୍ତି ସଂଜୟ । ପୂର୍ବରୁ ଦୁଇଟି ଜିଲ୍ଲା ନବରଙ୍ଗପୁର ଓ ରାୟଗଡା ଜିଲ୍ଲା ପର୍ଯ୍ୟବେକ୍ଷକ ତାଲିକାରୁ ତାଙ୍କୁ ବାଦ ଦିଆଯାଇଛି । ଯାହାକୁ ନେଇ ରାଜନୈତିକ ମହଲରେ ଚର୍ଚ୍ଚା ହେଉଛି କାହିଁକି ବାଦ ପଡିଲେ ସଂଜୟ । ନା ଦଳର ପାୱାରଫୁଲ ଗୋଷ୍ଠୀଙ୍କ ସହ ସଂଜୟ ଦାସବର୍ମାଙ୍କ ପଡୁନି । ନା ସୁପ୍ରିମୋ ନବୀନ ଚାହୁଁନାହାନ୍ତି ସଂଜୟ ସଂଗଠନ ଦାୟିତ୍ୱରେ ରୁହନ୍ତୁ ବୋଲି ?