ରାଜ୍ୟସଭା ପାଇଁ ପ୍ରାର୍ଥୀ ଘୋଷଣା କଲା ବିଜେଡି । ଦେବାଶିଷ ସାମନ୍ତରାୟ, ଶୁଭାଶିଷ ଖୁଣ୍ଟିଆଙ୍କୁ ରାଜ୍ୟସଭା ଟିକେଟ୍ ।

355

କନକ ବ୍ୟୁରୋ: ରାଜ୍ୟସଭା ନିର୍ବାଚନ ପାଇଁ ପ୍ରାର୍ଥୀ ଘୋଷଣା କଲା ବିଜେଡି । ୩ଟି ଆସନ ମଧ୍ୟରୁ ୨ଟି ଆସନ ପାଇଁ ବିଜେଡି ନିଜର ପ୍ରାର୍ଥୀ ଘୋଷଣା କରିଛି । ପୂର୍ବତନ ବିଧାୟକ ଦେବାଶିଷ ସାମନ୍ତରାୟ ଓ ଶୁଭାଶିଷ ଖୁଣ୍ଟିଆଙ୍କୁ ରାଜ୍ୟସଭା ପ୍ରାର୍ଥୀ କରିଛି ବିଜୁ ଜନତା ଦଳ । ତେବେ ଅନ୍ୟ ଗୋଟିଏ ଆସନ ପାଇଁ ବିଜେଡି ନିଜର ପ୍ରାର୍ଥୀ ଘୋଷଣା କରିନାହିଁ ।

ବିଜେଡି ନେତା ଦେବାଶିଷ ସାମନ୍ତରାୟ ୨୦୦୯ ଏବଂ ୨୦୧୪ରେ ବିଜେଡି ଟିକେଟରୁ କଟକ ବାରବାଟୀ ଆସନରୁ ଲଢି ବିଜୟୀ ହେଇଥିଲେ । ହେଲେ ୨୦୧୯ ମସିହାରେ କଂଗ୍ରେସ ନେତା ମହମ୍ମଦ ମୋକିମ୍ ତାଙ୍କୁ ହରାଇ ବିଧାନସଭାକୁ ଯାଇଥିଲେ । ତେଣୁ ଦେବାଶିଷଙ୍କୁ ରାଜ୍ୟସଭା ଟିକେଟ୍ ଦେଇ ସଂସଦ ପଠାଇବାକୁ ଯୋଜନା କରିଛି ବିଜୁ ଜନତା ଦଳ । ଅନ୍ୟପଟେ ପୁରୀର ଯୁବ ନେତା ଶୁଭାଶିଷ ଖୁଣ୍ଟିଆଙ୍କୁ ମଧ୍ୟ ରାଜ୍ୟସଭା ଉପହାର ଦେଇଛି ଦଳ । ଗତ କିଛି ବର୍ଷ ଧରି ଶୁଭାଶିଷ ପୁରୀ ରାଜନୀତିରେ ସକ୍ରିୟ ଥିଲେ ।

ତେବେ ଓଡିଶାରୁ ୩ଟି ରାଜ୍ୟସଭା ଆସନ ଖାଲି ହେଉଥିଲେ ମଧ୍ୟ କେବଳ ୨ ଜଣ ପ୍ରାର୍ଥୀଙ୍କ ନାଁ ଘୋଷଣା କରିଛି ବିଜେଡି । ତେଣୁ ତୃତୀୟ ପ୍ରାର୍ଥୀ ଜଣକ କିଏ ହେବେ? ବିଜେଡି ତୃତୀୟ ପ୍ରାର୍ଥୀ ଘୋଷଣା କରିବ ତ? ନା ବିଜେପି ପ୍ରାର୍ଥୀଙ୍କୁ ସମର୍ଥନ ଦେବ ବିଜୁ ଜନତା ଦଳ? ଏଭଳି କିଛି ପ୍ରଶ୍ନ ଏବେ ରାଜନୈତିକ ମହଲରେ ଚର୍ଚ୍ଚାର ବିଷୟ ପାଲଟିଛି ।