କନକ ବ୍ୟୁରୋ : ଶେଷରେ ସବୁ କଳ୍ପନାଜଳ୍ପନାରେ ପୂର୍ଣ୍ଣଚ୍ଛେଦ ପକାଇ ରାଜ୍ୟସଭା ପ୍ରାର୍ଥୀ ଘୋଷଣା କରିଛନ୍ତି ସୁପ୍ରିମୋ ନବୀନ ପଟ୍ଟନାୟକ । ବରିଷ୍ଠ ନେତା ତଥା ମୁଖପାତ୍ର ପ୍ରତାପ ଦେବଙ୍କୁ ରାଜ୍ୟସଭା ପ୍ରାର୍ଥୀ ଭାବେ ଘୋଷଣା କରାଯାଇଛି । ବିଜେଡିର କ୍ରାଇସିସ୍ ମ୍ୟାନେଜର କୁହାଯାଉଥିବା ପ୍ରତାପ ଦେବ ଏଣିକି ଦିଲ୍ଲୀରେ ବିଜେଡିର ରାଜନୈତିକ ସମସ୍ୟାର ସମାଧାନ କରିବେ ।

Advertisment

ଦିଲ୍ଲୀ ରାଜନୀତିକୁ ନେଇ ବିଜେଡିର ଅଡୁଆ ବଢୁଥିବା ବେଳେ ପ୍ରତାପ ଦେବ ଦିଲ୍ଲୀ ରାଜନୀତି ଉପରେ ନିୟନ୍ତ୍ରଣ ରଖିବେ ବୋଲି ବିଜେଡି ସୁପ୍ରିମୋ ଆଶା ରଖିଛନ୍ତି । ତେବେ ଏହି ଘୋଷଣା ପରେ ଦଳର ୨୦୧୯ ପ୍ରସ୍ତୁତି ଉପରେ ମଧ୍ୟ ସୂଚନା ମିଳିଛି । ୨୦୧୪ରେ କଳ୍ପତରୁ ଙ୍କ ପରି ୨୦୧୯ରେ ପ୍ରତାପ ଦେବଙ୍କୁ ଏହି ଗୁରୁତ୍ୱପୂଣ୍ଣ ନିର୍ବାଚନ ପରିଚାଳନା ଦାୟିତ୍ୱ ମିଳିପାରେ ବୋଲି ଚର୍ଚା ହେଉଛି ।

ରାଜ୍ୟସଭା ପ୍ରାର୍ଥୀ ହୋଇଥିବା ପ୍ରତାପ ଦେବଙ୍କ ରାଜନୈତିକ କ୍ୟାରିୟର ବି ବେଶ ଲମ୍ବା । କେନ୍ଦ୍ରାପଡ଼ାର ଆଜିରୁ ତିନି-ତିନି ଧରି ବିଧାୟକ ହୋଇଥିବା ପ୍ରତାପ ଦେବ ୨୦୦୯ରେ ଖାଦ୍ୟ ଯୋଗାଣ ମନ୍ତ୍ରୀ ଓ ବୈଷୟିକ ମନ୍ତ୍ରୀ ଭାବେ ଦାୟିତ୍ୱ ତୁଳାଇଛନ୍ତି ।

୨୦୦୯ରେ ପ୍ୟାରୀ ମୋହନ ମହାପାତ୍ର ରାଜ୍ୟସଭାରେ ଥାଇ ଯେମିତି ଦଳୀୟ ନିର୍ବାଚନ ପରିଚଳନା କରିଥିଲେ ଏବଂ ୨୦୧୪ରେ ମନ୍ତ୍ରୀ ପଦ ଛାଡି ରାଜ୍ୟସଭା ଯାଇଥିବା ବରିଷ୍ଠ ନେତା କଳ୍ପତରୁ ଦାସ ଦଳୀୟ ସଂଗଠନ ମଜବୁତ କରିପାରିଥିଲେ । ଯାହା ଫଳରେ ବିଜେଡି ବିପୁଳ ସଫଳତା ପାଇଥିଲା । ପ୍ରତାପ ଦେବ ସେମିତି କିଛି ପନ୍ଥା ଆପଣାଇବେ ନା, ୨୦୧୯ରେ କେବଳ ନିଜ ନିର୍ବାଚନ ମଣ୍ଡଳୀରେ ଫୋକସ୍ କରିବେ ତା ଉପରେ ସମସ୍ତଙ୍କ ନଜର ।