କନକ ବ୍ୟୁରୋ : ଜେଲ ଫେରନ୍ତା ବିଜେଡିର ଜିଲ୍ଲା ଉପ-ସଭାପତି । ଜଗତସିଂହପୁର ଜିଲ୍ଲା ଉପ ସଭାପତି ଭାବେ ଟିଟୋର ସହଯୋଗୀ ବା ଅତି ଘନିଷ୍ଠ ଜ୍ୟୋତିକାନ୍ତ ପରିଡ଼ା ଓରଫ ବାପୁ ପରିଡ଼ାଙ୍କୁ ଦାୟିତ୍ୱ ମିଳିବା ପରେ ବିଜେଡିରେ ବଢିଲା ବିବାଦ । ପୂର୍ବତନ ଜିଲ୍ଲା ସଭାପତି ତଥା ସରକାରୀ ଦଳ ମୁଖ୍ୟ ସଚେତକ ପ୍ରଶାନ୍ତ ମୁଦୁଲିଙ୍କ ଆଡ଼କୁ ଅଙ୍ଗୁଳି ଉଠାଇଲେ ସମ୍ବିତ । ପ୍ରତିକ୍ରିୟା ରଖି ପାରାଦ୍ୱୀପ ବିଧାୟକ ସମ୍ବିତ ରାଉତରାୟ କହିଛନ୍ତି ଆମକୁ କୁହାଯାଇଥିଲା ନିର୍ବାଚନ ମଣ୍ଡଳୀରୁ ଜିଲ୍ଲାସ୍ତରୀୟ କର୍ମକର୍ତ୍ତାଙ୍କ ତାଲିକା ଦେବା ପାଇଁ, ମୁଁ ବି ଦେଇଥିଲି । କିନ୍ତୁ ମୋ ତାଲିକାରେ ବାପୁ ପରିଡ଼ା ନାଁ ନଥିଲା । ସେ ନାଁ କେମିତି ତାଲିକାକୁ ଆସିଲା ମୁଁ ଜାଣିନି । ପୂର୍ବତନ ଜିଲ୍ଲା ସଭାପତି ପ୍ରଶାନ୍ତ ମୁଦୁଲି ଜାଣିଛନ୍ତି । ସେ ବାପୁ ପରିଡ଼ା ନାଁକୁ ଦେଇଛନ୍ତି ।

Advertisment

ଏହାସହ ସମ୍ବିତ କହିଛନ୍ତି, ବାପୁ ନାଁରେ କେସ ଅଛି । ତାକୁ ପଦପଦବୀ ପାଇଁ ମୁଁ ସୁପାରିଶ କରିନି । ଦଳରେ ପଦ ପଦବୀ ଅଥବା ଉପ ସଭାପତି ପଦକୁ ଦେଖି ଚାହିଁ ଦେବାର ଥିଲା । ପ୍ରଶାନ୍ତ ମୁଦୁଲି ନାଁ ଦେଇଛନ୍ତି ତେଣୁ ତାଙ୍କୁ ପଚାରନ୍ତୁ । ମୋତେ ନାଁ ସବୁ ଅସ୍ବାଭାବିକ ଲାଗିବା ପରେ ପଚାରିବାରୁ ପ୍ରଶାନ୍ତ ମୁଦୁଲି ଦେଇଥିବା କହିଥିଲେ ।

ପ୍ରଶାନ୍ତ କାହା ଚାପରେ ଦେଇଥିବେ ମୁଁ ଜାଣିନି । ବିଜୁ ପରିବାରର ନୀତି ଅନୁଯାୟୀ ସ୍ୱଚ୍ଛ ନିର୍ମଳ ବ୍ୟକ୍ତି ବିଶେଷକୁ ବାଛିବା ଦରକାର । ପଦବୀଟା ବହୁ ଗୁରୁତ୍ୱପୂର୍ଣ୍ଣ । ଦଳର ହାଇକମାଣ୍ଡ ଯାହା ଆଗକୁ ବିଚାର କରିବେ । ମୁଁ କିଛି କହିବିନି ହାଇକମାଣ୍ଡ ଦଳ ଚଳାଉଛନ୍ତି ସେ ଆପେ ଆପେ ଜାଣିବେ ।

୨୦୧୮ ମସିହାରେ ଟିଟୋ ଲିଙ୍କରେ ବାପୁ ପରିଡ଼ାକୁ ଏସଟିଏଫ୍ ଦ୍ୱାରା ଗିରଫ କରାଯାଇଥିଲା । ହତ୍ୟା, ଦାଦା ବଟି, ଗୁଳିକାଣ୍ଡ, ଅପହରଣ ଓ ଧମକ ଚମକ ଭଳି ୨୮ଟି ମାମଲାରେ ସେ ସଂପୃକ୍ତ ଥିବା ଏସଟିଏଫ୍ ଜାଣିବାକୁ ପାଇଥିଲା । ଜ୍ୟୋତିକାନ୍ତ ପରିଡାକୁ ଟିଟୋର ଡାହାଣ ହାତ କୁହାଯାଉଥିଲା । ଟିଟୋ ଇସାରାରେ ବାପୁ କାମ କରୁଥିବା ବେଳେ ବାପୁ ଇଙ୍ଗିତରେ ଅପରାଧ ଘଟୁଥିବା ଅଭିଯୋଗ ହୋଇଥିଲା । ବାପୁ ପରିଡା ନାଁରେ ୨୮ଟି ସଂଗୀନ ମାମଲା ରହିଛି । ଦାଦାବଟି, ହତ୍ୟା, ହତ୍ୟା ଉଦ୍ୟମ, ଗୁଳିମାଡ଼, ଡକାୟତିଠାରୁ ଆରମ୍ଭ କରି ବେଆଇନ ମାରଣାସ୍ତ୍ର ମାମଲା ରହିଛି । ପାରଦୀପ, କୁଜଙ୍ଗ ଥାନା ସମେତ କଟକ ଚାଉଳିଆଗଂଜ ଥାନାରେ ମାମଲା ରହିଛି ।