ବିଜେଡି ଜିଲ୍ଲା ସଂଗଠନରେ ବଡ଼ ପରିବର୍ତ୍ତନ: ପୁରୁଣା ଗଲେ ନୂଆ ଆସିଲେ…ବଲାଙ୍ଗିର ରାଜନୀତିରେ ହଟଚମଟ; ସରିଲା ରାଜ ପରିବାରଙ୍କ ରାଜୁତି

644

କନକ ବ୍ୟୁରୋ: ବିଜେଡିର ୩୩ଟି ସାଂଗଠନିକ ଜିଲ୍ଲା ପାଇଁ ସଭାପତିଙ୍କ ନାଁ ଘୋଷଣା ହୋଇଛି । ତାଲିକାରେ ୩ ମନ୍ତ୍ରୀଙ୍କ ସମେତ, ୧୯ ଜଣ ନୂଆ ମୁହଁ ଓ ୧୪ ଜଣ ପୁରୁଣା ମୁହଁ ସାମିଲ ଅଛନ୍ତି । ଗୁରୁତ୍ୱପୂର୍ଣ୍ଣ କଥା ହେଲା, ବଲାଙ୍ଗିର ଜିଲ୍ଲାରେ ଲଗାତର ୧୩ ବର୍ଷ ଧରି ସଂଗଠନର ମଙ୍ଗ ଧରିଥିବା କଳିକେଶ ସିଂହଦେଓଙ୍କୁ ବଦଳାଇ ତାଙ୍କ ସ୍ଥାନରେ କ୍ୟାବିନେଟ ମନ୍ତ୍ରୀ ଟୁକୁନି ସାହଙ୍କୁୁ ମିଳିଛି ବଲାଙ୍ଗୀର ବିଜେଡିର ମୋର୍ଚ୍ଚା ।

ବିଜେଡିର ସାଂଗଠନିକ ନିର୍ବାଚନ ପରେ ୩୩ଟି ସାଙ୍ଗଠନିକ ଜିଲ୍ଲା ପାଇଁ ସଭାପତିଙ୍କ ନାଁ ଘୋଷଣା କରିଛନ୍ତି ଦଳର ସୁପ୍ରିମୋ ନବୀନ ପଟ୍ଟନାୟକ । ଏହି ତାଲିକାରେ ୩ ମନ୍ତ୍ରୀଙ୍କ ସମେତ, ୧୯ ଜଣ ନୂଆ ମୁହଁ ଓ ୧୪ ଜଣ ପୁରୁଣା ମୁହଁ ସାମିଲ ଅଛନ୍ତି । ହେଲେ ସବୁଠୁ ଚର୍ଚ୍ଚା ସୃଷ୍ଟି କରିଛି ବଲାଙ୍ଗୀର ସାଂଗଠିକ ଜିଲ୍ଲାରୁ ଆସିଥିବା ଖବର ।

ପ୍ରାୟ ଦୁଇ ଦଶନ୍ଧୀ ଧରି ବଲାଙ୍ଗୀର ବିଜେଡିରେ ପ୍ରଭାବ ଓ ପତିଆରା ଜାହିର୍ କରି ଆସୁଥିଲେ ରାଜ ପରିବାର । ଅର୍ଥାତ୍ ଭେଟେରାନ୍ ଅନଙ୍ଗ ଉଦୟ ସିଂଦେଓ ଏବଂ ପୁଅ କଳିକେଶ ନାରାୟଣ ସିଂଦେଓ । ରାଜ ପରିବାରର ବିନା ଇଙ୍ଗିତରେ ବିଜେଡି ସଂଗଠନରେ ପତ୍ରଟିଏ ବି ହଲୁ ନଥିଲା । ବାପା ଅନଙ୍ଗ ସିଂହଦେଓଙ୍କ ପରେ ଲଗାତର ୧୩ ବର୍ଷ ଧରି ଜିଲ୍ଲାର ସଂଗଠନର ମଙ୍ଗ ଧରିଥିବା କଳିକେଶ ସିଂହଦେଓଙ୍କୁ ବଦଳାଇ ତାଙ୍କ ସ୍ଥାନରେ କ୍ୟାବିନେଟ ମନ୍ତ୍ରୀ ଟୁକୁନି ସାହଙ୍କୁୁ ମିଳିଛି ବଲାଙ୍ଗୀର ବିଜେଡିର ମୋର୍ଚ୍ଚା ।

ରାଜ୍ୟସଭା ନିର୍ବାଚନ ପାଖେଇ ଆସୁଥିବା ବେଳେ ଏହି ତାଲିକା ଦଳର ଅନ୍ଦର ମହଲରେ ବେଶ ଚର୍ଚ୍ଚା ସୃଷ୍ଟି କରିଛି । ବାଲେଶ୍ୱର ଜିଲ୍ଲା ସଭାପତି ଭାବେ ରବୀନ୍ଦ୍ର ଜେନାଙ୍କୁ ମିଳିଛି ଗୁରୁ ଦାୟିତ୍ୱ । କିନ୍ତୁ ରବିନ୍ଦ୍ର ଜେନା ୨୦୧୯ ନିର୍ବାଚନ ହାରିବା ପରେ ରାଜ୍ୟସଭା ରେସରେ ଥିବା କଥା କୁହାଯାଉଛି । ସେହିପରି ନବୀନ ପଟ୍ଟନାୟକଙ୍କ ଠାରୁ ପ୍ରତିଶ୍ରୁତି ପାଇଥିବା ଦଳର ହେଭିୱେଟ୍ ରମେଶ ଚନ୍ଦ୍ର ଚାଉପଟ୍ଟନାୟକ ମଧ୍ୟ ରାଜ୍ୟସଭା ରେସରେ ଅଛନ୍ତି ବୋଲି ଚର୍ଚ୍ଚା ହୁଏ । କିନ୍ତୁ ତାଙ୍କୁ ଏବେ ଗଂଜାମ ଜିଲ୍ଲାର ସଭାପତି ଦାୟିତ୍ୱ ମିଳିଛି ।

ଅନନ୍ତ ନାରାୟଣ ଜେନା ଦଳର ସାଧାରଣ ସଂପାଦକ ଦାୟିତ୍ୱରେ ଥିଲେ. କିନ୍ତୁ ତାଙ୍କୁ ଏବେ ଭୁବନେଶ୍ୱର ସାଂଗଠିନକ ଜିଲ୍ଲା ସଭାପତି ଦାୟିତ୍ୱ ମିଳିଛି । ଆଗକୁ ହେବ ବିଜେଡିର ରାଜ୍ୟ ସଭାପତି ନିର୍ବାଚନ । ଏହାରି ଭିତରେ ପୁଣି ଉପ-ସଭାପତି, ସଂପାଦକ ଓ ସାଧାରଣ ସଂପାଦକ କ୍ଷେତ୍ରରେ ଏକ ବଡ ପରିବର୍ତ୍ତନ ହେବା ପାଇଁ ଯାଉଛି ବୋଲି ଚର୍ଚ୍ଚା ହେଉଛି ।