ଦରବୃଦ୍ଧି ପ୍ରତିବାଦରେ କେନ୍ଦ୍ର ଉପରେ ବର୍ଷିଲା ବିଜେଡି । ଆଉ ଚୁପ୍ ବସିବନି ଦଳ, ରାଜ୍ୟବ୍ୟାପୀ କରିବ ପ୍ରତିବାଦ ।

568

କନକ ବ୍ୟୁରୋ : ଦରବୃଦ୍ଧି ପ୍ରତିବାଦରେ ରାଜ୍ୟବ୍ୟାପୀ ପ୍ରତିବାଦ କରିବ ବିଜେଡି । ଦରଦାମ ବୃଦ୍ଧି ଯୋଗୁଁ ସାଧାରଣ ଲୋକ ଯେଉଁଭଳି ଛଟପଟ ହେଉଛନ୍ତି ତାହାକୁ ଦୃଷ୍ଟିରେ ରଖି ରାଜରାସ୍ତାକୁ ଓହ୍ଲାଇବ ବିଜେଡି । ଏନେଇ ସୂଚନା ଦେଇଛନ୍ତି ଦଳର ମୁଖ୍ୟ ସଚେତକ ପ୍ରମିଳା ମଲ୍ଲିକ । ଆସନ୍ତା ନଭେମ୍ବର ୧ରେ ରାଜ୍ୟର ୧୪୭ ନିର୍ବାଚନମଣ୍ଡଳୀରେ ମହିଳା ବିଜେଡି ପକ୍ଷରୁ ପ୍ରତିବାଦ କରିବ । ରାଜ୍ୟବ୍ୟାପୀ ଏହି ବିକ୍ଷୋଭ ହେବ । ଏହାସହ ଆସନ୍ତାକାଲି ରାଜଭବନ ଆଗରେ ଧାରଣା ଦେବ ଦଳ ଓ ଏହାସହ ରାଷ୍ଟ୍ରପତିଙ୍କ ଉଦ୍ଦେଶ୍ୟରେ ରାଜ୍ୟପାଳଙ୍କୁ ସ୍ମାରକପତ୍ର ଦିଆଯିବ ବୋଲି କହିଛନ୍ତି ପ୍ରମିଳା । ୫ରୁ ୭ ନଭେମ୍ବର ଯାଏଁ ପେଟ୍ରୋଲ ଓ ଡିଜେଲ ଦରର ଅହେତୁକ ବୃଦ୍ଧି କାରଣରୁ ୧୪୭ ନିର୍ବାଚନମଣ୍ଡଳୀରେ ବିଜୁ ଯୁବ ଓ ଛାତ୍ର ଜନତା ଦଳ ପେଟ୍ରୋଲ ପମ୍ପରେ କେନ୍ଦ୍ର ସରକାରଙ୍କ ବିରୋଧରେ ପ୍ରତିବାଦ କରାଯିବ ।

କରୋନା କାଳରେ ଲୋକଙ୍କ ହାତରେ ରୋଜଗାର ନଥିବା ବେଳେ ଏଭଳି ଲଗାତାର ଦରଦାମ ବୃଦ୍ଧି ସାଧାରଣ ଲୋକଙ୍କୁ ବେଶ ବାଧୁଛି । ଖାସକରି ପେଟ୍ରୋଲ, ଡିଜେଲ, ଏଲପିଜି ଓ ଅତ୍ୟାବଶ୍ୟକ ସାମଗ୍ରୀର ଦର ଅହେତୁକ ଭାବେ ବୃଦ୍ଧି କାରଣରୁ ସାଧାରଣ ଲୋକେ ବେଶ ହନ୍ତସନ୍ତ ହେଉଛନ୍ତି । ଦରଦାମ ନିୟନ୍ତ୍ରଣ କରିବାରେ କେନ୍ଦ୍ର ସରକାର ସମ୍ପୂର୍ଣ୍ଣ ବିଫଳ ହୋଇଛନ୍ତି । ଗତ ଦୁଇବର୍ଷ ମଧ୍ୟରେ ପେଟ୍ରୋଲ ଓ ଡିଜେଲର ଦର ଆକାଶଛୁଆଁ ଭାବେ ବୃଦ୍ଧି ପାଇଛି । ମହଙ୍ଗା ମାଡରେ ବଞ୍ଚିବା କଷ୍ଟକର ହୋଇପଡିଛି । ତେଣୁ ଲୋକଙ୍କ ସ୍ୱାର୍ଥ ପାଇଁ ରାସ୍ତାକୁ ଓହ୍ଲାଇବ ବିଜେଡି । ଲଗାତାର ଏଭଳି ଦର ବୃଦ୍ଧିକୁ ଦେଖି ଚୁପ୍ ବସିବନି ବିଜେଡି । ଆଗରୁ ମଧ୍ୟ ଦଳ ଦରବୃଦ୍ଧି ପ୍ରତିବାଦରେ ଆନ୍ଦୋଳନ କରିଛି, ଏବେ ମଧ୍ୟ କରିବ ।